ଭୋଟର ଲିଷ୍ଟରୁ କଟିଲା ବାଜପେୟୀଙ୍କ ନାମ !

64

କନକ ବ୍ୟୁରୋ : ଭୋଟର ଲିଷ୍ଟରୁ କଟିଲା ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ନାମ । ଉତ୍ତର ପ୍ରଦେଶ ଲକ୍ଷ୍ନୌ ନଗର ନିଗମ ନିର୍ବାଚନ ଭୋଟର ଲିଷ୍ଟରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ଋତ୍ନ ଅଟଳ ବିହାରୀ ବାଜପେୟୀଙ୍କ ନାମ କଟାଯାଇଥିବା ନଗର ନିଗମ ଅଧିକାରୀ ପ୍ରକାଶ କରିଛନ୍ତି । ୨୦୦୦ ମସିହାରେ ହୋଇଥିବା ନଗର ନିଗମ ନିର୍ବାଚନରେ ଏଠାରୁ ଭୋଟ ଦେଇଥିଲେ ବାଜପେୟୀ । ଏହାପରେ ଅନୁଷ୍ଠିତ ୨୦୦୪ ଲୋକସଭା ନିର୍ବାଚନରେ ମଧ୍ୟ ବାଜପେୟୀ ଏଠାରେ ଶେଷ ଥର ପାଇଁ ଭୋଟ ଦେଇଥିଲେ ।

Atal-Bihari-Vajpayee-580x395ସେବେଠାରୁ ବାଜପେୟୀଙ୍କ ସ୍ୱାସ୍ଥ୍ୟରେ ଅବନତି ଦେଖାଦେବାରୁ ଆଉ କୌଣସି ନିର୍ବାଚନରେ ଭୋଟ ଦେଇନାହାଁନ୍ତି । ବାସମଣ୍ଡିସ୍ଥିତ ୯୨/୯୮-୧ , ଯେଉଁ ଘର ଠିକଣାରେ ଭୋଟର ଲିଷ୍ଟରେ ବାଜପେୟୀଙ୍କ ନାମ ଥିଲା ଏବେ ସେଠାରେ କିସାନ ସଂଘ କାର୍ଯ୍ୟାଳୟ ଚାଲିଛି । ଭୋଟର ଲିଷ୍ଟ ତାଲିକାରେ ବାଜପେୟୀଙ୍କ ଭୋଟର କ୍ରମାଙ୍କ ଥିଲା ୧୦୫୪ । ନଗର ନିଗମ ଅଧିକାରୀଙ୍କ ସୂଚନା ଅନୁସାରେ ୧୦ ବର୍ଷ ହେଲା ବାଜପେୟୀ ଲକ୍ଷ୍ନୌ ସହରକୁ ଆସିନାହାଁନ୍ତି । ସେଥିପାଇଁ ଭୋଟର ଲିଷ୍ଟରୁ ବାଜପେୟୀଙ୍କ ନାମ କାଟିଦିଆଯାଇଛି । ଏବେ ବାଜପେୟୀ ଦିଲ୍ଲୀରେ ରହୁଛନ୍ତି । ସ୍ୱାସ୍ଥ୍ୟାବସ୍ଥା ଖରାପ ରହୁଥିବାରୁ କିଛି ବିଶ୍ୱସ୍ତ ଲୋକଙ୍କୁ କେବଳ ଭେଟୁଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ବାଜପେୟୀ ।