ବିଜେପିକୁ ଶୂନ୍ୟରୁ ଶିଖରକୁ ପହଞ୍ଚାଇଥିବା ବ୍ୟକ୍ତିତ୍ୱ ! ଯେ କହିଥିଲେ, “ଅନ୍ଧାର ଚାଲିଯିବ,ସୂର୍ଯ୍ୟ ଉଦୟ ହେବ,ପଦ୍ମଫୁଲ ଫୁଟିବ” ।

94

ଗତ ୨୪ ଘଣ୍ଟା ଧରି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ୱାସ୍ଥ୍ୟବସ୍ତାରେ ଅବନତି ଦେଖାଦେଇଛି । ତାଙ୍କୁ ଦିଲ୍ଲୀ ଏମ୍ସରେ ଫୁଲ୍ ଲାଇଫ୍ ସପୋର୍ଟରେ ରଖାଯାଇଛି । ଶାସନରେ ଥିବା ନେତା ଏବଂ ବିରୋଧଦଳ ନେତା ବାଜପେୟୀଙ୍କ ଦୀର୍ଘାୟୁ ଆୟୁଷ ପାଇଁ ଭଗବାନଙ୍କ ନିକଟରେ କାମନା କରୁଛନ୍ତି ।

ଜନସଂଘ,ଜନତା ପାର୍ଟି ଏବଂ ପରେ ବିଜେପିର ମଙ୍ଗ ଧରିଥିବା ଚେହେରାମାନଙ୍କ ମଧ୍ୟରୁ ଅଟଳ ବିହାରୀ ବାଜପେୟୀ ଥିଲେ ଜଣେ । ୧୯୮୦ ମସିହା ଏପ୍ରିଲ ମାସରେ ବିଜେପି ମାସରେ ବିଜେପି ଗଠନ କରାଯାଇଥିଲା । ରାଜନୈତିକ ଦଳ ହିସାବରେ ପ୍ରଥମେ ଲୋକସଭା ନିର୍ବାଚନରେ ପାର୍ଟି ଖାତାରେ ଦୁଇଟି ସିଟ୍ ଆସିଥିଲା । ଏହାସତ୍ତେ୍ୱ ମଧ୍ୟ ବାଜପେୟୀ ହାର ନମାନି କହିଥିଲେ, “ଅନ୍ଧାର ଚାଲିଯିବ,ସୂର୍ଯ୍ୟ ଉଦୟ ହେବ,ପଦ୍ମଫୁଲ ଫୁଟିବ” । ବାଜପେୟୀଙ୍କ ଏହି ପଦିଏ କଥା ଯୋଗୁଁ ଆଜି କେନ୍ଦ୍ରରୁ ନେଇ ଦେଶର ୨୦ ରାଜ୍ୟରେ ବିଜେପି ସରକାର ନିଜର ଆଧିପତ୍ୟ ଜାହିର କରିଛି ।

ବାଜପେୟୀଙ୍କ ଜନ୍ମ ୧୯୨୪ ମସିହା ଡିସେମ୍ବର ୨୫ ବଡଦିନ ଅବସରରେ ହୋଇଥିଲା । ଦେଶ ରାଜନୀତିରେ ବିଜେପି ଯେତେବେଳେ ପ୍ରଥମେ ପାଦ ଥାପିଲା କେହି ସ୍ୱପ୍ନରେ ସୁଦ୍ଧା ଭାବିନଥିଲେ ଯେ ପାର୍ଟି ଗୋଟିଏ ଦିନ ଦେଶର ଅଧା ଅଂଶରେ ନିଜର ଶାସନଭାର ସମ୍ଭାଳୁଥିବ । ବିଜେପିକୁ ଶୂନ୍ୟରୁ ଶିଖରକୁ ପହଞ୍ଚାଇବାରେ ବାଜପେୟୀଙ୍କ ଅବଦାନ ଅତୁଳନୀୟ ଥିଲା । ୧୯୪୨ ମସିହାରେ ବାଜପେୟୀ ରାଜନୀତି କ୍ୟାରିୟର୍ ଆରମ୍ଭ କରିଥିଲେ । ଭାରତ ଛାଡ ଆନ୍ଦୋଳନ ସମୟରେ ତାଙ୍କ ଭାଇ ୨୩ ଦିନ ପାଇଁ ଜେଲ୍ ଯିବା ପରେ ସେ ୧୯୫୧ ମସିହାରେ ଆରଏସଏସର ସହଯୋଗରେ ଭାରତୀୟ ଜନସଂଘ ପାର୍ଟି ତିଆରି କଲେ ଯେଉଁଥିରେ ଶ୍ୟାମା ପ୍ରସାଦ ମୁଖର୍ଜୀ ଭଳି ନେତା ମଧ୍ୟ ସାମିଲ୍ ଥିଲେ । ୧୯୫୭ ମସିହାରେ ସେ ପ୍ରଥମଥର ପାଇଁ ବଳରାମପୁରରୁ ସଂସଦୀୟ ସିଟ୍ ଜିତି ରାଜ୍ୟସଭାର ସଦସ୍ୟ ହୋଇଥିଲେ । ତାଙ୍କର ଅସାଧାରଣ ବ୍ୟକ୍ତିତ୍ୱକୁ ଦେଖି ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ୍ ନେହେରୁ କହିଥିଲେ, “ଆଗାମୀ ଦିନରେ ଏହି ବ୍ୟକ୍ତି ନିଶ୍ଚିତ ଭାବେ ପ୍ରଧାନମନ୍ତ୍ରୀ ହେବ ।” ୧୯୬୮ ମସିହାରେ ବାଜପେୟୀ ରାଷ୍ଟ୍ରୀୟ ଜନସଂଘର ଅଧ୍ୟକ୍ଷ ହୋଇଥିଲେ । ସେହି ସମୟରେ ପାର୍ଟିରେ ନାନାଜୀ ଦେଶମୁଖ୍,ବଳରାଜ୍ ମଧୋକ ଏବଂ ଲାଲକୃଷ୍ଣ ଆଡଭାନୀଙ୍କ ଭଳି ବରିଷ୍ଠ ନେତା ଉପସ୍ଥିତ ଥିଲେ ।

୧୯୭୫-୭୭ ଆପାତକାଳୀନ ସମୟରେ ଇନ୍ଦିରା ଗାନ୍ଧୀଙ୍କ ସହ ଆଲୋଚନା କରୁଥିବା ସମୟରେ ସେ ଅନ୍ୟ ନେତାଙ୍କ ସହ ଗିରଫ ହୋଇଥିଲେ । ଜେଲରୁ ବାହାରିବା ପରେ ସେ ଜନସଂଘରୁ ଜନତା ପାର୍ଟିକୁ ଚାଲିଆସିଥିଲେ । ୧୯୭୭ ଲୋକସଭା ନିର୍ବାଚନରେ ଜନତା ପାର୍ଟିର ଜିତ୍ ହୋଇଥିଲା ଏବଂ ସେ ମୋରାରଜୀ ଭାଇ ଦେଶାଇଙ୍କ ନେତୃତ୍ୱରେ ବୈଦେଶିକ ମନ୍ତ୍ରୀ ହୋଇଥିଲେ । ବୈଦେଶିକ ମନ୍ତ୍ରୀ ପାହ୍ୟା ପାଇବା ପରେ ବାଜପେୟୀ ପ୍ରଥମ ନେତା ଥିଲେ ଯିଏ ସଂଯୁକ୍ତ ରାଷ୍ଟ୍ର ମହାସଂଘରେ ହିନ୍ଦୀ ଭାଷାରେ ସମ୍ଭୋଧିତ କରିଥିଲେ । ୧୯୭୯ ମସିହାରେ ଜନତା ପାର୍ଟି ସରକାରର ସ୍ଥାୟିତ୍ୱ ରହିପାରିଲା ନାହିଁ । ଏହାପରେ ଅନ୍ତକଳହ କାରଣରୁ ପାର୍ଟିରୁ ବାଜପେୟୀଙ୍କ ସହ ଅନ୍ୟ ନେତାମାନେ ମଧ୍ୟ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ । ବାଜପେୟୀ ବିଜେପିର ପ୍ରଥମ ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବାର ସୌଭାଗ୍ୟ ଲାଭ କରିଥିଲେ ।

୧୯୯୪ ରେ କର୍ଣ୍ଣାଟକ, ୧୯୯୫ ରେ ଗୁଜୁରାଟ ଏବଂ ମହାରାଷ୍ଟ୍ରରେ ପାର୍ଟି ଯେତେବେଳେ ନିର୍ବାଚନ ଜିତିଲେ ଏହାପରେ ପାର୍ଟିର ତତକାଳୀନ ଅଧ୍ୟକ୍ଷ ଲାଲକୃଷ୍ଣ ଆଡଭାନୀ ତାଙ୍କୁ ପ୍ରଧାନମନ୍ତ୍ରୀ ପଦରେ ଆଶାୟୀପ୍ରାର୍ଥୀ ଭାବେ ଘୋଷଣା କରିଦେଲେ । ବାଜପେୟୀ ୧୯୯୬ ରୁ ୨୦୦୪ ପର୍ଯ୍ୟନ୍ତ ୩ ଥର ଭାରତର ପ୍ରଧାନମନ୍ତ୍ରୀ ଆସନରେ ରହିଥିଲେ । ୧୯୯୬ ଲୋକସଭା ନିର୍ବାଚନରେ ବିଜେପି ଦେଶର ସବୁଠାରୁ ବଡ ପାର୍ଟି ହୋଇସାରିଥିଲା ଏବଂ ବାଜପେୟୀ ପ୍ରଥମଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ । ୧୯୯୮ ମସିହାରେ ଲୋକସଭା ନିର୍ବାଚନ ସମୟରେ ପାର୍ଟିକୁ ଅଧିକ ସିଟ୍ ମିଳିଥିଲା ଏବଂ ଅନ୍ୟ ପାର୍ଟିର ସହଯୋଗରେ ବାଜପେୟୀ ଏନଡିଏର ଗଠନ କରିଥିଲେ ଏବଂ ପ୍ରଧାନମନ୍ତ୍ରୀ ମଧ୍ୟ ହୋଇଥିଲେ । ଏହି ସରକାର ୧୩ ମାସ ପର୍ଯ୍ୟନ୍ତ ଶାସନରେ ରହିଥିଲା । କିନ୍ତୁ ମଧ୍ୟଭାଗରେ ଜୟଲଳିତାଙ୍କ ପାର୍ଟି ସରକାର ଛାଡିଯିବାରୁ ପାର୍ଟିର ପରାଜୟ ହୋଇଥିଲା । ୧୯୯୯ ରେ ହୋଇଥିବା ଲୋକସଭା ନିର୍ବାଚନରେ ବିଜେପି ପୁଣିଥରେ ଶାସନକୁ ଆସିଥିଲା ଏବଂ ଏହି ସମୟରେ ବାଜପେୟୀ ନିଜର କାର୍ଯ୍ୟକାଳ ସମ୍ପୁର୍ଣ୍ଣ କରିଥିଲେ ।