ହସ୍ପିଟାଲରେ ପୂର୍ବତନ ପ୍ରଧାନମନ୍ତ୍ରୀ, ଡାକ୍ତରଙ୍କ ପରାମର୍ଶରେ ଏମ୍ସରେ ଭର୍ତ୍ତି ହେଲେ ଅଟଳବିହାରୀ ବାଜପେୟୀ : ବିଜେପିର ଭୀଷ୍ମ ପିତାମହଙ୍କୁ ଭେଟିଲେ ମୋଦି, ଶାହା ଓ ରାହୁଲ ଗାନ୍ଧି

42

କନକ ବ୍ୟୁରୋ : ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରି ବାଜପେୟୀ ନୂଆଦିଲ୍ଲୀ ସ୍ଥିତ ଏମ୍ସରେ ଭର୍ତି ହୋଇଛନ୍ତି । ଡାକ୍ତରଙ୍କ କହିବାନୁସାରେ ଏକ ରୁଟିନ୍ ଚେକଅପ୍ ପାଇଁ ସେ ଆସିଛନ୍ତି । ଏମ୍ସର ନିର୍ଦ୍ଦେଶକ ଡ଼ଃ ଗୁଲେରିଆଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏବେ ତାଙ୍କର ଚିିକିତ୍ସା ଚାଲିଛି । ବିଗତ ତିନି ଦଶନ୍ଧି ଧରି ବାଜପେୟୀଙ୍କ ବ୍ୟକ୍ତିଗତ ଡାକ୍ତର ଭାବେ କାମ କରିଛନ୍ତି ଡ. ଗୁଲେରିଆ । ସୋମବାର ମଧ୍ୟାହ୍ଣରେ ଶାରୀରିକ ଅସୁସ୍ଥତା ଲାଗି ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ । ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିବା ଏମ୍ସ ସୂତ୍ରରୁ ପ୍ରକାଶ । ଇତି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କଂଗ୍ରେସ ଅଧ୍ୟକ୍ଷ ରାହୁଲ୍ ଗାନ୍ଧୀ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ, କେନ୍ଦ୍ରମନ୍ତ୍ରୀ ଜେ.ପି.ନଡ୍ଡା ପ୍ରମୁଖ ଭେଟିଛନ୍ତି ।

ସୋମବାର ମଧ୍ୟାହ୍ଣରେ ବିଜେପି ପକ୍ଷରୁ ଜାରି କରାଯାଇଥିବା ସୂଚନାରେ କୁହାଯାଇଛି ଯେ, ବେଜପେୟୀଙ୍କୁ କେବଳ ରୁଟିନ ଚେକ ଅପ୍ କରିବା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ବାଜପେୟୀଙ୍କୁ ସ୍ୱାସ୍ଥ୍ୟବସ୍ଥା ଅନେକ ଦିନ ଧରି ଅତ୍ୟନ୍ତ ଖରାପ ରହିଛି । ଡିମେନସିୟା ନାମକ ଏକ ରୋଗରେ ବାଜପେୟୀ ପୀଡିତ ଥିବା ଜଣାପଡିଛି । ୨୦୦୯ ମସିହାଠାରୁ ସେ ହ୍ୱିଲ ଚେୟାରରେ ଥିବା ଜଣାପଡିଛି ।

ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ତାଙ୍କର ଜଣେ ସହଯୋଗୀ ବନ୍ଧୁ ଶିବ କୁମାର ଶର୍ମା କହିଛନ୍ତି ଯେ, ରୋଗକ୍ରାନ୍ତ ଥିବା କାରଣରୁ ବାଜପେୟୀ ବହୁତ କମ କଥା କହୁଛନ୍ତି । କିନ୍ତୁ ଚେହେରାର ହାବଭାବ ଏବଂ ଆଖିର ଇସାରାରୁ ଜଣାପଡିଯାଏ ଯେ ବାଜପେୟୀ ଚିହ୍ନି ପାରୁଛନ୍ତି । କିନ୍ତୁ ଏବେ ସେ କିଛି ପଢି କିମ୍ବା ଲେଖି ପାରୁନାହାନ୍ତି । କିନ୍ତୁ ଅଧିକାଂଶ ସମୟ ସେ ଟିଭି ଦେଖିଥାନ୍ତି । ଖାସ କରି ପୁରୁଣା କିଛି ଚଳଚିତ୍ର ଏବଂ ପୁରୁଣା ସଙ୍ଗୀତ ତାଙ୍କୁ ବହୁତ ଭଲ ଲାଗିଥାଏ । ଡାକ୍ତରମାନଙ୍କର ଏକ ଦଳ ୨୪ ଘଣ୍ଟା ବାଜପେୟୀଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରୁଛନ୍ତି । ପ୍ରତିଦିନ ତାଙ୍କର ଚିକିତ୍ସା ପାଇଁ ୪ ଜଣ ଫିଜିଓ ଥେରାପିଷ୍ଟ ଆସିଥାନ୍ତି ।

ତେବେ ଖାଦ୍ୟରେ ତାଙ୍କୁ କେବଳ ତରଳ ସାମଗ୍ରୀ ଖାଇବାକୁ ଦିଆଯାଇଥାଏ । ନିକଟରେ ଭାରତ ସରକାର ତାଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରିଛନ୍ତି । ୯୩ ବର୍ଷ ବୟସ୍କ ଅଟଳ ବିହାରୀ ବାଜପେୟୀ ବର୍ତ୍ତମାନ ବିଭିନ୍ନ ଶାରୀରିକ ସମସ୍ୟା ଦେଇ ଗତି କରୁଛନ୍ତି । ବିଶେଷ କରି ସେ ବର୍ତ୍ତମାନ କାହାକୁ ଚିହ୍ନି ପାରୁ ନାହାନ୍ତି କିମ୍ବା ତାଙ୍କର କିଛି ମନେ ରହୁନାହିଁ । ଅଣ କଂଗ୍ରେସ ପ୍ରଧାନମନ୍ତ୍ରୀ ଭାବେ ସେ ହେଉଛନ୍ତି ଏକମାତ୍ର ପ୍ରଧାନମନ୍ତ୍ରୀ ଯିଏ ପୂର୍ଣ୍ଣକାଳୀନ ସରକାର ଗଠନ କରିବାରେ ସକ୍ଷମ ହୋଇଛନ୍ତି । ଉତ୍ତର ପ୍ରଦେଶର ଲକ୍ଷ୍ନୌ ଲୋକସଭା ଆସନରୁ ବାରମ୍ବାର ବିଜୟୀ ହେବା ସହିତ ବାଜପେୟୀ ତିନି ଥର ଭାରତର ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେଇଛନ୍ତି । ପ୍ରଥମ ଥର ୧୩ ଦିନ, ଦ୍ୱିତୀୟ ଥର ୧୩ ମାସ ଓ ତୃତୀୟ ଥର ପୂର୍ଣ୍ଣକାଳୀନ ସରକାର ଚଳାଇ ସେ ଅଣକଂଗ୍ରେସ ରାଜନୀତିର ଅନନ୍ୟ ଇତିହାସର ପାତ୍ର ହୋଇଛନ୍ତି । ଭାରତଛାଡ଼ ଆନ୍ଦୋଳନରେ ଜଡିତ ହୋଇ ଭାରତୀୟ ରାଜନୀତିରେ ପ୍ରବେଶ କରିଥିବା ଶ୍ରୀ ବାଜପେୟୀ ଜଣେ ପ୍ରଚଣ୍ଡ ବାଗ୍ମୀ ଓ କବି ଭାବେ ବେଶ ଜଣାଶୁଣା ।