ଆସାମରେ ୪୦ ଲକ୍ଷ ଲୋକ ନୁହଁନ୍ତି ଭାରତୀୟ ନାଗରିକ: ଏନଆରସି ରିପୋର୍ଟ ପରେ ତେଜିଲା ବିବାଦ, ଗୃହ ମନ୍ତ୍ରୀ କହିଲେ, ନାଗରିକତ୍ୱର ପ୍ରମାଣ ପାଇଁ ମିଳିବ ଆଉ ଏକ ସୁଯୋଗ

40

କନକ ବ୍ୟୁରୋ: ଆସାମର ଜାତୀୟ ନାଗରିକ ତାଲିକା, ଏନଆରସି ରିପୋର୍ଟକୁ ନେଇ ଉପୁଜିଛି ବଡ଼ ବିବାଦ । ପ୍ରାୟ ୪୦ ଲକ୍ଷ ଲୋକ ଏହି ସମ୍ଭାବ୍ୟ ତାଲିକାରୁ ବାଦ୍ ପଡ଼ିଛନ୍ତି । ମୋଟ୍ ୩ କୋଟି ୨୯ ଲକ୍ଷ ଲୋକ ଏହି ତାଲିକାରେ ସାମିଲ ହେବାକୁ ପଂଜୀକରଣ କରିଥିଲେ । ତେବେ ୨ କୋଟି ୮୯ ଲକ୍ଷ ଏହି ତାଲିକାରେ ସାମିଲ ହୋଇଛନ୍ତି । ଫଳରେ ପ୍ରାୟ ୪୦ ଲକ୍ଷ ଲୋକ ବିଧିବଦ୍ଧ ଭାବେ ଭାରତୀୟ ନାଗରିକତ୍ୱରୁ ବଂଚିତ ହୋଇଛନ୍ତି । ଏନଆରସି ଅଧିକାରୀ ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି ।

ତେବେ ସେ କହିଛନ୍ତି ଯେ, ଏହା ସମ୍ଭାବ୍ୟ ତାଲିକା । ଏହି ତାଲିକାକୁ ଚୂଡ଼ାନ୍ତ ଭାବେ ଗ୍ରହଣ କରାଯିବା ଅନୁଚିତ । ଅଗଷ୍ଟ ୩୦ରୁ ଲୋକମାନେ ଏନେଇ ଅଭିଯୋଗ ଓ ନିଜର ମନ୍ତବ୍ୟ ଓ ପରାମର୍ଶ ଦେଇପାରିବେ । ଏହି ପ୍ରକ୍ରିୟା ସେପ୍ଟେମ୍ବର ୨୮ ଯାଏଁ ଚାଲିବ । ତେବେ ପ୍ରକୃତ ଭାରତୀୟ ନାଗରିକ ମାନଂକୁ କୌଣସି ପ୍ରକାର ଆଶଂକା କରିବାର ଆବଶ୍ୟକତା ନାହିଁ ବୋଲି ଏନଆସି ଅଧିକାରୀ କହିଛନ୍ତି । ଆସାମରେ ବାଂଲାଦେଶୀ ଅନୁପ୍ରବେଶକାରୀଂକ ପ୍ରସଙ୍ଗ ନେଇ ବିବାଦ ଲାଗି ରହିଆସିଛି । ଏହାକୁ ନେଇ ଆସାମର ମୂଳ ବାସିନ୍ଦାମାନେ ଅନେକ ସମୟରେ ଆପତି ଉଠାଇଛନ୍ତି ।

ତେବେ ଏହି ତାଲିକା ପ୍ରକାଶ ପାଇବା ପରେ ରାଜନୈତିକ ବିବାଦ ତେଜିଛି । ଏହି ପ୍ରସଂଗକୁ ନେଇ କଂଗ୍ରେସ ବିଜେପି ଟାର୍ଗେଟ୍ କରିଛି । ଏହି ୪୦ ଲକ୍ଷ ଲୋକଂକ ଭବିଷ୍ୟତ କ’ଣ ହେବ ବୋଲି କଂଗ୍ରେସ ପ୍ରଶ୍ନ କରିଛି । ସେପଟେ ବିଜେପି କହିଛି ଯେ, ଏହା ଚୂଡ଼ାନ୍ତ ତାଲିକା ନୁହେଁ, ତେଣୁ ବିବାଦ କରିବାର କାରଣ ନାହିଁ । ଚୂଡ଼ାନ୍ତ ତାଲିକା ପାଇଁ ଅପେକ୍ଷା କରାଯିବା ବୋଲି ବିଜେପି କହିଛନ୍ତି ।