ବନ୍ୟାରେ ଗଞ୍ଜାମର ସ୍ଥିତି ସଙ୍ଗୀନ ! ଆସ୍କାକୁ ବାହ୍ୟ ଜଗତରୁ ସଂପୂର୍ଣ୍ଣ ବିଚ୍ଛିନ୍ନ କଲା ଋଷିକୁଲ୍ୟା ବନ୍ୟା ଜଳ, ଅଧାରୁ ଫେରିଲା ଉଦ୍ଧାର ପାଇଁ ଯାଇଥିବା ଓଡ୍ରାଫ ଓ ଏନଡିଆରଏଫ ଟିମ୍

40

କନକ ବ୍ୟୁରୋ : ବାତ୍ୟା ଗଲା , ବନ୍ୟା ଆଣିଲା ବିଭୀଷିକା । ଗଂଜାମରେ ବନ୍ୟା ସାଂଘାତିକ ସ୍ଥିତି ସୃଷ୍ଟି କରିଛି । ସବୁଠୁ ସଂଗୀନ ଅବସ୍ଥା ହୋଇଛି ଆସ୍କାର । ସହରକୁ ଚାରିଆଡୁ ପାଣି ଘେରି ରହିଛି । ରୁଷିକୁଲ୍ୟା ନଦୀର ବନ୍ୟା ଜଳରେ ଜଳବନ୍ଦୀ ହୋଇଛନ୍ତି ଆସ୍କା ବାସିନ୍ଦା । ସହର ମଧ୍ୟରେ ପାଣିର ସୁଅ ଚାଲିଛି । ମୁଖ୍ୟ ରାସ୍ତା ଉପରେ ୫ ଫୁଟ ପାଣିର ସ୍ରୋତ ବୋହୁଛି । ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି ସମ୍ପୂର୍ଣ୍ଣ ଆସ୍କା ସହର । ସଡକପଥରେ ବନ୍ୟା ଜଳର ପ୍ରବଳ ସ୍ରୋତ ଓ ନଦୀ ମଧ୍ୟରେ କରେଂଟ୍ ଯୋଗୁଁ, ଆସ୍କାକୁ ପହଁଚିବା ମୁସ୍କିଲ ହୋଇପଡୁଛି ଉଦ୍ଧାରକାରୀ ଦଳକୁ । ସେପଟେ ଗଂଜାମ ଜିଲ୍ଲାରେ ବନ୍ୟା ପ୍ରଭାବିତଙ୍କୁ ଉଦ୍ଧାର ପାଇଁ ବିଶାଖାପାଟଣାରୁ ୨ଟି ହେଲିକପ୍ଟର ଆସି ପହଁଚିଛି ।

ବାତ୍ୟା ଯିବା ପରେ ସାଂଘାତିକ ରୂପ ନେଇଛି ବନ୍ୟା । ଲଗାଣ ବର୍ଷା କାଳ ସାଜିଛି ନଦୀ ଘେରା ଆସ୍କା ସହରକୁ । ବନ୍ୟା ଜଳରେ ଜଳବନ୍ଦୀ ସହର । ରାସ୍ତା ଉପରେ ଛୁଟୁଛି ବନ୍ୟା ପାଣିର ସୁଅ । ଲହଡି ଭଳି ମାଡି ଯାଉଛି ରୁଷିକୁଲ୍ୟା ନଦୀର ପାଣି । ଘରେ ପାଣି ପଶିଛି । ବୁଡି ରହିଛି ଗାଡି ମୋଟର । ରୁଷିକୁଲ୍ୟା ଓ ଘୋଡାହାଡ ନଦୀର ବନ୍ୟା ଜଳରେ ଜଳବନ୍ଦୀ ହୋଇଯାଇଛି ସଂପୂଣ୍ଣ ଆସ୍କା । ଚାରିଆଡେ ଖାଲି ପାଣି ଆଉ ପାଣି । ରାସ୍ତା ଘାଟ ଧୋଇଯାଇଛି । ମୁଖ୍ୟରାସ୍ତା ଉପରେ ପ୍ରବଳ ବେଗରେ ମାଡିଚାଲିଛି ବନ୍ୟା ଜଳ । ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି ସହର । ସ୍ଥିତି ଏମିତି ହୋଇଛି ଯେ, ସକାଳେ, ବନ୍ୟା ଘେରରେ ଥିବା ଲୋକଙ୍କ ପାଖକୁ ପହଁଚିପାରିନଥିଲା ଓଡ୍ରାଫ ଟିମ୍ । ଘୋଡାହାଡ ଓ ରୁଷିକୁଲ୍ୟାର ମିଳନସ୍ଥଳୀରେ କରେଂଟ୍ ଯୋଗୁଁ ଫେରି ଆସିଥିଲେ ଉଦ୍ଧାରକାରୀ ଦଳ ।

ଆସ୍କାକୁ ସଂଯୋଗ କରୁଥିବା ରାସ୍ତା ଉପରେ ବୋହୁଛି ରୁଷିକୁଲ୍ୟାର ବନ୍ୟା ପାଣି । ହିଂଜିଳିକାଟୁରେ ପୋଲ ଧୋଇଯାଇଛି । ଧରାକୋଟ ବ୍ଳକର ବାହାଡଗୁଡାରେ ରାସ୍ତା ଉପରେ ୪ ଫୁଟର ପାଣି ଚାଲିଛି । ଫଳରେ ଆସିକା-ଶେରଗଡ-ଦିଗପହଣ୍ଡିକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ୨ ଦିନ ହେବ ଆସିକା-ହିଂଜିଳି ମୁଖ୍ୟ ରାସ୍ତା ଉପରେ ପାଣି ବହୁଛି । ସଡକପଥରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିବାରୁ ଉଦ୍ଧାର କାର୍ଯ୍ୟ ପାଇଁ ହେଲିକପ୍ଟର ମାଗିଛନ୍ତି ଜିଲ୍ଲାପାଳ । ବିଶାଖାପାଟଣାରୁ ୨ଟି ହେଲିକପ୍ଟର ଦ୍ୱାରା ଆସ୍କା ସମେତ ପୁରା ଗଂଜାମ ଜିଲ୍ଲାରେ ଜଳବନ୍ଦୀ ଲୋକଙ୍କୁ ଉଦ୍ଧାର କରାଯିବ । ଏଥିସହ ବନ୍ୟା ପ୍ରଭାବିତଙ୍କ ପାଖରେ ରିଲିଫ୍ ସାମଗ୍ରୀ ପଠାଯିବ । ବାତ୍ୟା ତିତଲି ଫେରିଯାଇଛି । ହେଲେ ଗଂଜାମରେ ବନ୍ୟା ସ୍ଥିତି ସଂଗୀନ ହୋଇପଡିଛି । ବନ୍ୟାରୁ ଲୋକଙ୍କୁ ଉଦ୍ଧାର କରିବା ପ୍ରଶାସନ ପାଇଁ ଚ୍ୟାଲେଂଜ ପାଲଟିଛି ।