ମୃତ୍ୟୁ ପର୍ଯ୍ୟନ୍ତ ଜେଲରେ ରହିବେ ଆଶାରାମ ! ରାୟ ଶୁଣିବା ପୂର୍ବରୁ ହସିଲେ ପରେ କାନ୍ଦି ପକାଇଲେ

33

ଜେଲର କାଳକୋଠରୀରେ ମୃତ୍ୟୁ ପର୍ଯ୍ୟନ୍ତ ରହିବେ ଆତ୍ମଘୋଷିତ ବାବା ଆଶାରାମ । ନାବାଳିକା ଦୁଷ୍କର୍ମ ମାମଲାରେ ଯୋଧପୁର କୋର୍ଟ ଆଶାରାମଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି । ସେହିଭଳି ଆଶାରାମଙ୍କ ଦୁଇ ସହଯୋଗୀଙ୍କୁ ୨୦ ବର୍ଷ ଲେଖାଏଁ ଜେଲ ଦଣ୍ଡ ଶୁଣାଇଛନ୍ତି ଯୋଧପୁର କୋର୍ଟ । କୋର୍ଟଙ୍କ ଏହି ରାୟ ପରେ ଆଶାରାମ ମୃତ୍ୟୁ ପର୍ଯ୍ୟନ୍ତ ଜେଲରେ ରହିବେ ଏହା ନିଶ୍ଚିତ ହୋଇଛି । ତେବେ କୋର୍ଟ ଏହି ରାୟ ଦେବା ସମୟରେ ଆଶାରାମଙ୍କୁ ଏକ ଭିନ୍ନ ରୂପରେ ଦେଖିବାକୁ ମିଳିଥିଲା । କୋର୍ଟରେ ଶୁଣାଣୀ ଚାଲିଥିବା ସମୟରେ ଆଶାରାମ ଶାନ୍ତ ରହିବା ସହ ରାମ ନାମ ଜପ କରିବା ଆରମ୍ଭ କରିଥିଲେ । ତେବେ ଏହାର କିଛି ସମୟ ପରେ ଜୋରରେ ହସିଥିଲେ ଆଶାରାମ । କିନ୍ତୁ ଆଶାରାମଙ୍କ ହସକୁ କ୍ଷଣିକରେ ବଦଳାଇ ଦେଇଥିଲେ ନ୍ୟାୟଧୀଶ । ଯେତେବେଳେ ଦୁଷ୍କର୍ମ ମାମଲାରେ ଜଜ ଆଶାରାମଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଲେ ସେଠାରେ ହିଁ କାନ୍ଦିବା ଆରମ୍ଭ କରିଥିଲେ ଆଶାରାମ ।

୨୦୧୩ରେ ଆଶାରାମଙ୍କ ବିରୋଧରେ ଉତ୍ତରପ୍ରଦେଶର ଏକ ଯୁବତୀ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ । ଏହି ମାମଲାରେ ଆଶାରାମଙ୍କ ବ୍ୟତୀତ ରାଜଦାର ଶିଳ୍ପୀ ଓ ଶରତଚନ୍ଦଙ୍କୁ ମଧ୍ୟ ଦୋଷୀ ସାବ୍ୟସ୍ତ କରାଯାଇଛି । ଏହି ଦୁଇ ସହଯୋଗୀଙ୍କୁ ୨୦ ବର୍ଷ ଲେଖାଏଁ ଦଣ୍ଡ ଦେଇଛନ୍ତି ଯୋଧପୁର କୋର୍ଟ । ତେବେ ଯୋଧପୁର କୋର୍ଟଙ୍କ ଏହି ରାୟ ବିରୋଧରେ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯିବ ବୋଲି ଆଶାରାମ ଆଶ୍ରମର ପ୍ରବକ୍ତା ନୀଲମ ଦୁବେ କହିଛନ୍ତି । ସବୁଠୁ ବଡ କଥା ହେଲା ଆଶାରାମଙ୍କ ପାଇଁ ୧୪ ଜଣ ଓକିଲ ଯୁକ୍ତି କରୁଥିଲେ ।

ତେବେ ରାମରହିମଙ୍କୁ କୋର୍ଟ ଦଣ୍ଡାଦେଶ ଶୁଣାଇବା ପରେ ଯେଉଁଭଳି ପରିସ୍ଥିତି ଉପୁଜିଥିଲା ତାହାର ପୁନରାବୃତ୍ତି ଯେପରି ନ ଘଟେ ସେଥିପାଇଁ ଯୋଧପୁର ଜେଲର ବାହାରେ ସୁରକ୍ଷାକୁ କଡାକଡି କରାଯାଇଛି । ଡ୍ରୋନ କ୍ୟାମେରା ସାହାର୍ଯ୍ୟରେ ଲୋକ ମାନଙ୍କ ଉପରେ ନଜର ରଖାଯାଇଛି ।