ଭାଙ୍ଗିଗଲା ମନ୍ତ୍ରୀ ଅରୁଣ ସାହୁଙ୍କ ମଂଚ,ମଂଚ ତଳକୁ ଆସି ସମ୍ବୋଧିତ କଲେ ମନ୍ତ୍ରୀ

26

ମଂଚରୁ ଓହ୍ଲାଇଲେ ମନ୍ତ୍ରୀ । ନୟାଗଡରେ ଜଳ ପ୍ରକଳ୍ପର ଉଦଘାଟନୀ ଉତ୍ସବରେ ଦେଖିବାକୁ ମିଳିଛି ଅଭାବନୀୟ ସ୍ଥିତି । ପଂଚାୟତିରାଜ ମନ୍ତ୍ରୀ ଅରୁଣ ସାହୁ, ନୟାଗଡ ଜିଲ୍ଲାପାଳ ହେମନ୍ତ କୁମାର ପାଢୀ ଓ ଅନ୍ୟ ଅତିଥି ମାନେ ମଂଚରେ ବସିଥିବାବେଳେ ହଠାତ ଭାଙ୍ଗି ପଡିଥିଲା ସଭାମଂଚ । ଫଳରେ ମଂଚାସୀନ ସମସ୍ତ ଅତିଥି ତଳକୁ ଖସି ପଡିଥିଲେ । ଏଭଳି ଅଘଟଣକୁ ନେଇ ସମସ୍ତେ ଚକିତ ହୋଇଥିଲେ । ଅପ୍ରିତିକର ପରିସ୍ଥିତି ଉପୁଜିବାରୁ କିଛି ସମୟ ପାଇଁ କୋଳାହଳ ଲାଗିରହିଥିଲା । ଖଣ୍ଡପଡା ବ୍ଲକ ବାଣପୁର ନିକଟ ମହାନଦୀରୁ ୨୨ କୋଟି ଟଙ୍କା ବ୍ୟୟରେ ନୟାଗଡ ସହରବାସୀଙ୍କ ପାଇଁ ପାନୀୟ ଜଳ ପ୍ରକଳ୍ପ କରାଯାଇଛି । ଏହାର ଉଦଘାଟନୀ ଉତ୍ସବ ଲାଗି ଗତକାଲି ସଂଧ୍ୟାରେ ପୁରୁଣା ବସଷ୍ଟାଣ୍ଡରେ ଆୟୋଜନ ହୋଇଥିଲା ବିରାଟ ସମାରୋହ । ମୁଖ୍ୟ ଅତିଥି ଭାବେ ପଂଚାୟତିରାଜ ମନ୍ତ୍ରୀ ଅରୁଣ ସାହୁ ସଭାରେ ଯୋଗ ଦେଇଥିବାବେଳେ ଅତିଥିମାନେ ମଂଚାସୀନ ହେବା ପରେ ହଠାତ ଗଳି ପଡିଥିଲା ମଂଚ । ସରକାରୀ କାର୍ଯ୍ୟକ୍ରମରେ ଏଭଳି ଅବ୍ୟବସ୍ଥା ଦେଖି ହତବାକ୍ ହୋଇଯାଇଥିଲେ ସମସ୍ତେ । ମଂଚ ସଜାଡିବା ସ୍ଥିତିରେ ନଥିବାରୁ ତଳେ ଛିଡା ହୋଇ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରିଥିଲେ ମନ୍ତ୍ରୀ ଅରୁଣ ସାହୁ । କେହି କେହି ଏହାକୁ ଯୋଜନାବଦ୍ଧ ଷଡଯନ୍ତ୍ର ବୋଲି ଅଭିଯୋଗ କରିଥିଲେ ମଧ୍ୟ ମନ୍ତ୍ରୀ ଅରୁଣ ସାହୁ, ଏହାକୁ ଛୋଟିଆ କଥା କହି ଏଡାଇ ଯାଇଥିଲେ । ଟେଂଟ ହାଉସ ଠିକରେ ମଂଚ ବାନ୍ଧି ନଥିବା କହି ନିଜ ଅଭିଭାଷଣ ରଖିଥିଲେ । ତେବେ ଏକ ସରକାରୀ କର୍ଯ୍ୟକ୍ରମରେ ସଭାମଂଚ ଭାଙ୍ଗିଯିବା ଓ ଅତିଥି ମାନେ ଏଭଳି ହଟହଟା ହେବାକୁ ନେଇ ଅସନ୍ତୋଷ ଦେଖାଦେଇଛି ।