ବାହୁବଳୀ ନେତାଙ୍କ ରାଜପ୍ରାସାଦରେ ଚାଲିଲା ବୁଲଡୋଜର

33

କେନ୍ଦୁଝରରେ ଆରମ୍ଭ ହୋଇଛି ବାହୁବଳି ବିଧାୟକ ସନାତନ ମହାକୁଡଙ୍କ ଜବର ଦଖଲଉଚ୍ଛେଦ । ୨୫ ପ୍ଲାଟୁନ ପୋଲିସ ଫୋର୍ସ ଉପସ୍ଥିତିରେ ବେଆଇନ ଭାବେ ତିଆରି ହୋଇଥିବା ପାଚେରିକୁ ଭାଙ୍ଗିବା ଆରମ୍ଭ କରିଛି ପ୍ରଶାସନ । ପାଚେରୀକୁ ଲାଗି ୫୦୦ ମିଟର ଅଂଚଳରେ ୧୪୪ ଧାରା ଜାରି କରାଯାଇଛି । ୨ ଜଣ ଏଡିଏମ, ଏସପି ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି । ୫ ଏକରରୁ ଅଧିକ ସରକାରୀ ଜମିରେ ବିଧାୟକ ସନାତନ ମହାକୁଡ ବେଆଇନ ଭାବେ ନିର୍ମାଣ କରିଥିବା ବିରାଟ ଅଟ୍ଟାଳିକା ଓ ପାହାଡ ପରି ପାଚେରିକୁ ଭାଙ୍ଗି ମାଟିରେ ମିଶାଇ ଦେବାକୁ ପ୍ରସ୍ତୁତି କରିଛି ଜିଲ୍ଲା ପ୍ରଶାସନ । କୋର୍ଟଙ୍କ  ନିର୍ଦେଶକ୍ରମେ ଏହି ଜବରଦଖଲ ଜମିକୁ ନିଜ ଅକ୍ତିଆରକୁ ନେବା ପାଇଁ  ପୁଲିସ ବଳ ଓ ସରକାରୀ କଳ, ସନାତନ ମହାକୁଡଙ୍କ ସହ ମୁହାଁମୁହିଁ ହେବାକୁ ଅଂଟା ଭିଡିଛି । କେନ୍ଦୁଝର ଜିଲ୍ଲା ବଡବିଲ ତହସିଲ ଅଂଚଳ ଉଚ୍ଛବାଲି ମୌଜାରେ ପ୍ରାୟ ୫ ଏକର ସରକାରୀ ଜମିକୁ ଜବରଦଖଲ କରି ବିରାଟ ଅଟ୍ଟାଳିକା ଓ ଏହା ଚାରିପାଖରେ ପାଚେରି ତିଆରି କରିଛନ୍ତି ବାହୁବଳି ବିଧାୟକ ସନାତନ ମହାକୁଡ । ୧୯୮୦ ମସିହାରୁ ଖଣିଜ ସଂପଦରେ ଭରପୁର ଏହି ସର୍ବସାଧାରଣ ସଂପତିକୁ କବଜା କରିଛନ୍ତି କେନ୍ଦୁଝରର ଏହି ବିତଶାଳୀ ବିଧାୟକ । ପରେ ଏହାକୁ ଜଗତଜନନୀ ଟ୍ରଷ୍ଟ ନାଁରେ କରାଇ ଏକ ମନ୍ଦିର ମଧ୍ୟ ତୋଳିଛନ୍ତି ।