ଦିଲ୍ଲୀ ରାଜନୀତିରେ ହଲଚଲ : ଆମ ଆଦମୀ ପାର୍ଟିର ୨୦ ବିଧାୟକଙ୍କ ସଦସ୍ୟତା ରଦ୍ଧ ପାଇଁ ରାଷ୍ଟ୍ରପତିଙ୍କୁ ସୁପାରିଶ କଲେ ନିର୍ବାଚନ କମିଶନ

34

କନକ ବ୍ୟୁରୋ :  ଅଫିସ ଅଫ୍ ପ୍ରଫିଟ୍ ବା ଲାଭଜନକ ପଦବୀ ହାତେଇବା ଅଭିଯୋଗରେ ଆମ୍ ଆଦମୀ ପାର୍ଟିର ୨୦ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ କମିଶନ୍ । ଏଥିସହ ସୁପାରିଶକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ପଠାଇ ଦେଇଛନ୍ତି । ରାଷ୍ଟ୍ରପତି ଏହି ସୁପାରିଶରେ ମୋହର ମାରିବା ପ୍ରାୟ ସୁନିଶ୍ଚିତ । କାରଣ ନିର୍ବାଚିତ ଜନପ୍ରତିନିଧିଙ୍କ ସଭ୍ୟପଦ ରଦ୍ଦ ଲାଗି ରାଷ୍ଟ୍ରପତି ହିଁ ନିର୍ବାଚନ କମିଶନଙ୍କ ନିକଟକୁ ପଠାଇଥାନ୍ତି । ଏବଂ ନିର୍ବାଚନ କମିଶନ ନିଜ ମତାମତ ଦେବା ପରେ ରାଷ୍ଟ୍ରପତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାନ୍ତି । ଏଠାରେ କିନ୍ତୁ ବାଜି ଓଲଟା । ଲାଭଜନକ ପଦପଦବୀରେ ଥିବା ୨୧ ବିଧାୟକଙ୍କୁ ନିର୍ବାଚନ କମିଶନ ନୋଟିସ କରିଥିଲେ । ଜଣେ ଇସ୍ତଫା ଦେଇଦେବା ପରେ ଏବେ ୨୦ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ନିର୍ବାଚନ ଆୟୋଗ ।

ଦିଲ୍ଲୀ ସରକାରରେ ଥିବା ମନ୍ତ୍ରୀମାନଙ୍କୁ ସହାୟତା କରିବା ଲାଗି ୨୧ଜଣ ବିଧାୟକଙ୍କୁ ସଂସଦୀୟ ସଚିବ ଭାବେ ନିଯୁକ୍ତ କରାଯାଇଥିଲା । ଏପରିକି ଏହାକୁ ବୈଧ କରିବା ଲାଗି ଆଇନ ଆଣିଥିଲେ କେଜ୍ରିୱାଲ ସରକାର । ଯାହାକୁ ଫେରାଇ ଦେଇଥିଲେ ରାଷ୍ଟ୍ରପତି । ସାମ୍ବିଧାନିକ ବିଧି ବ୍ୟବସ୍ଥା ଅନୁସାରେ କେବଳ ମୁଖ୍ୟମନ୍ତ୍ରୀଙ୍କୁ ସହାୟତା କରିବା ପାଇଁ ଜଣେ ମାତ୍ର ସଂସଦୀୟ ସଚିବ ରହିବା କଥା । ହେଲେ ଏହାକୁ ଉଲ୍ଲଂଘନ କରି ୨୧ ବିଧାୟକଙ୍କୁ ଲାଭଜନକ ପଦବୀରେ ରଖାଯାଇଥିବାରୁ ନିର୍ବାଚନ କମିଶନଙ୍କୁ ଫେରାଦ ହୋଇଥିଲେ ଦିଲ୍ଲୀର ଜଣେ ଆଇନଜୀବୀ ପ୍ରଶାନ୍ତ ପଟେଲ । କଂଗ୍ରେସ ମଧ୍ୟ ଏମାନଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ଦାବି କରିଥିଲା ।

ନିର୍ବାଚନ କମିଶନଙ୍କ ନିଷ୍ପତ୍ତିକୁ କଡା ଭାଷାରେ ଟିପ୍ପଣୀ କରିଛି ଆମ ଆଦମୀ ପାର୍ଟି । ଦଳ ବିରୋଧରେ ଏହା ନିର୍ବାଚନ କମିଶନଙ୍କ ଷଡଯନ୍ତ୍ର ବୋଲି କହିଛି ଦଳ । ଏପରିକି ନିର୍ବାଚନ କମିଶନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଚିଠିବାକ୍ସ ଭଳି କାମ କରିଛନ୍ତି ବୋଲି ଦଳ କହିଛି । ନିର୍ବାଚନ ଆୟୋଗର ଅଧ୍ୟକ୍ଷ ଅଚଳ କୁମାର ଜ୍ୟୋତି ଅବସର ନେବା ଆଗରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଋଣ ଶୁଝିଥିବା ଦଳ ଅଭିଯୋଗ ବାଢିଛି ।

୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭାରେ ଆପର ଅଛନ୍ତି ୬୭ ସଦସ୍ୟ । ୨୦ ଜଣ ବିଧାୟକ ଅଯୋଗ୍ୟ ହେବା ପରେ ଆପ ନିକଟରେ ୪୭ ସଦସ୍ୟଙ୍କ ସମର୍ଥନ ରହିବ । ମ୍ୟାଜିକ ନମ୍ବର ୩୬ ଥିବାରୁ କେଜ୍ରିୱାଲ ସରକାରଙ୍କ ପାଇଁ ସମସ୍ୟା ହେବନାହିଁ । କିନ୍ତୁ ଏହି ୨୦ଟି ଆସନରେ ହେବ ଉପନିର୍ବାଚନ । ଏବଂ ମାତ୍ର ବର୍ଷକର ଆପ୍ ସରକାରଙ୍କ ପ୍ରଦର୍ଶନର ଏକ ବଡ ପରୀକ୍ଷା ହେବ ବୋଲି କୁହାଯାଉଛି ।