ବିଜେପି ବନାମ ବିଜୟ ବିବାଦ ଭିତରେ କେନ୍ଦ୍ରାପଡା ଆସୁଛନ୍ତି ବିଜେପି ସାଂସଦ ଅନୁରାଗ ଠାକୁର ! ଦଳୀୟ କର୍ମୀଙ୍କ ସହ କରିବେ ଆଲୋଚନା

36

କନକ ବ୍ୟୁରୋ : ବିଜୟ ମହାପାତ୍ରଙ୍କୁ ନେଇ କେନ୍ଦ୍ରାପଡା ଜିଲ୍ଲା ବିଜେପି ରାଜନୀତି ଉଷ୍ଣ ହୋଇଛି । ବିଜୟଙ୍କ ସମର୍ଥକ ଓ ବିରୋଧୀ ଗୋଷ୍ଠୀ ପକ୍ଷରୁ କୁଶପୁତଳିକା ଦାହ ପ୍ରତିଯୋଗିତା ଚାଲିଛି । ଗତକାଲି ବିଜୟଙ୍କ ସମର୍ଥକ ଧର୍ମେନ୍ଦ୍ରଙ୍କ କୁଶପୁତଳିକା ପେଡିଥିବା ବେଳେ ଧର୍ମେନ୍ଦ୍ରଙ୍କ ସମଥର୍କ ମଧ୍ୟ ବିଜୟଙ୍କ କୁଶପୁତଳିକା ଜାଳିଥିଲେ । ଯାହାକୁ ନେଇ ଆରମ୍ଭ ହୋଇଥିଲା ରାଜନୈତିକ ଚର୍ଚ୍ଚା । ଏହା ଭିତରେ ଆଜି କେନ୍ଦ୍ରାପଡା ଆସୁଛନ୍ତିି ବିଜେପିର କେନ୍ଦ୍ରିୟ ନେତା ତଥା ସାଂସଦ ଅନୁରାଗ ଠାକୁର । ଅନୁରାଗ କେନ୍ଦ୍ରାପଡାରେ ଦଳୀୟ କର୍ମୀଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । କୁହାଯାଉଛି ବିଜୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଜିଲ୍ଲା ବିଜେପିି ପକ୍ଷରୁ ସୁପାରିଶ କରାଯିବା ପରେ ଅନୁରାଗ କେନ୍ଦ୍ରାପଡା ଆସୁଛନ୍ତି ।

ଗତ ଶୁକ୍ରବାର ଜିଲ୍ଲା କମିଟିରୁ ବିଜୟଙ୍କୁ ବହିଷ୍କାର କରିଥିଲେ ବିଜେପି ଜିଲ୍ଲା ସଭାପତି ଦୁର୍ଯ୍ୟୋଧନ ସାହୁ । ମିଶ୍ରଣ ପର୍ବରେ ବିଜୟଙ୍କ ସମର୍ଥକ ବିଜେପିର ଅନ୍ୟ ଗୋଷ୍ଠୀକୁ ମାଡ ମାରିବା ପରେ ବିଜୟଙ୍କୁ ଜିଲ୍ଲା କମିଟିରୁ ବହିଷ୍କାର କରାଯାଇଥିଲା । ଏହା ପରଠାରୁ ଲଗାତାର ଭାବେ ବିଜୟଙ୍କ ସମର୍ଥକ ଓ ବିରୋଧୀ ଗୋଷ୍ଠୀ ଭିତରେ ଲାଗିରହିଛି ଛକାପଞ୍ଝା । କେହି କାହାକୁ ଛାଡିବାକୁ ପ୍ରସ୍ତୁତ ନାହାନ୍ତି । ଏପରିକି ବହିଷ୍କାର ନେଇ ବିଜୟ କହିଛନ୍ତି ଜିଲ୍ଲା କମିଟିରୁ ତାଙ୍କୁ ବାଦ ଦେଇଥିବାରୁ ଧନ୍ୟବାଦ । ଦଳକୁ ଟାର୍ଗେଟ କରି କହିଛନ୍ତି, ବିଜୟଙ୍କ ସହ ଲଢିବା ଏବେ ରାଜ୍ୟ ନେତୃବୃନ୍ଦଙ୍କ ଏକ ମୁଖ୍ୟ ମୁଦ୍ଦା ପାଲଟିଛି । ତେବେ ଏସବୁ ରାଜନୈତିକ ଛକାପଞ୍ଝା ଭିତରେ ଅନୁରାଗ ଠାକୁରଙ୍କ କେନ୍ଦ୍ରାପଡା ଗସ୍ତକୁ ନେଇ ଜୋର ଧରିଛି ରାଜନୀତି ।