ପୋଲିସ ଛାଉଣୀରେ ଦାମଙ୍କ ବାସଭବନ ! ଘେରାଉ ପୂର୍ବରୁ ବ୍ରାହ୍ମଣ ମହାସଂଘର ୫୦ ସଭ୍ୟଙ୍କୁ ଉଠାଇନେଲା ପୋଲିସ

26

କନକ ବ୍ୟୁରୋ : ଥମୁନି ଦାମ ବିବାଦ । ଆଜି ବଜେଡି ନେତା ଦାମୋଦର ରାଉତଙ୍କଙ୍କ ଭୁବନେଶ୍ୱର ବାସଭବନ ଘେରାଉ କରିବା ପୂର୍ବରୁ ବ୍ରାହ୍ମଣ ମହାସଂଘର ୫୦ ସଭ୍ୟଙ୍କୁ ଶିଶୁ ଭବନ ଛକରେ ଅଟକ ରଖାଯାଇଛି । ଆଇନ ଶୃଙ୍ଖଳା ପରିସ୍ଥିତିକୁ ନଜରରେ ରଖି ଦାମଙ୍କ ବାସଭବନ ଆଗ ପୋଲିସ ଛାଉଣୀରେ ପରିଣତ ହୋଇଛି । କମିଶନରେଟ ପୋଲିସ ପକ୍ଷରୁ ଦାମ ରାଉତଙ୍କ ବାସଭବନ ଆଗରେ ଦୁଇ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛି । ଦାମ ରାଉତଙ୍କ ବାସଭବନ ଘେରାଉ କରିବା ପାଇଁ ପୂର୍ବରୁ ବ୍ରାହ୍ମଣ ସମାଜ ପକ୍ଷରୁ ଡାକରା ଦିଆଯାଇଥିଲା । ବିବାଦୀୟ ବୟାନ ପାଇଁ ଦାମ ରାଉତଙ୍କୁ ପ୍ରାୟଶ୍ଚିତ କରିବା ଆବଶ୍ୟକ ବୋଲି ବ୍ରାହ୍ମଣ ସମାଜ ପକ୍ଷରୁ କୁହାଯାଇଛି ।

ତେବେ ଏସବୁ ଭିତରେ ମନ୍ତ୍ରୀ ପ୍ରଫୁଲ ସାମଲ ଆଜି ଦାମଙ୍କ ଘରକୁ ଯାଇ ଭେଟିଛନ୍ତି । ଜିଲ୍ଲା ପଯ୍ୟବେକ୍ଷକ ଭାବେ ସେ ଦାମଙ୍କୁ ଭେଟିଥିବା କହିଛନ୍ତି ପ୍ରଫୁଲ । ପ୍ରଫୁଲ ସାମଲ ଦାମଙ୍କୁ ଭେଟିବା ପରେ ଆରମ୍ଭ ହୋଇଛି ଚର୍ଚ୍ଚା ।ତେବେ ଜାତିଆଣ ମନ୍ତବ୍ୟ ପାଇଁ ଶୁକ୍ରବାର ଦାମଙ୍କ ମନ୍ତ୍ରୀ ପଦ ଯାଇଥିଲା , ଶନିବାର ଦଳୀୟ ପଦରୁ ବିଦା କରିଥିଲେ ବିଜେଡି ସୁପ୍ରିମୋ । ୨୪ ଘଣ୍ଟା ମଧ୍ୟରେ ଦାମଙ୍କର ଏକରକମ ପକ୍ଷଛେଦନ କରାଯାଇଥିଲା । ଯାହା ରାଜ୍ୟ ରାଜନୀତିକୁ ଗରମ କରିଥିଲା । ନିକଟରେ ମାଲକାନଗିରିରେ ବ୍ରାହ୍ମଣଙ୍କ ସଂପର୍କରେ ଏକ ଅଶାଳିନ ମନ୍ତବ୍ୟ ଦେଇଥିଲେ । ଯାହା ଏବେ ତାଙ୍କୁ ମହଙ୍ଗା ପଡ଼ିଛି ।