ରୂପେଲି ପରଦାରୁ ରାଜନୀତି ! ଆଜି ବିଜେପିରେ ମିଶିବେ ଓଲିଉଡ ତାରକା ମିହିର ଦାସ ଏବଂ ଅନୁ ଚୌଧୁରୀ

36

କନକ ବ୍ୟୁରୋ: ଆଜି ବିଜେପିରେ ସାମିଲ ହେବେ ଓଲିଉଡର ବିଶିଷ୍ଟ ଅଭିନେତା ମିହିର ଦାସ ଓ ଅଭିନେତ୍ରୀ ଅନୁ ଚୌଧୁରୀ । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆନୁଷ୍ଠାନିକ ଭାବେ ସେମାନେ ବିଜେପିରେ ଯୋଗ ଦେବେ ବୋଲି କହିଛନ୍ତି ଦଳୀୟ ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ । ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶ ବିକାଶ ପଥରେ ଆଗେଇ ଥିବାରୁ ବିଜେପି ପ୍ରତି ଆକର୍ଷିତ ହୋଇଥିବା କହିଛନ୍ତି ଏହି ଦୁଇ ସିନେ କଳାକାର ।

ବିଜେପିରେ ମିଶି ଲୋକଙ୍କ ପାଇଁ କାମ କରିବାକୁ ଆଗ୍ରହୀ ବୋଲି ପ୍ରତିକ୍ରିୟାରେ କହିଛନ୍ତି ମିହିର ଦାସ । ଏତେ ଦିନର ଶାସନ ପରେ ବି ଓଡିଶା ପଛୁଆ ରାଜ୍ୟ ହୋଇ ରହିବା ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି । ଏହା ସହ କଳା ଓ ସଂସ୍କୃତିର ବିକାଶ ପାଇଁ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଉନଥିବା କ୍ଷୋଭର ସହ କହିଛନ୍ତି ଓଲିଉଡର ଏହି ଲୋକପ୍ରିୟ ଅଭିନେତା ।

ପୂର୍ବରୁ ମିହିର ଦାସ ବିଜେଡିରେ ଆନୁଷ୍ଠାନିକ ଯୋଗ ଦେଇନଥିଲେ ମଧ୍ୟ ଦଳ ପାଇଁ ପ୍ରଚାର କରିଥିଲେ । ଏବେ ପଦ୍ମ ପୋଖରୀକୁ ଡେଇଁବାକୁ ମନ ବଳାଇଛନ୍ତି । ଆଜି ବିଜେପିର ମିଶ୍ରଣ କାର୍ଯ୍ୟକ୍ରମରେ ମିହିର ଦାସଙ୍କ ସମେତ ଅଭିନେତ୍ରୀ ଅନୁ ଚୌଧୁରୀ ଓ ପୂର୍ବତନ ବିଜେଡି ବିଧାୟକ ରମାରଂଜନ ବଳିଆରସିଂହ ମଧ୍ୟ ଯୋଗ ଦେବେ ବୋଲି ଜଣାପଡିଛି ।