ନବୀନଙ୍କୁ ନେଇ ମମତାଙ୍କ ମାଷ୍ଟରପ୍ଲାନ୍ ! ଇଣ୍ଡିଆଟୁଡେ କନକ୍ଲେଭରେ କହିଲେ, ବିଜେଡିକୁ ନେଇ ମୋଦିଙ୍କ ବିରୋଧରେ କରିବେ ମହାମେଣ୍ଟ

17

କନକ ବ୍ୟୁରୋ : ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନେଇ ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମାଷ୍ଟରପ୍ଲାନ୍ । ଆଜି ଇଣ୍ଡିଆ ଟୁଡେର କନକ୍ଲେଭରେ ମୋଦି ବିରୋଧୀ ମହାମେଂଟ ପାଇଁ ସଂକେତ ଦେଇଛନ୍ତି ମମତା । କହିଛନ୍ତି, ବିଜେଡି, ଡିଏମକେ, ସମାଜବାଦୀ ପାର୍ଟି ଓ ବହୁଜନ ସମାଜପାର୍ଟି ସହ ସେ ଏନେଇ ସମ୍ପର୍କରେ ଅଛନ୍ତି । ସମସ୍ତେ ମିଶି ମୋଦି ବିରୋଧୀ ମେଂଟ ଗଠନ କରିବା ପାଇଁ ମମତା ଆହ୍ୱାନ ଦେଇଛନ୍ତି । ଗୋଟିଏ ପଟେ ଓଡିଶାରେ ବିଜେପି, ବିଜେଡିର ମୁଖ୍ୟ ଶତ୍ରୁ ପାଲଟିଥିବା ବେଳେ ମମତାଙ୍କ ଏଭଳି ପ୍ଲାନ୍, ଚର୍ଚ୍ଚା ପାଇଁ ଖୋରାକ ଯୋଗାଇଛି ।

mamata and naveen meetଜାତୀୟ ରାଜନୀତିର ସମୀକରଣରେ ବଡ ପରିବର୍ତ୍ତନ ପାଇଁ ମମତାଙ୍କ ପ୍ରୟାସ । ମୋଦିଙ୍କ ସହ ଲଢିବାକୁ ଅଣ୍ଟା ଭିଡିଲେଣି ମମତା । ଏଥିପାଇଁ ମୋଦିଙ୍କ ବିରୋଧରେ ମେଣ୍ଟ କରିବେ ମମତା । ଆଉ ମୋଦିଙ୍କ ବିରୋଧରେ ଏହି ମାଷ୍ଟର ପ୍ଲାନରେ ବିଜେଡିକୁ ରଖିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ।କୋଲକାତାରେ ଇଣ୍ଡିଆ ଟୁଡେ ର ଏକ କାର୍ଯ୍ୟକ୍ରମରେ ମୋଦି ବିରୋଧୀ ମେଣ୍ଟର ନକ୍ସା ଖୋଲିଛନ୍ତି ମମତା । ସେ କହିଛନ୍ତି, ଡିଏମକେ, ସମାଜବାଦୀ ପାର୍ଟି, ବହୁଜନ ସମାଜବାଦୀ ପାର୍ଟି ଓ ବିଜୁ ଜନତା ଦଳର ସୁପ୍ରିମୋଙ୍କ ସହ ତାଙ୍କର ଭଲ ସର୍ମ୍ପକ ରହିଛି । ଏହା କହି ଏକ ଜାତୀୟ ସ୍ତରରେ ମେଣ୍ଟ କରିବା ପାଇଁ ମମତା ଇଙ୍ଗିତ କରିଛନ୍ତି ।

ଯଦି ଓଡ଼ିଶା କଥା ଦେଖିବା ତେବେ ରାଜ୍ୟରେ ଶାସକ ବିଜେଡିର ଏବେ ମୁଖ୍ୟଶତ୍ରୁ ପାଲଟିଛି ବିଜେପି । ସବର୍ଦା ଚୁପ ରହୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ସିଧାସିଧା କେନ୍ଦ୍ର ସରକାରଙ୍କୁ ଆକ୍ରମଣ କରୁଛନ୍ତି । ବିଜେଡି ପାଇଁ ଏବେ ବିଜେପିର ଶକ୍ତିବୃଦ୍ଧି ଚିନ୍ତାର କାରଣ ପାଲଟିଛି । ତେଣୁ ଏଭଳି ସ୍ଥିତିରେ ବିଜେଡି ମୋଦି ବିରୋଧୀ ମେଣ୍ଟରେ ରହିବା ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି ।

mamataତେବେ ଏହାସହ ମମତା ଆଉ ଏକ ପାଦ ଆଗକୁ ଯାଇ କହିଛନ୍ତି ସେ ଦୁଇ ଦଶନ୍ଧି ଧରି ସାଂସଦ ଥିଲେ ମଧ୍ୟ ଏଭଳି ସରକାର କେବେ ଦେଖି ନାହାନ୍ତି । ଏହାସହ ସେ କହିଛନ୍ତି, ବର୍ତ୍ତମାନର କେନ୍ଦ୍ର ସରକାର ଅଧିନରେ ଆମ ଦେଶର ଗଣତନ୍ତ୍ର ବିପଦରେ ରହିଛି । ଏହା ଏକ ସୁପର ଇମର୍ଜେନ୍ସି ଭଳି ସ୍ଥିତି । ତେବେ ମମତାଙ୍କ ମାଷ୍ଟରପ୍ଲାନକୁ ବିଜେଡି କିଭଳି ଭାବେ ଗ୍ରହଣ କରିବ ତାହା ସବୁଠାରୁ ବଡ ପ୍ରଶ୍ନ ।

କାରଣ ମୋଦିଙ୍କ ବିରୋଧରେ ପୁର୍ବରୁ ମଧ୍ୟ ଯେଉଁ ମେଣ୍ଟର ପରିକଳ୍ପନା କରାଯାଇଥିଲା ସେଥିରୁ ଦୂରେଇ ରହିଥିଲେ ନବୀନ । ସେତେବେଳେ ମଧ୍ୟ ଏହି ମେଣ୍ଟ ଏତେ ସଫଳ ହୋଇନଥିଲା । ଉତ୍ତର ପ୍ରଦେଶରେ ଏହାର ଝଲକ ମଧ୍ୟ ଦେଖିବାକୁ ମିଳିଥିଲା । କଂଗ୍ରେସ ଓ ସମାଜବାଦୀ ପାର୍ଟି ମୋଦିଙ୍କ ବିଜୟ ରଥକୁ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଏଥିରେ ସଫଳ ହୋଇନଥିଲେ ।