ଓଡିଶା ନିର୍ବାଚନ ଇତିହାସର ପ୍ରଥମ ଘଟଣା ! ଗୃହରେ ମହିଳାଙ୍କ ସଂଖ୍ୟା ଥିଲା ଶୂନ, ଜଣେ ବି ହୋଇନଥିଲେ ନିର୍ବାଚିତ । 

68

କନକ ବ୍ୟୁରୋ : (ସ୍ୱରାଜ ମିଶ୍ର) : ରାଜନୈତିକ ଦଳମାନେ ଅଧିକରୁ ଅଧିକ ମହିଳାଙ୍କୁ ନିର୍ବାଚନରେ ଲଢ଼ିବା ପାଇଁ ଟିକେଟ ଦେବା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । କିନ୍ତୁ ଏ କଥା ମଧ୍ୟ ସତ ଯେ, ଓଡ଼ିଶା ବିଧାନସଭାରେ ଏ ପର୍ଯ୍ୟନ୍ତ ମହିଳା ସଦସ୍ୟଙ୍କ ସଂଖ୍ୟା ମୋଟ ଆସନର ୧୦ ପ୍ରତିଶତ ମଧ୍ୟ ଛୁଇଁ ପାରିନାହିଁ । ଥରେ ତ ଏଭଳି ହୋଇଥିଲା ଯେ ଓଡ଼ିଶା ବିଧାନସଭାକୁ ଜଣେ ବି ମହିଳା ନିର୍ବାଚିତ ହୋଇ ଆସିପାରି ନଥିଲେ । ସେତେବେଳର ୧୪୦ ଜଣିଆ ବିଧାନସଭା ଗୃହରେ ମହିଳାଙ୍କ ସଂଖ୍ୟା ଥିଲା ‘ଶୂନ’। ଓଡ଼ିଶା ନିର୍ବାଚନ ଇତିହାସରେ ଏହି ପ୍ରଥମ ଓ ଏକମାତ୍ର ଦୁର୍ଭାଗ୍ୟଜନକ ‘ମହିଳାମରୁଡ଼ି’ ଘଟଣାଟି ଘଟିଥିଲା ୧୯୭୧ରେ ।

ସ୍ୱାଧୀନତା ପରର ପଞ୍ଚମ ବିଧାନସଭା ନିର୍ବାଚନ ବେଳର କଥା । ୧୯୭୧ ମସିହା ମାର୍ଚ୍ଚ ମାସ ୫ ତାରିଖରେ ଓଡ଼ିଶାର ସମସ୍ତ ୧୪୦ଟି ଆସନ ପାଇଁ ନିର୍ବାଚନ ହୋଇଥାଏ । ଏଥିରେ ମୋଟ ୮୩୫ ଜଣ ପ୍ରାର୍ଥୀ ପ୍ରତିଦ୍ଵନ୍ଦ୍ୱିତା କରିଥିଲେ । ସେମାନଙ୍କ ଭିତରେ ଥିଲେ ମୋଟ ୧୨ ଜଣ ମହିଳା । ଯଦିଓ ମୋଟ ୧୭ ଜଣ ମହିଳା ନାମାଙ୍କନ ପତ୍ର ଦାଖଲ କରିଥିଲେ, ସେମାନଙ୍କ ମଧ୍ୟରୁ ଜଣଙ୍କର ପ୍ରାର୍ଥୀପତ୍ର ନାକଚ ହୋଇଥିଲାଏବଂ ଚାରି ଜଣ ସେମାନଙ୍କର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରି ନେଇଥିଲେ ।

ଏହି ୧୨ଜଣଙ୍କ ମଧ୍ୟରେ ବେଶ୍ କେତେଜଣ ପ୍ରତିଷ୍ଠିତ ନେତ୍ରୀ ମଧ୍ୟ ଥିଲେ । ବିଶେଷ କରି ଆଠଗଡ଼ରେ ସ୍ୱତନ୍ତ୍ର ଦଳର ଟିକେଟରେ ଲଢ଼ୁଥିଲେ ରାଣୀ ରାସମଞ୍ଜରୀ ଦେବୀ, ଭଟଲିରେ ଲଢୁଥିଲେ ଉତ୍କଳ କଂଗ୍ରେସ ପ୍ରାର୍ଥୀ ପୂର୍ବତନ ମନ୍ତ୍ରୀ ସରସ୍ୱତୀ ପ୍ରଧାନ ଏବଂ ସୁକିନ୍ଦାରେ ଜନ କଂଗ୍ରେସ ପ୍ରାର୍ଥୀ ଆନନ୍ଦମଞ୍ଜରୀ ଦେବୀ । ଏହାଛଡ଼ା ଖଲ୍ଲିକୋଟରେ କଂଗ୍ରେସ ଦଳର ଚନ୍ଦ୍ରପ୍ରିୟା ମର୍ଦ୍ଦରାଜ, ପାଲଲହଡ଼ାରେ ସ୍ୱତନ୍ତ୍ର ଦଳର କମଳକୁମାରୀ ଦେବୀ, ଚୌଦ୍ଵାରରେ ଜନ କଂଗ୍ରେସର ବସନ୍ତକୁମାରୀ ଦେବୀ, ପିପିଲିରେ ଜନକଂଗ୍ରେସ ପ୍ରାର୍ଥୀ କୁନ୍ତଳାକୁମାରୀ ଆଚାର୍ଯ୍ୟ ଏବଂ ବାଲିକୁଦାରେ ପିଏସପିର ମୀରା ଦାସ ପ୍ରମୁଖ ପ୍ରତିଦ୍ଵନ୍ଦ୍ୱିତାରେ ଥିଲେ । ଆଶା କରାଯାଉଥିଲା ଏମାନଙ୍କ ଭିତରୁ କେତେ ଜଣ ନିଶ୍ଚୟ ନିର୍ବାଚିତ ହେବେ । ମାତ୍ର ଭୋଟ ଗଣତି ପରେ ଫଳାଫଳ ଦେଖିଲାବେଳକୁ ଏମାନଙ୍କ ଭିତରୁ ଜଣଙ୍କର ବି ନାଁ ନଥିଲା ।

ଆଠଗଡ଼ରେ ସ୍ୱତନ୍ତ୍ର ଦଳର ରାସମଞ୍ଜରୀ ଦେବୀ ଓ ସୁକିନ୍ଦାରେ ଜନକଂଗ୍ରେସର ଆନନ୍ଦମଞ୍ଜରୀ ଦେବୀ ଦ୍ଵିତୀୟ ସ୍ଥାନରେ ରହିଥିଲେ । ରାସମଞ୍ଜରୀ ସ୍ୱାଧୀନ ପ୍ରାର୍ଥୀ ରାଧାନାଥ ରଥଙ୍କ ଠାରୁ ମାତ୍ର ୯୪୯ ଖଣ୍ଡ ଭୋଟରେ ନିର୍ବାଚନ ହାରିଥିବାବେଳେ, ୧୯୬୭ରେ ସୁକିନ୍ଦାରୁ ଜିଣିଥିବା ଆନନ୍ଦମଞ୍ଜରୀ ଉତ୍କଳ କଂଗ୍ରେସର ସନାତନ ଦେଓଙ୍କଠାରୁ ମାତ୍ର ୨୮୦୫ ଭୋଟରେ ପରାଜିତ ହୋଇଥିଲେ । ସେହିପରି ଚୌଦ୍ଵାରରେ କାହ୍ନୁଚରଣ ଲେଙ୍କା ଓ ବିଜୁ ପଟ୍ଟନାୟକଙ୍କ ମଧ୍ୟରେ କଡ଼ା ପ୍ରତିଦ୍ଵନ୍ଦ୍ୱିତା ଚାଲିଥିଲାବେଳେ, ବସନ୍ତ କୁମାରୀ ଦେବୀ ତୃତୀୟ ସ୍ଥାନରେ ରହିଯାଇଥିଲେ । ସବୁଠାରୁ ବେଶୀ ଦୁର୍ଭାଗ୍ୟଜନକ ଥିଲା ଭଟଲିରେ ସରସ୍ୱତୀ ପ୍ରଧାନଙ୍କର ପରାଜୟ । କାରଣ ଏହି ଆସନରୁ ସରସ୍ୱତୀ ପୂର୍ବରୁ ଦୁଇଥର ୧୯୬୧ ଓ ୧୯୬୭ରେ କଂଗ୍ରେସ ଦଳର ଟିକେଟରେ ବିଜୟଲାଭ କରିଥିଲେ ଏବଂ ୧୯୬୧ ବିଜୁବାବୁଙ୍କ ମନ୍ତ୍ରିମଣ୍ଡଳରେ ଶିକ୍ଷାବିଭାଗର ଉପମନ୍ତ୍ରୀ ମଧ୍ୟ ଥିଲେ । ୧୯୭୧ରେ ସେ ଏହି ଆସନରୁ ନବଗଠିତ ଉତ୍କଳ କଂଗ୍ରେସ ଦଳ ତରଫରୁ ଲଢ଼ିଲେ ଏବଂ କଂଗ୍ରେସ ଦଳର କୁଞ୍ଜବିହାରୀ ନାଏକଙ୍କ ଠାରୁ ହାରି ଚତୁର୍ଥ ସ୍ଥାନରେ ରହିଲେ । ମୋଟାମୋଟି ଏହି ନିର୍ବାଚନରେ ୧୨ ଜଣ ଯାକ ମହିଳା ପ୍ରାର୍ଥୀ ପରାଜୟର ମୁହଁ ଦେଖିବା ଏକ ଦୁର୍ଭାଗ୍ୟପୂର୍ଣ୍ଣ ବିଷୟ ଥିଲା ।

ମାତ୍ର କୌତୂହଳର କଥା, ଓଡ଼ିଶାର ପଞ୍ଚମ ବିଧାନସଭା ଶେଷ ପର୍ଯ୍ୟନ୍ତ ମହିଳାଶୂନ୍ୟ ହୋଇ ରହିନଥିଲା । ୧୯୭୧ରେ ବିଶ୍ୱନାଥ ଦାସଙ୍କ ନେତୃତ୍ଵରେ ଗଠିତ ମିଳିତ ସାମ୍ମୁଖ୍ୟ ମନ୍ତ୍ରିମଣ୍ଡଳ ୧୯୭୨ ଜୁନ୍ ମାସରେ ଇସ୍ତଫା ଦେଲେ ଏବଂ ରାଜ୍ୟରେ କଂଗ୍ରେସ ଦଳର ନୂଆ ମନ୍ତ୍ରିମଣ୍ଡଳ ଶପଥଗ୍ରହଣ କଲେ । ଏହି ମନ୍ତ୍ରିମଣ୍ଡଳର ନେତୃତ୍ଵ ନେଲେ ଜଣେ ମହିଳା, ଯେ କି ଛଅମାସ ମଧ୍ୟରେ ଉପନିର୍ବାଚନ ଜିଣି ବିଧାନସଭାକୁ ଆସିଲେ । ସେ ହେଲେ ପଞ୍ଚମ ଓଡ଼ିଶା ବିଧାନସଭାର ଏକମାତ୍ର ମହିଳା ସଦସ୍ୟା ତଥା ଆମ ରାଜ୍ୟର ପ୍ରଥମ ଓ ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ । ସତେ ଯେମିତି ୧୯୭୧ ବିଧାନସଭା ମହିଳା ମରୁଡ଼ି ଥିଲା ଏମିତି ଏକ ନେତ୍ରୀଙ୍କର ମଞ୍ଚପ୍ରବେଶ ପାଇଁ ଏକ ବିଧିନିର୍ଦ୍ଦିଷ୍ଟ ପୃଷ୍ଠଭୂମି ।

Comments are closed.