କନ୍ନୌଜରୁ ନିର୍ବାଚନ ଲଢିବେ ଅଖିଳେଶ । ପରିବାର ସହ ଆସି ଭରିଲେ ନାମାଙ୍କନ ।

64

କନକ ବ୍ୟୁରୋ: କନ୍ନୌଜରୁ ପୁଣି ନିର୍ବାଚନ ଲଢିବେ ଅଖିଳେଶ ଯାଦବ । ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଲୋକସଭା ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିଛନ୍ତି । ତେବେ ଗୁରୁବାର ପତ୍ନୀ ଡିମ୍ପଲ ଯାଦବ, ଦାଦା ଶିବପାଲ ଯାଦବ ଓ ରାମଗୋପାଳ ଯାଦବଙ୍କ ସହ ସେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ତେବେ ପୂର୍ବରୁ ଏହି ଆସନ ପାଇଁ ଏସପି ତେଜ ପ୍ରତାପ ଯାଦବଙ୍କ ନାଁ ଘୋଷଣା କରିଥିଲା । ହେଲେ ତାଙ୍କ ପ୍ରାର୍ଥୀତ୍ୱକୁ ନେଇ ବିରୋଧ ହେବାରୁ, ଏହି ଆସନରୁ ଶେଷରେ ପ୍ରାର୍ଥୀ ହେଇଛନ୍ତି ନିଜେ ଖୋଦ୍ ଅଖିଳେଶ ଯାଦବ ।

ଅଖିଳେଶଙ୍କ ନାମାଙ୍କନ ଦାଖଲ ସହ କନ୍ନୌଜ ଲୋକସଭା କ୍ଷେତ୍ରରେ ଲଢେଇ ବେଶ ରୋଚକ ହେଇଯାଇଛି । କାହିଁକି, କନ୍ନୌଜ ସପାର ଗଡ ଭାବେ ବେଶ ପରିଚିତ । ଅନ୍ୟପଟେ ଏଠାରୁ ବର୍ତ୍ତମାନ ସାଂସଦ ଥିବା ସୁବ୍ରତ ପାଠକଙ୍କୁ ବିଜେପି ପୁଣିଥରେ ପ୍ରାର୍ଥୀ କରିଛି । ଯିଏକି ୨୦୧୯ ମସିହାରେ ଡିମ୍ପଲଙ୍କୁ ହରାଇ ଏଠାକାର ସାଂସଦ ବନିଥିଲେ । ତେଣୁ ଏଥର ନିର୍ବାଚନରେ ଅଖିଳେଶ ବନାମ ସୁବ୍ରତ ପାଠକ ଦେଖିବାକୁ ମିଳିବ ।

କନ୍ନୌଜ ଆସନରୁ ଅଖିଳେଶ ଯାଦବ ପୂର୍ବରୁ ବି ସାଂସଦ ରହିସାରିଛନ୍ତି । ୨୦୧୨ରେ ସେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ତିନିଥର କନ୍ନୌଜର ସାଂସଦ ରହିଥିଲେ । ୨୦୦୦ ମସିହାରେ ସେ ପ୍ରଥମ କରି ଏହି ଆସନରୁ ସାଂସଦ ନିର୍ବାଚିତ ହେଇଥିଲେ । ଆଉ ଏହାପରେ ଏହି ଆସନରୁ ସେ ଲଗାତାର ବିଜୟ ହାସଲ କରୁଥିଲେ ।

ଅଖିଳେଶ ଯାଦବ ମୁଖ୍ୟମନ୍ତ୍ରୀ ହେବା ପରେ, ଏହି ଆସନ ଖାଲି ପଡିଥିଲା । ଆଉ ଏହାପରେ ଉପ ନିର୍ବାଚନରେ ତାଙ୍କ ପତ୍ନୀ ଡିମ୍ପଲ ଯାଦବ ଏହି ଆସନରୁ ନିର୍ବାଚିତ ହେଇଥିଲେ । ଏପରିକି ୨୦୧୪ର ମୋଦୀ ଲହର ଭିତରେ ଡିମ୍ପଲ ନିର୍ବାଚନ ଜିତିଥିଲେ । ହେଲେ ୨୦୧୯ରେ କିନ୍ତୁ ସୁବ୍ରତ ପାଠକ ତାଙ୍କୁ ପରାଜିତ କରିବା ସହ କନ୍ନୌଜରେ ଉଡିଥିଲା ଗେରୁଆ ପତାକା । ତେଣୁ ଏଥର କନ୍ନୌଜ ଆସନରେ କିଏ ବାଜି ମାରୁଛି ତାହା ଦେଖିବାକୁ ବାକି ରହିଲା ।