ରୋଚକ ହେଉଛି ଲଢ଼େଇ । ବାଙ୍ଗିରିପୋଷିରେ ନଣନ୍ଦ ସଞ୍ଜଳୀ ଓ ଭାଉଜ ରଞ୍ଜିତା ମାର୍ଣ୍ଡିଙ୍କ ମଧ୍ୟରେ ଟକ୍କର

289

କନକ ବ୍ୟୁରୋ: ରୋଚକ ହେଉଛି ରାଜନୀତି । ପରସ୍ପର ବିରୋଧରେ ନିର୍ବାଚନ ଲଢୁଛନ୍ତି ସଂପର୍କୀୟ । ବାଙ୍ଗିରିପୋଷି ଆସନରେ ଦେଖିବାକୁ ମିଳିବ ଦୁଇ ସମ୍ପର୍କୀୟ ପରିବାର ମଧ୍ୟରେ ଲଢେଇ । ଏଠାରେ ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି, ସୁଦାମ ମାର୍ଣ୍ଡିଙ୍କ ପତ୍ନୀ ରଞ୍ଜିତା ମାର୍ଣ୍ଡି । ତାଙ୍କ ବିରୋଧରେ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ସୁଦାମ ମାର୍ଣ୍ଡିଙ୍କ ଦାଦା ସୁଗଦା ମୁର୍ମୁଙ୍କ ଝିଅ ସଞ୍ଜଲି ମୁର୍ମୁ । ସମ୍ପର୍କରେ ସଞ୍ଜଲିଙ୍କ ଭାଉଜ ହେବେ ରଞ୍ଜିତା । ନଣନ୍ଦ ଓ ଭାଉଜ ଉଭୟ ରାଜନୀତିରେ ନୂଆ । ଉଚ୍ଚଶିକ୍ଷିତା ଓ ଯୁବ ଆଦିବାସୀ ଚେହେରା ଭାବେ ସଞ୍ଜଳିଙ୍କୁ ବିଜେପି ଭରସା କରିଛି । ସେହିପରି ଶିକ୍ଷୟିତ୍ରୀ ଚାକିରି ଛାଡି ରାଜନୀତିକୁ ଆସିଛନ୍ତି ରଞ୍ଜିତା । ୨୦୧୯ରେ ଏଠାରେ ଦାଦା-ପୁତୁରା ଲଢେଇ ଦେଖିବାକୁ ମିଳିଥିଲା । ବିଜେପିରୁ ପ୍ରାର୍ଥୀ ହୋଇଥିବା ଦାଦା ସୁଗଦା ମୁର୍ମୁଙ୍କ ବିରୋଧରେ ବିଜେଡି ପ୍ରାର୍ଥୀ ହୋଇଥିଲେ ପୁତୁରା ସୁଦାମ ମାର୍ଣ୍ଡି ।

ସେପଟେ ସମସ୍ତଙ୍କ ନଜର ରହିଛି ମହାରାଷ୍ଟ୍ରର ବରାମତି ଲୋକସଭା ଆସନ ଉପରେ । ଏଠାରେ ମଧ୍ୟ ନଣନ୍ଦ-ଭାଉଜଙ୍କ ମଧ୍ୟରେ ଲଢେଇ ଦେଖିବାକୁ ମିଳିବ । ଏହି ଆସନରେ ଏନସିପିର ପ୍ରତିଷ୍ଠାତା ଶରଦ ପାୱାରଙ୍କ ଝିଅ ସୁପ୍ରିୟା ସୁଲେ ପ୍ରାର୍ଥୀ ହୋଇଛନ୍ତି । ଭାଉଜ ତଥା ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରାଙ୍କ ସହ ତାଙ୍କର ମୁକାବିଲା ହେଉଛି । ଏହି ନିର୍ବାଚନକୁ ଅନେକ ନଣନ୍ଦ ବନାମ ଭାଉଜ ଲଢେଇ କହୁଛନ୍ତି । ଏବେ ଉପମୁଖ୍ୟମନ୍ତ୍ରୀ ଥିବା ଅଜିତ ପାୱାର ଏନସିପିରେ ବିଭାଜନ କରି ନିଜକୁ ପ୍ରକୃତ ଏନସିପିର ଅଧ୍ୟକ୍ଷ ଘୋଷଣା କରିଛନ୍ତି । ଅଜିତ ପାୱାର ହେଉଛନ୍ତି ଶରଦ ପାୱାରଙ୍କ ପୁତୁରା । ତେଣୁ ନଣନ୍ଦ-ଭାଉଜ ଲଢେଇ ପାୱାର ପରିବାର ପାଇଁ ନିର୍ଣ୍ଣାୟକ ହେବ ବୋଲି କୁହାଯାଉଛି ।