ପ୍ରଚାର ମଇଦାନରେ ସ୍ୱାମୀ-ସ୍ତ୍ରୀ । ଟିକେଟ କଟିବା ପରେ ସ୍ତ୍ରୀଙ୍କ ପାଇଁ ପ୍ରଚାର କରୁଛନ୍ତି ସମ୍ବିତ ରାଉତରାୟ ।

1,194

କନକ ବ୍ୟୁରୋ: ସ୍ୱାମୀଙ୍କ ସ୍ଥାନରେ ସ୍ତ୍ରୀଙ୍କୁ ପ୍ରାର୍ଥୀ କରିଛନ୍ତି ଦଳ । ଆଉ ପାଖେ ପାଖେ ରହି ପ୍ରଚାର କରୁଛନ୍ତି ସ୍ୱାମୀ । ଚଳିତ ନିର୍ବାଚନରେ ଅନେକ ସ୍ଥାନରେ କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ବିଶେଷଜ୍ଞ କହୁଛନ୍ତି, ସ୍ତ୍ରୀ ପ୍ରାର୍ଥୀ ହୋଇଛନ୍ତି । କିନ୍ତୁ ସବୁ କଥାରେ ରିମୋଟ ଚଳାଉଛନ୍ତି ସ୍ୱାମୀ । ଦେଖନ୍ତୁ ଏହି ରିପୋର୍ଟ ।

ସ୍ତ୍ରୀ ଯେଉଁଠି, ସ୍ୱାମୀ ସେଇଠି । ସ୍ତ୍ରୀଙ୍କ ପାଇଁ ଭୋଟ୍ ମାଗୁଛନ୍ତି ସମ୍ବିତ ରାଉତରାୟ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମହିଳା ମାଷ୍ଟରଷ୍ଟ୍ରୋକରେ, ପାରାଦୀପ ବିଧାୟକ ସମ୍ବିତ ରାଉତରାୟଙ୍କ ଟିକେଟ୍ କଟିିଗଲା । ପତ୍ନୀ ଗୀତାଞ୍ଜଳି ରାଉତରାୟ ପାରାଦୀପରୁ ବିଜେଡି ବିଧାୟକ ପ୍ରାର୍ଥୀ । ତେଣୁ ସ୍ୱାମୀଙ୍କ ଗଡ ରକ୍ଷ ପାଇଁ ଅଂଟା ଭିଡିଛନ୍ତି ଦିବଙ୍ଗତ ନେତା ଦାମୋଦରଙ୍କ ବୋହୂ । ଏହି ଅଭିଯାନରେ ଗୀତାଞ୍ଜଳିଙ୍କୁ ପାଦେ ପାଦେ ସାଥ୍ ଦେଉଛନ୍ତି ସମ୍ବିତ । ବିଜେଡି ବ୍ୟାନର ଲଗାଇ କରୁଛନ୍ତି କର୍ମୀ ସମ୍ମିଳନୀ । ଲୋକଙ୍କ ସହ ପାଦରେ ପାଦ ମିଶାଇ ନାଚୁଛନ୍ତି । ଆଉ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ପୁରା ଦମ୍ ଲଗାଇ ଦେଇଛନ୍ତି ।

ବିଜେଡିରେ ଏମିତି ଏକାଧିକ ନେତା ଅଛନ୍ତି, ଯାହାଙ୍କ ଟିକେଟ୍ କାଟି ଏଥର ସ୍ତ୍ରୀଙ୍କୁ ପ୍ରାର୍ଥୀ କରାଯାଇଛି । ଆଉ ପଛରେ ରହି ଭୋଟ ରଣନୀତି ପ୍ରସ୍ତୁତ କରୁଛନ୍ତି ସ୍ୱାମୀ । ପତ୍ନୀଙ୍କ ରଥରେ ଏକପ୍ରକାର ସାରଥି ସାଜିଛନ୍ତି ସ୍ୱାମୀ । ପାଖାପାଖି ୨ ଡଜନ୍ ସିଟରେ ଭୋଟ ପରିଚାଳନାର ମଙ୍ଗ ଧରିଛନ୍ତି ସ୍ୱାମୀ । ସ୍ତ୍ରୀଙ୍କୁ ଜିତାଇବା ପାଇଁ ନିଜ ଅଭିଜ୍ଞତା ଓ ଜନସଂପର୍କର ବିନିଯୋଗ କରୁଛନ୍ତି । କେବଳ ବିଜେଡି ନୁହେଁ ବିଜେପିରେ ମଧ୍ୟ ଏଭଳି ଦୃଶ୍ୟ ଦେଖିବାକୁ ମିଳୁଛି । ଯେଉଁଠି ସ୍ତ୍ରୀ ମାଳବିକା କେଶରୀ ଦେବଙ୍କ ପାଖେ ପାଖେ ରହିଛନ୍ତି ସ୍ୱାମୀ ଅର୍କକେଶରୀ ଦେବ । ମାଳବିକା ପ୍ରଚାର ଅଭିଯାନକୁ ଜୋରଦାର କରିିଥିବାବେଳେ ଅସଲ ରିମୋଟ ଧରିଛନ୍ତି ତାଙ୍କ ସ୍ୱାମୀ ତଥା ପୂର୍ବତନ ସାଂସଦ ଅର୍କକେଶରୀ ଦେବ । କଳାହାଣ୍ଡି ଲୋକସଭା ଆସନରୁ ପତ୍ନୀଙ୍କୁ ଜିତାଇବା ପାଇଁ ପ୍ରଚାରବେଳେ ପାଖେ ପାଖେ ରହୁଛନ୍ତି ।

କଂଗ୍ରେସରେ କୌଣସି ନେତାଙ୍କ କ୍ଷେତ୍ରରେ ଏଭଳି ସୁଯୋଗ ଜୁଟିନାହିଁ । ବର୍ତମାନ ପର୍ଯ୍ୟନ୍ତ ଘୋଷଣା ହୋଇଥିବା ଆସନରେ ସ୍ୱାମୀଙ୍କ ଟିକେଟ୍ କାଟି ସ୍ତ୍ରୀଙ୍କୁ ପ୍ରାର୍ଥୀ କରିନାହିଁ ଦଳ । ତେବେ କେଉଁଠି ବୋହୂଙ୍କ ପାଇଁ ଶ୍ୱଶୂର ତ ଆଉ କେଉଁଠି ଝିଅ ପାଇଁ ବାପାଙ୍କ ପ୍ରଚାର ଓ ଭୋଟ୍ ରଣକୌଶଳ ଦେଖିବାକୁ ମିଳୁଛି । ।