ଆଜି ଚୀନ ରାଷ୍ଟ୍ରପତିଙ୍କୁ ଭେଟିବେ ଅଜିତ ଡୋଭାଲ ! ଷ୍ଟେଟ କାଉନସିଲରଙ୍କ ସହ କଲେ ଦ୍ୱିପାକ୍ଷିକ ଆଲୋଚନା

57

କନକ ବ୍ୟୁରୋ : ସିକିମ ସେକ୍ଟରର ଡୋକଲାମ ଠାରେ ଭାରତ-ଚୀନ ସେନା ମୁହାଁମୁହିଁ ସ୍ଥିତିରେ ଥିବା ବେଳେ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଚୀନର ଷ୍ଟେଟ କାଉନସିଲର ୟାଙ୍ଗ ଯେଚିଙ୍କୁ ଭେଟି ଆଲୋଚନା କରିଛନ୍ତି । ଆଜି ଅଜିତ ଡୋଭାଲ ଚୀନ ରାଷ୍ଟ୍ରପତି ଜି ଜିନିପିଙ୍ଗ ସହ ଆଲୋଚନା କରିବା କାର୍ଯ୍ୟସୂଚୀ ରହିଛି । ଏନଏସଏସ୍ତରୀୟ ବ୍ରିକ୍ସ ବୈଠକରେ ସାମିଲ ହେବା ପାଇଁ ଡୋଭାଲଙ୍କ ବେଜିଂ ଗସ୍ତ ପରେ ଡୋକଲାମରେ ଦେଖା ଦେଇଥିବା ଅଚଳାବସ୍ଥାର ଶୀଘ୍ର ସମାଧାନ ହେବା ଆଶା କରାଯାଉଛି ।

ଡୋକଲାମଠାରେ ଭାରତ-ଚୀନ୍‌ ସେନା ମୁହାଁମୁହିଁ ହେବା ଘଟଣାରେ ଗତ ୪୦ ଦିନ ହେଲା ଭାରତ ବିରୋଧରେ ଉଗ୍ର ମନୋଭାବ ପୋଷଣ କରିଆସିଥିବା ଚୀନ୍‌ ଆଜି ନରମ ଆଭିମୁଖ୍ୟ ପ୍ରକାଶ କରିଛି ।  ଅଜିତ ଡୋଭାଲ ବ୍ରିକ୍ସ ରାଷ୍ଟ୍ରଙ୍କ ଏନଏସଏସ୍ତରୀୟ ବୈଠକରେ ଯୋଗଦେବାକୁ ବେଜିଂରେ ପହଞ୍ଚିଥିବାବେଳେ ସରକାରୀ ସମ୍ବାଦ ସଂସ୍ଥା ଜିନୁଆ ଆଶ୍ଚର୍ଯ୍ୟଜନକ ଭାବେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱକୁ ଭୂୟସୀ ପ୍ରଶଂସା କରିବା ସହ ଦୁଇ ରାଷ୍ଟ୍ରମଧ୍ୟରେ ବ୍ୟବସାୟିକ ସମ୍ପର୍କ ଅଧିକ ବ୍ୟାପକ ହେବା ଉଚିତ ବୋଲି କହିଛି ।

ମୋଦିଙ୍କ ଅର୍ଥନୈତିକ ପରିଚାଳନା ଭାରତର ଆର୍ଥିକ ବିକାଶକୁ ଦ୍ରୁତ କରିଛି । ଭାରତ-ଚୀନ୍‌ ଦ୍ୱିପାକ୍ଷିକ ସମ୍ପର୍କ ଏହାକୁ ଆଗକୁ ନେବ ବୋଲି ଏହା ଦର୍ଶାଇଛି । ଭାରତ ଚୀନ୍‌ ସାମଗ୍ରୀର ବୃହତ୍‌ ବଜାର ହୋଇଥିବାରୁ ଚୀନ୍‌ ସ୍ୱାର୍ଥରକ୍ଷାପାଇଁ ସମ୍ଭାବିତ ସଂଘର୍ଷ ଏଡ଼ାଇବାକୁ ଦେଶର ତୁଙ୍ଗ ନେତୃତ୍ୱ ପକ୍ଷରୁ ଏହା ଏକ ସଙ୍କେତ ହୋଇଥିବା ଅନୁମାନ କରାଯାଉଛି ।