ମୂଳ ଛାଡିଲେ ଡାଳକୁ ଧରିଲେ ! କଂଗ୍ରେସ୍ କନ୍ଦଳରେ ନୂଆ ମୋଡ

31

କନକ ବ୍ୟୁରୋ : ରାଜ୍ୟ କଂଗ୍ରେସ ରାଜନୀତିରେ ନୂଆମୋଡ । ମୂଳ ପ୍ରଶ୍ନ ପଚାରିଲେନି ପର୍ଯ୍ୟବେକ୍ଷକ । ଦୀର୍ଘ ଦିନ ଧରି ପିସିସି ସଭାପତି ପରିବର୍ତ୍ତନ ନେଇ ବିଧାୟକ ଦଳ ଦାବି କରିଆସୁଥିବା ବେଳେ କେନ୍ଦ୍ରରୁ ଆସିଛନ୍ତି ପର୍ଯ୍ୟବେକ୍ଷକ ଦଳ । ଆଜି ଜିଲ୍ଲା ସଭାପତିଙ୍କ ସହ ଆଲୋଚନା କରିଥିବା ବେଳେ ନେତୃତ୍ୱ ପରିବର୍ତ୍ତନ ନେଇ କୌଣସି ପ୍ରସଙ୍ଗ ଉଠି ନଥିବା ଜଣାପଡିଛି ।

ରାଜ୍ୟ କଂଗ୍ରେସର ସ୍ଥିତି ପରଖିବାକୁ ଆସିଲେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଦଳ । କିନ୍ତୁ ସଭାପତି ପଦ ନେଇ କଲେନି ଆଲୋଚନା । ପ୍ରଥମ ଦିନରେ ବିଭିନ୍ନ ଜିଲ୍ଲା ସଭାପତି ମାନଙ୍କୁ ଜଣ ଜଣ କରି ଭେଟିଲେ । କିନ୍ତୁ ନେତୃତ୍ୱ ପରିବର୍ତନ କଥା ଉଠିଲାନି । ବରଂ ସଂଗଠନକୁ କିପରି ମଜବୁତ କରାଯିବ ସେ ନେଇ ପଚାରିଥିଲେ ପ୍ରଶ୍ନ । ଏହା ସହିତ ପିସିସି କର୍ମକର୍ତ୍ତା ଓ ବିଭିନ୍ନ ଛାମୁଆ ସଂଗଠନର ପଦାଧିକାରୀଙ୍କ ସହ ମଧ୍ୟ ସମାନ ଆଲୋଚନା କରିଛନ୍ତି । କଂଗ୍ରେସର ଏଭଳି ପରିସ୍ଥିତି ପାଇଁ ଦୁର୍ବଳ ନେତୃତ୍ୱକୁ ଦାୟୀ କରୁଥିଲେ ଖୋଦ କଂଗ୍ରେସ ନେତା । ତେଣୁ ପର୍ଯ୍ୟବେକ୍ଷକ ନେତୃତ୍ୱ ପରିବର୍ତନକୁ ନେଇ ଆଲୋଚନା ନକରିବା ଆଶ୍ଚର୍ଯ୍ୟ କରିଛି କଂଗ୍ରେସ ନେତାଙ୍କୁ ।

ଏପଟେ ନେତୃତ୍ୱ ପରିବର୍ତ୍ତନ ସପକ୍ଷରେ ମତ ରଖିଛନ୍ତି କିଛି ପିସିସି କର୍ମକର୍ତ୍ତା । କଂଗ୍ରେସର ଦୂରାବସ୍ଥା ପାଇଁ ଦୁର୍ବଳ ନେତୃତ୍ୱ ମୁଖ୍ୟ କାରଣ ଓ ତୃଣମୂଳ ସ୍ତରରେ କର୍ମୀ ମଧ୍ୟ ପରିବର୍ତ୍ତନ ଚାହୁଁଛନ୍ତି ବୋଲି ପ୍ରତିକ୍ରିୟା ରଖିଛନ୍ତି । ଆଉ ପର୍ଯ୍ୟବେକ୍ଷକ ଦଳର ଏହି ଗସ୍ତ କିଛି ସକରାତ୍ମକ ଫଳ ଦେବ ବୋଲି ଆଶା ବାନ୍ଧିଛନ୍ତି । ଛାତ୍ର କଂଗ୍ରେସ ମଧ୍ୟ ପ୍ରସାଦ ହଟାଅ ଅଭିଯାନରେ ସାମିଲ ହୋଇଛି । ବିଧାୟକ ଦଳ ସହ ସ୍ୱର ମିଶାଇ ପର୍ଯ୍ୟବେକ୍ଷକଙ୍କୁ ସମସ୍ତ କଥା ଅବଗତ କରାଯିବ ବୋଲି କହିଛି ।

ନେତୃତ୍ୱ ପରିବର୍ତ୍ତନ ଦାବୀରେ ଅଡି ବସିଥିବା ବିଧାୟକ ଦଳଙ୍କୁ ରବିବାର ଭେଟିବ ଏହି ଟିମ୍ । ଏହା ସହିତ ବରିଷ୍ଠ ନେତାଙ୍କ ସହ ମଧ୍ୟ କରିବ ଆଲୋଚନା । ତେଣୁ ରବିବାର ହେବ ପ୍ରସାଦଙ୍କ ପାଇଁ ପ୍ରକୃତ ଅଗ୍ନିପରୀକ୍ଷା ।