୧୯୯୯ ମହାବାତ୍ୟାକୁ ପୂରିଲା ୨୦ ବର୍ଷ । ଘା’ ଶୁଖିଛି ହେଲେ ଚିହ୍ନ ଯାଇନି, ପ୍ରଳୟକୁ ପାଖରୁ ଦେଖିଥିବା ଲୋକେ ବଖାଣିଲେ କେମିତିଥିଲା ବାତ୍ୟାର ବିକଟାଳ ରୂପ

505

କନକ ବ୍ୟୁରୋ: ମହାବାତ୍ୟାର କାଳରାତ୍ରିରେ ପ୍ରକୃତି ରଚିଥିବା ତାଣ୍ଡବ ଏବେ ବି ଲୋକଙ୍କ ମନରେ ଉଙ୍କି ମାରୁଛି । ଝଡ ଆଁରେ ତ ଅନେକ, ସେଦିନ ସମୁଦ୍ର ଗର୍ଭକୁ ଭାସି ଯାଇ ଆଖି ବୁଝି ଦେଇଥିଲେ, ଏହାରି ଭିତରେ ଝଡକୁ ସାମ୍ନା କରି ବର୍ତି ଯାଇଥିବା ଜୀବନ ବି ମାଟିରେ ମିଶି ସାରିଛି । ଆଉ ଯେଉଁମାନେ ଅଛନ୍ତି ସେମାନେ ସେ ଦିନର କଥା କହିବା ବେଳକୁ ତାଙ୍କ କଣ୍ଠ ଥରି ଯାଉଛି, ଲୋମ ଟାଙ୍କୁରୀ ଉଠୁଛି । ଏବେ ହୁଏ ୨୦ ବର୍ଷ ପରେ ମହାବାତ୍ୟାର ଘା ଶୁଖି ଯାଇଛି, ହେଲେ ଚିହ୍ନ ଲିଭିନି । ଜଗତସିଂହପୁର ଏରସମାରୁ ଦେଖିବା ୧୯୯୯ ମହାବାତ୍ୟାରେ ୬ ପିଲାଙ୍କୁ ହରାଇଥିବା ମାଆର କାହାଣୀ ।

୧୯୯୯ ଅକ୍ଟୋବର ୨୯, ଶୁକ୍ରବାର । ଉପକୂଳ ଓଡିଶାର ମାନଚିତ୍ର ବଦଳାଇ ଦେଇଥିଲା ମହାବାତ୍ୟା । ଗୁରୁଣ୍ଡି ଗୁରୁଣ୍ଡି ପଳାଉଥିବା ବେଳେ ମାଡି ଆସିଲା ମୃତ୍ୟୁଦୂତ ଆଉ ଛ’ଅ ଛୁଆଙ୍କୁ ୬ କିଲୋମିଟର ଦୂରରେ ଫୋପାଡି ଦେଲା ଜୁଆର । ଓଡିଶା ଉପକୂଳକୁ ମାଡି ଆସିଥିବା ପ୍ରଳୟଙ୍କରୀ ମହାବାତ୍ୟା କେତେ ଭୟଙ୍କର ଥିଲା ହୁଏତ ଏହି ମହିଳାଙ୍କ ବୁକୁଫଟା କୋହରୁ ଆପଣମାନେ ବୁଝି ପାରୁଥିବେ । ସେ ଦିନର କଥା ମନେପକାଇ ଆଜି ବି ଗୁମୁରିଗୁମୁରି କାନ୍ଦୁଛନ୍ତି ଏହି ଅସହାୟ ମାଆ ।

ପବନର ସୁ ସୁ ଗର୍ଜନ ସାଙ୍ଗକୁ ମାଡି ଆସିଥିଲା ୩୦ରୁ ୪୦ ଫୁଟ ଉଚ୍ଚର ଅଶାନ୍ତ ସମୁଦ୍ର । ଆଉ ଜଗତସିଂହପୁର ଜିଲ୍ଲାର ଏରସମା ଅଂଚଳରେ ପୋକ-ମାଛି ପରି ଭାସିଗଲେ ହଜାର ହଜାର ଲୋକ ଓ ଗୃହପାଳିତ ପଶୁ । କେଉଁଠି ମାଆ କୋଳକୁ ଶୂନ୍ୟ କରିଦେଇଥିଲା ଝଡ ତ, ଆଉ କାହା ମଥାରୁ ସିନ୍ଦୁର ପୋଛି ଦେଇଥିଲା ସମୁଦ୍ର ଜୁଆର । ଅନେକ ପରିବାରର ଚିହ୍ନ ବର୍ଣ୍ଣ ହଜିଗଲା । କୁଢ କୁଢ ଶବ ଗଦା ଭିତରେ ଶ୍ମଶାନ ପାଲଟି ଯାଇଥିଲା ଉପକୂଳ । ଝାଡ ବାଡ ଧରି ଯେତିକି ବଂଚିଯାଇ ଥିଲେ ସେମାନେ ଏବେ ସର୍ବହରା । ଏରସମା ବ୍ଲକର ବିଭିନ୍ନ ପଂଚାୟତରେ ପ୍ରାୟ ୧୦ ହଜାରରୁ ଅଧିକ ଲୋକ ସମୁଦ୍ରକୁ ଭାସି ଯାଇ ପ୍ରାଣ ହରାଇଥିଲେ ।

ମହାବାତ୍ୟା ପରର ଦୃଶ୍ୟ ଥିଲା ଆହୁରୀ ଭୟଙ୍କର । ଏହି ପ୍ରଳୟରୁ ଯେଉଁମାନେ ବର୍ତି ଗଲେ ସେମାନଙ୍କ ପାଖରେ ମହାବାତ୍ୟାର ୧୦ ଦିନ ପରେ ପହଂଚିଥିଲା ମୁଠାଏ ରିଲିଫ୍ । ଆଉ ଆଜି ସେହି କଳରାତ୍ରିକୁ ୨୦ ବର୍ଷ ବିତିଛି । ଝଡର ଏତେ ବର୍ଷ ପରେ ପ୍ରଭାବିତ ଅଂଚଳରେ କିଛିଟା ଉନ୍ନତି ହୋଇଛି । ମହାବାତ୍ୟା ପର ଠାରୁ ଜିଲ୍ଲାପ୍ରଶାସାନ ପକ୍ଷରୁ ଉପକୂଳରେ ବାତ୍ୟା ଆଶ୍ରୟ ସ୍ଥଳୀ ନିର୍ମାଣ କରାଯାଇଛି । ପ୍ରାକୃତିକ ବିପର୍ଯ୍ୟୟ ସଂପର୍କରେ ଲୋକଙ୍କୁ ସତର୍କ କରିବା ପାଇଁ ର୍ୟାଡର ବ୍ୟବସ୍ଥା କରାଯାଇଛି । କିନ୍ତୁ ଏବେ ବି ଅନେକ ଦୁଃଖ ଦୁର୍ଦଶାରେ ଚାଳ ଛପର ଘରେ କାଳ କାଟୁଛନ୍ତି । କେବଳ ଏରସମା ବାସୀ ନୁହଁନ୍ତି, ପୁରା ଜଗତସିଂହପୁର ଜିଲ୍ଲାକୁ ଖିନଭିନ୍ କରିଦେଇଥିଲା ଏହି ମହାବାତ୍ୟା । ସେଦିନର ସେହି ଝଡ ରାତିକୁ ଅନୁଭବ କରିଥିବା ଲୋକେ ବଂଚିଥିବା ଯାଏଁ ଭୁଲି ପାରିବେ ନାହିଁ ।