ଜଣେ ସଫଳ ଚାଷୀଙ୍କ ପ୍ରେରଣାଦାୟୀ କାହାଣୀ : ସରକାରୀ ଚାକିରି ଛାଡ଼ି ପାହାଡ଼ି ଜମିରେ ସୁନା ଫଳାଇଲେ ଗଣେଶ୍ୱର, କଲେଜ୍ ପଢ଼ୁଆ ପୁଅକୁ ବି ଚାଷକାମରେ ସାମିଲ କଲେ 

561

କନକ ବ୍ୟୁରୋ : ସରକାରୀ ଚାକିରି ଛାଡି ଚାଷକୁ କଲେ ବୃତ୍ତି । କେବଳ ନିଜେ ଚାଷ କରୁଛନ୍ତି ତା ନୁହେଁ, ନିଜର କଲେଜ ପଢୁଆ ପୁଅକୁ ବି ଚାଷ କାମରେ ସାମିଲ କରିଛନ୍ତି । ନିଜର ନିଷ୍ଠା ଓ ହାଡଭଙ୍ଗା ପରିଶ୍ରମରେ ଦୁଇ ଗୁଣ୍ଠ ଜମିରୁ ଚାଷ ଆରମ୍ଭ କରିଥିବା ଚାଷୀ ଆଜି ୧୦ ଏକର ଟାଙ୍ଗରା ଭୂଇଁରେ ଫଳାଇଛନ୍ତି ସୁନାର ଫସଲ । ଆଉ ନିଜର ଘର ପାଖ ସହର ସମେତ କଟକ, ଭୁବନେଶ୍ୱର, ସମ୍ବଲପୁର, ବାଲେଶ୍ୱର, ଭଦ୍ରକ ଓ ଦେବଗଡ ଜିଲ୍ଲାକୁ ଯୋଗାଉଛନ୍ତି ପନିପରିବା । ଦେଖିବା ଅନୁଗୁଳ ଜିଲ୍ଲାରୁ ଏମିତି ଜଣେ ସଫଳ ଚାଷୀଙ୍କ କାହାଣୀ ।

ପାହାଡି ଜମିରେ ଫଳିଛି ସୁନା । ୨ ଗୁଣ୍ଠ ଜମିରୁ ଆରମ୍ଭ ହୋଇଥିଲା ଚାଷ । ସରକାରୀ ଚାକିରି ଛାଡି ଚାଷକୁ ଆଦରିଛନ୍ତି ଜଣେ ସଫଳ ଚାଷୀ । ଦେଶରେ ବେକାରୀ ସମସ୍ୟା ଉଗ୍ରରୂପ ଧାରଣ କରିଥିବା ବେଳେ ଚାକିରି ପଛରେ ଧାଉଁଥିବା ଯୁବପୀଢିଙ୍କ ପାଇଁ ଉଦାହରଣ ଅନୁଗୁଳ ଜିଲ୍ଲା ସଦର ବ୍ଲକ ନନ୍ଦପୁରର ସଫଳ ଚାଷୀ ଗଣେଶ୍ୱର ନାୟକ ।

ପିଲାଦିନରୁ ଚାଷ ପ୍ରତି ଗଣେଶ୍ୱରଙ୍କର ର୍ଦୁବଳତା ଥିଲା । ତେଣୁ ସେ ସରକାରୀ ଚାକିରି ଛାଡି  ୨ ଗୁଣ୍ଠ ପାହାଡି ଜମିରେ ପନିପରିବା ଚାଷ ଆରମ୍ଭ କରିଥିଲେ । ସେଠାରୁ ଅମଳ ହେଉଥିବା ପନିପରିବାକୁ ନିଜ ସାଇକେଲରେ ବଜାରରେ ବୁଲି ବୁଲି ବିକ୍ରି କରୁଥିଲେ । ହେଲେ ଏବେ ସମୟ ବଦଳି ଯାଇଛି । ୨ ଗୁଣ୍ଠ ଜମିରୁ ଆରମ୍ଭ ହୋଇଥିବା ଚାଷୀ ଏବେ ୧୦ ଏକରରେ ପହଂଚିଛି । ପାହାଡି ଜମିରେ  ପୋଟଳ, ବାଇଗଣ, ଟମାଟୋ, କଦଳୀ ଚାଷ କରୁଛନ୍ତି ଗଣେଶ୍ୱର । ଆଉ ଏହି କାମରେ ସେ ନିଜର କଲେଜ ପଢୁଆ ୩ ପୁଅଙ୍କୁ ମଧ୍ୟ ସାମିଲ କରିଛନ୍ତି । ଏହାସହ ତାଙ୍କ ଚାଷ କାମରେ ପ୍ରତିଦିନ ୨୦ରୁ ୨୫ ଜଣ ଶ୍ରମିକ କାମ କରୁଛନ୍ତି ।

ଚାଷ ଆରମ୍ଭରୁ ଗଣେଶ୍ୱର ନିଜେ ବୁଲି ବୁଲି ପରିବା ବିକ୍ରି କରୁଥିଲେ । ହେଲେ ଏବେ ତାଙ୍କ ଜମି ପାଖରେ ପହଂଚୁଛନ୍ତି କଟକ, ଭୁବନେଶ୍ୱର, ସମ୍ବଲପୁର, ବାଲେଶ୍ୱର, ଭଦ୍ରକ ଓ ଦେବଗଡ ଜିଲ୍ଲାର ପରିବା ବ୍ୟବସାୟୀ । ସେପଟେ ଏଭଳି ସଫଳ ଚାଷୀଙ୍କୁ ସରକାରୀ ସହଯୋଗ ଦିଆଯାଉଥିବା କହିଛନ୍ତି ଉଦ୍ୟାନ ଓ କୃଷି ବିଭାଗ ଅଧିକାରୀ ।