ପୁରୁଣା ଇତିହାସର ହେବ କି ପୁନରାବୃତ୍ତି? ୧୯୯୯ରେ ଶିବସେନା ମାନିନଥିଲା, ୨୦୧୯ରେ ବିଜେପି ଦୋହରାଇଲା । ୨୦ ବର୍ଷ ପରେ ପୁଣିଥରେ ବାଜି ମାରିବ କି ‘ହାତ-ଘଣ୍ଟା’ ।

2,568

କନକ ବ୍ୟୁରୋ : ୧୯୯୯ରେ ଶିବସେନା ମାନିନଥିଲା, ୨୦୧୯ରେ ବିଜେପି ଦୋହରାଇଲା । ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ବିଜେପି-ଶିବସେନା ମଧ୍ୟରେ ୫୦-୫୦ ଫର୍ମୁଲା କିଛି ନୂଆ କଥା ନୁହେଁ । ୨୦ ବର୍ଷ ପୂର୍ବେ ମଧ୍ୟ ଏଭଳି ଏକ ସ୍ଥିତି ଦେଖିବାକୁ ମିଳିଥିଲା ଯେତେବେଳେ ସରକାର ଗଢିବା ପାଇଁ ୫୦-୫୦ ଫର୍ମୁଲା ଧରି ଶିବସେନା ନିକଟରେ ପହଞ୍ଚିଥିଲେ ବିଜେପିର ଗୋପୀନାଥ ମୁଣ୍ଡେ । କିନ୍ତୁ ସେତେବେଳେ ଏହି ପ୍ରସ୍ତାବରେ ରାଜି ହୋଇନଥିଲା ଶିବସେନା । ଆଉ ଏହାର ଫାଇଦା ଉଠାଇଥିଲା ଏନସିପି-କଂଗ୍ରେସ ।

୧୯୯୯ ବିଧାନସଭା ନିର୍ବାଚନରେ ମଧ୍ୟ କୌଣସି ଦଳକୁ ବହୁମତ ମିଳିନଥିଲା । ୨୮୮ ଆସନରୁ କଂଗ୍ରେସକୁ ୭୫, ଏନସିପିକୁ ୫୮, ଶିବସେନାକୁ ୬୯ ଓ ବିଜେପିକୁ ୫୬ ଆସନ ମିଳିଥିଲା । ସେହିଭଳି ନିର୍ଦ୍ଦଳୀୟ ଓ ଅନ୍ୟ ଦଳକୁ ମୋଟ ୩୦ ଆସନ ମିଳିଥିଲା । ସରକାର ଗଢିବାକୁ କୌଣସି ଦଳକୁ ମିଳିନଥିଲା ମ୍ୟାଜିକ ନମ୍ବର । ଏଭଳି ସ୍ଥଳେ ୫୦-୫୦ ଫର୍ମୁଲାରେ ସରକାର ଗଢିବାକୁ ଶିବସେନାକୁ ଅଫର୍ ଦେଇଥିଲା ବିଜେପି । କିନ୍ତୁ ଅଧିକ ଆସନ ପାଇଥିବା କାରଣରୁ ବିଜେପିର ଏହି ପ୍ରସ୍ତାବକୁ ଗ୍ରହଣ କରିନଥିଲା ଶିବସେନା । ଯାହାର ଫାଇଦା ଉଠାଇଥିଲେ କଂଗ୍ରେସ-ଏନସିପି ମେଣ୍ଟ । ନିର୍ଦ୍ଦଳୀୟ ଓ ସ୍ୱାଧୀନ ବିଧାୟକଙ୍କୁ ସାଥୀ କରି ମହାରାଷ୍ଟ୍ରରେ ସରକାର ଗଢିଥିଲେ କଂଗ୍ରେସ-ଏନସିପି ମେଣ୍ଟ । ସେହି ସମୟରେ ବିଳାସରାଓ ଦେଶମୁଖ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଆସନ ହାତେଇଥିଲେ ।

ଦୀର୍ଘ ୨୦ ବର୍ଷ ପରେ ମହାରାଷ୍ଟ୍ର ରାଜନୀତିରେ ପୁଣିଥରେ ସେହିଭଳି ଏକ ସ୍ଥିତି ଉତ୍ପନ୍ନ ହୋଇଛି ଯେଉଁଠି ସରକାର ଗଢିବାକୁ କୌଣସି ଦଳକୁ ପୂର୍ଣ୍ଣ ବହୁମତ ମିଳିନାହିଁ । ଅବଶ୍ୟ ବିଜେପି-ଶିବସେନା ମେଣ୍ଟ ପାଖରେ ସରକାର ଗଢିବାକୁ ଆବଶ୍ୟକୀୟ ସଂଖ୍ୟା ଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଦେଖାଦେଇଛି କେଁ । ଶିବସେନା ୫୦-୫୦ ଫର୍ମୁଲାରେ ସରକାର ଗଢିବାକୁ ଜିଦ୍ ଧରି ବସିଥିବା ବେଳେ ୫ ବର୍ଷ ଯାଏଁ ମୁଖ୍ୟମନ୍ତ୍ରୀ ଆସନ ରଖିବାକୁ ରୋକଠୋକ ଶୁଣାଇ ଦେଇଛି ବିଜେପି । ଯାହାକୁ ନେଇ ବିଜେପି-ଶିବସେନା ମେଣ୍ଟରେ ବଡ ଧରଣର ଫାଟ ସୃଷ୍ଟି ହୋଇଛି । ବିଜେପି-ଶିବସେନା ମଧ୍ୟରେ ଲାଗି ରହିଥିବା କଳିର ଫାଇଦା ନେବାକୁ କଂଗ୍ରେସ-ଏନସିପି ଅଣ୍ଟା ଭିଡିଥିବା ଚର୍ଚ୍ଚା ହେଉଛି । ଆବଶ୍ୟକ ପଡିଲେ ଶିବସେନାକୁ ବାହାରୁ ଏନସିପି-କଂଗ୍ରେସ ସମର୍ଥନ କରି ସରକାର ଗଢିବାକୁ ସୁଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି । ତେଣୁ ଶିବସେନାର ୫୦-୫୦ ଫର୍ମୁଲାକୁ ଗ୍ରହଣ ନ କରିବା ବିଜେପି ପାଇଁ ବୁମେରାଂ ସାବ୍ୟସ୍ତ ହୋଇପାରେ ।

ଏସବୁ ଭିତରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ ସ୍ପଷ୍ଟ କରି ଦେଇଛନ୍ତି ଯେ, ମୁଖ୍ୟମନ୍ତ୍ରୀ ପଦବୀକୁ ପାଳିରେ ଭଙ୍ଗାଯାଇ ପାରିବ ନାହିଁ। ମୁଁ ପୁଣି ପାଞ୍ଚ ବର୍ଷ ପାଇଁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ରହିବି। ନିର୍ବାଚନ ପୂର୍ବରୁ ଶିବସେନା ସହିତ ଆସନ ବୁଝାମଣା ବେଳେ ବିଜେପି ଅଧ୍ୟକ୍ଷ ଅମିତ୍ ଶାହା ଯେଉଁ ଆଲୋଚନା କରିଥିଲେ ସେଥିରେ ୫୦-୫୦ ଫର୍ମୂଲାରେ ସରକାର ଗଠନ ଓ ଉଭୟ ଦଳ ଦୁଇପାଳିରେ ଅଢ଼େଇ ଅଢ଼େଇ ବର୍ଷ କରି ମୁଖ୍ୟମନ୍ତ୍ରୀ ଆସନରେ ବସିବା ପାଇଁ କୌଣସି ସର୍ତ୍ତ ନଥିଲା।

ନିର୍ବାଚନ ପରେ ସରକାର ଗଠନ ପୂର୍ବରୁ ଶିବସେନା ପକ୍ଷରୁ ଯେଉଁସବୁ ଦାବି ଉପସ୍ଥାପନ କରାଯାଉଛି ସେସବୁ ସଂପୂର୍ଣ୍ଣ ଅମୂଳକ ଏବଂ ଆଧାରହୀନ। ଏ ସମ୍ପର୍କରେ ଶିବସେନା କ୍ଷମତା ମୋହରେ ନିଜର ମୁଖପତ୍ର ‘ସାମନା’ରେ ବିଜେପିକୁ ସାଧାରଣରେ ଅପମାନିତ ଓ ନିନ୍ଦିତ କରିବାକୁ ଯେଉଁ ଅପଚେଷ୍ଟା ଆରମ୍ଭ କରିଛି, ତାହାକୁ ମଧ୍ୟ ବିଜେପି ବରଦାସ୍ତ କରିବ ନାହିଁ। ଶିବସେନାର ମୁଖପତ୍ର ‘ସାମନା’ରେ ବିଜେପି ବିରୋଧରେ ଚାଲିଥିବା ଅପପ୍ରଚାର ବନ୍ଦ ନହେବା ପର୍ଯ୍ୟନ୍ତ ବିଜେପି ଶିବସେନା ସହ କୌଣସି ପ୍ରକାର ଆଲୋଚନା କରିବ ନାହିଁ ବୋଲି ସ୍ପଷ୍ଟ କରିଦେଇଛନ୍ତି ଫଡନବୀସ ।