ବନ୍ଧା ହେଲେ ଅଭିଜିତ ଆୟାର ମିତ୍ର ! ଗିରଫ କଲା ସହିଦନଗର ପୋଲିସ, କୋଣାର୍କ ପ୍ରତି ଦେଇଥିଲେ ଅରୁଚିକର ମନ୍ତବ୍ୟ ।

79

କନକ ବ୍ୟୁରୋ : ଶେଷରେ ଗିରଫ ହୋଇଛନ୍ତି ଅଭିଜିତ ଆୟାର ମିତ୍ର । ଅଭିଜିତଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ । କୋଣାର୍କ ମନ୍ଦିର ପ୍ରତି ଅଶାଳୀନ ମନ୍ତବ୍ୟ ନେଇ ସହିଦ ନଗର ପୋଲିସ ଅଭିଜିତଙ୍କୁ ଗିରଫ କରିଛି । ଏକ ଅଜ୍ଞାତ ସ୍ଥାନରେ ଅତାଙ୍କୁ କମିଶନରେଟ୍ ପୋଲିସ ପଚରାଉଚୁରା କରୁଥିଲା । ଜେରା ପରେ ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଅଭିଜିତଙ୍କ ଗିରଫ ନେଇ କମିଶନରେଟ୍ ପୋଲିସ ଏସପି ସୂଚନା ଦେଇଛନ୍ତି । କିଛି ସମୟ ପରେ ଅଭିଜିତଙ୍କୁ କୋର୍ଟଚାଲାଣ କରାଯିବ ବୋଲି ଜଣାପଡିଛି । ତେବେ ତା ପୂର୍ବରୁ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ ।

ଅଭିଜିତଙ୍କ ବିରୋଧରେ ବିଧାନସଭାରେ ସ୍ୱାଧୀକାର ଭଙ୍ଗ ପ୍ରସ୍ତାବ ଆସିଥିଲା । ତାପରେ ସର୍ବଦଳୀୟ ବୈଠକର ନିଷ୍ପତି କ୍ରମେ ବିରୋଧୀ ଦଳ ନେତାଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଥିଲା ବିଧାନସଭା ଗୃହ କମିଟି । ଅକ୍ଟେବାର ୧୧ରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ଅଭିଜିତଂକୁ ନିର୍ଦ୍ଦେଶ ଦେଇଥିଲା କମିଟି । ତେବେ ତିତଲି ବାତ୍ୟା କାରଣ ଦର୍ଶାଇ ଗୃହ କମିଟି ଆଗରେ ହାଜର ହୋଇ ନଥିଲେ । ପରେ ମେଲ୍ ଯୋଗେ ଓ ଟୁଇଟ୍ ମାଧ୍ୟମରେ କ୍ଷମା ପ୍ରାର୍ଥନା କରିଥିଲେ । ଗୃହ କମିଟି ସମ୍ମୁଖରେ ହାଜର ହେବାକୁ ଆଜିକୁ ଡେଡଲାଇନ୍ ଦେଇଥିଲା କମିଟି । ସେପଟେ ଓଡିଶାର କଳା ଓ ସଂସ୍କୃତିକୁ ଅପମାନିତ କରିବା ନେଇ ତାଙ୍କ ବିରୋଧରେ ପୁରୀ ଓ କୋଣାର୍କ ଥାନାରେ ମାମଲା ରହିଛି ।