ଇଣ୍ଡୋନେସିଆ ଇସ୍କରେ ବାଟବଣା ହେଲେ ବଲାଙ୍ଗୀର ପୁଅ : ପ୍ରେମ ଆଗରେ ହାରିଗଲା ସୀମା ସରହଦ, ମାଧ୍ୟମ ପାଲଟିଲା ସବୁବେଳେ କାଠଗଡ଼ାରେ ଛିଡ଼ା ହେଉଥିବା ସୋସିଆଲ ମିଡ଼ିଆ

1,032

କନକ ବ୍ୟୁରୋ : ପ୍ରେମ ସପ୍ତାହରେ ପ୍ରେମରେ ଉବୁଟୁବୁ ହେଉଛନ୍ତି ପ୍ରେମପକ୍ଷୀ । କିଏ ଫୁଲ ଦେଇ, ଆଉ କିଏ ଚକୋଲେଟ୍ ଦେଇ ପୁଣି ଆଉ କିଏ ହ୍ୱାଟସଆପ୍, ଫେସବୁକରେ ଭାବର ଆଦାନ ପ୍ରଦାନ କରୁଛନ୍ତି । ଯୁଗ ବଦଳିଛି ସିନା ପ୍ରେମର ପରିଭାଷା ବଦଳିନି । ପ୍ରେମ ପାଇବାରେ ଥାଏ, ଥାଏ ବି ହରାଇବାରେ । ପ୍ରେମ ସମର୍ପିତ ଜୀବନର ଶୁଦ୍ଧ ପରିଭାଷା । ସୀମା ସରହଦ ବାନ୍ଧିପାରେନା ପ୍ରେମର ବନ୍ଧନକୁ । ପ୍ରେମ ଦେଖେନା ଜାତି, ଧର୍ମ, ବର୍ଣ୍ଣ । ସାତ ଦରିଆ ପାରିରେ ବି ଏକାକାର ହୋଇଯାଏ ହୃଦୟ । ଏକଥାକୁ ସତ ପ୍ରମାଣିତ କରିଛନ୍ତି କଣ୍ଟାବାଞ୍ଜିର ଏହି ଦମ୍ପତି । ଇଣ୍ଡୋନେସିଆ ସୁନ୍ଦରୀ ପାଲଟିଛନ୍ତି କଣ୍ଟାବାଞ୍ଜି ବୋହୂ ।

ପ୍ରେମ ରାଇଜର ରାଜା ୱାଶିମ୍ ଖାନ୍ । ଆଉ ଏହି ରାଇଜର ସାମାଜ୍ଞୀ ହେଉଛନ୍ତି ଇଣ୍ଡୋନେସିଆ ସୁନ୍ଦରୀ ଆନ୍ନା ମାରିୟାନା ନାପିତୋପୁଲୁ । ତେବେ ସବୁଠାରୁ ବଡ଼ କଥା ହେଉଛି ଏହି ପ୍ରେମକାହଣୀ ଲେଖିବାରେ ମଧ୍ୟସ୍ଥି ପାଲଟିଥିଲା ଫେସବୁକ୍ । ୨୦୧୨ରେ ୱାଶିମ୍ ଓ ଆନ୍ନା ଫେସବୁକରେ ବନ୍ଧୁ ପାଲଟିଥିଲେ । ଆଉ ତା’ପରେ ଆରମ୍ଭ ହୋଇଥିଲା ଚାର୍ଟଂ । ପ୍ରତିଦିନ ଭାବ ଦିଆନିଆ ଭିତରେ ଉଭୟଙ୍କ ଅଜାଣତରେ ଅଙ୍କୁରଦଗମ ହୋଇଥିଲା ପ୍ରେମର ମହାଦ୍ରୁମ । ବିଦେଶୀନିକୁ ମନ ଦେଇ ବସିଲେ ୱାସିମ୍ । ଆଉ ସମ୍ବଲପୁରିଆ ବାବୁଙ୍କୁ ମନ ମନ୍ଦିରରେ ବସାଇ ସାରିଥିଲେ ଇଣ୍ଡୋନେସିଆ ସୁନ୍ଦରୀ । ମନେ ମନେ ସାତ ଜନମର ସାଥୀ ହେବା ପାଇଁ ଉଭୟେ ସ୍ୱପ୍ନ ଦେଖୁଥିଲେ ।

ହେଲେ ୱାଶିମଙ୍କ ପରିବାର ଏହି ସମ୍ପର୍କରେ ସାଜିଥିଲେ କଣ୍ଟା । ବିଦେଶିନୀକୁ ବୋହୁ କରିବାକୁ ଏକବାରେ ନାରାଜ ହୋଇଯାଇଥିଲେ ପରିବାର ଲୋକେ । ଆନ୍ନାଙ୍କୁ ଭୁଲି ଯିବା ପାଇଁ ୱାଶିମଙ୍କ ଉପରେ ପଡ଼ିଥିଲା ଚାପ । ହେଲେ ପ୍ରଥମ ପ୍ରେମକୁ ୱାଶିମ୍ ଭୁଲନ୍ତେ ବା କିପରି ? ମନ ଚାହୁଁଥିଲା ଡେଣା ଥିଲେ ଉଡ଼ିଯାଆନ୍ତି ମନର ନାୟିକା ପାଖକୁ । ଘର ଲୋକଙ୍କୁ କଷ୍ଟ ଦେଇନଥିଲେ ସିନା ହେଲେ ବିରହ ବେଦନାରେ ଘାରି ହେଉଥିଲେ । ଉଭୟେ ଅଶାନ୍ତି ଓ ଅସନ୍ତୋଷରେ ଦିବାରାତି ଜଳୁଥିଲେ । ସେମାନଙ୍କ ପ୍ରେମରେ ଛଳନା ପ୍ରତାରଣାର ଲେଶ ମାତ୍ର ନଥିଲା । ଥିଲା ମାତ୍ର ନିରୋଳା ପ୍ରେମ । ହେଲେ ସବୁକିଛି ଏତେ ସହଜ ନଥିଲା । ତଥାପି ପ୍ରେମକୁ ପାଇବାକୁ ଆଶା ଛାଡ଼ିନଥିଲେ ୱାଶିମ୍ ।

ପରିବାର ଲୋକଙ୍କୁ ବୁଝାଇବା ପାଇଁ ମନପ୍ରାଣ ଏକ କରିଦେଇଥିଲେ ୱାଶିମ୍ । ଆଉ ଏହାରି ଭିତରେ ୱାଶିମ୍ ଆନ୍ନାଙ୍କୁ ଫେସବୁକ୍ ମାଧ୍ୟମରେ ଓଡ଼ିଶାର ସଂସ୍କୃତି , ପରମ୍ପରା, ଚାଲିଚଳଳନ, ରୀତିନୀତି ସବୁ ଶିଖାଇବାରେ ଲାଗିଥିଲେ । ଏଥିମଧ୍ୟରେ ବତିଯାଇଥିଲା ଦୁଇ ବର୍ଷ । ଘର ଲୋକଙ୍କ ମନ କଷ୍ଟ ହେବ ବୋଲି ୱାଶିମ୍ କିଛି କହୁନଥିଲେ ହେଁ କ୍ଷଣ କ୍ଷଣ ଜଳୁଥିଲେ ଆନ୍ନାଙ୍କ ବିରହରେ । ପୁଅର କଷ୍ଟ ଦେଖି ଶେଷରେ ବୁଝିଯାଇଥିଲେ ଘର ଲୋକ । ପ୍ରେମ ବିରହରେ ପୂର୍ଣ୍ଣଛେଦ ପଡ଼ିଥିଲା ।

ଇଣ୍ଡୋନେସିଆ ଯାଇ ଉଭୟ ପରିବାରର ସହମତି କ୍ରମେ ନିର୍ବନ୍ଧ ସମ୍ପନ୍ନ ହୋଇଥିଲା । ଇଣ୍ଡୋନେସିଆରେ ପ୍ରଥମେ ସେଠାକାର ପରମ୍ପରା ହିସାବରେ ଆଉ ତା’ପରେ ଓଡ଼ିଶାରେ ପରମ୍ପରା ହିସାବରେ ହୋଇଥିଲା ବିବାହ । ଇତି ମଧ୍ୟରେ ବିବାହକୁ ୭ ବର୍ଷ ବିତିଯାଇଛି । ଖୁବ ଖୁସିରେ ବିତୁଛି ଉଭୟଙ୍କ ବୈବାହିକ ଜୀବନ । ବର୍ତ୍ତମାନ ୱାସିମ୍ ଓ ଆନ୍ନାଙ୍କର ଏକ ପୁଅ ମଧ୍ୟ ଅଛି । ଓଡ଼ିଶାର ପରମ୍ପରା, ରୀତିନୀତିକୁ ଗ୍ରହଣ କରି ପରିବାର ସମ୍ଭାଳୁଛନ୍ତି ଆନ୍ନା । ତେବେ ଏହି ସଫଳ ପ୍ରେମକାହାଣୀ ପାଇଁ ସୋସିଆଲ ମିଡ଼ିଆକୁ ଧନ୍ୟବାଦ ଜଣାଇଛନ୍ତି ୱାଶିମ୍ ଓ ଆନ୍ନା ।