ବିଜେଡି ନେତ୍ରୀ ମିନାକ୍ଷୀ ମିଶ୍ରଙ୍କ ଆତ୍ମହତ୍ୟା ଉଦ୍ୟମ: ଏସପି ଅଫିସ ଆଗରେ କିରାସିନି ଢାଳି ଆତ୍ମହତ୍ୟା ଉଦ୍ୟମ; ଗୁରୁତର ଅବସ୍ଥାରେ ଏମକେସିଜିରେ ଭର୍ତ୍ତି

ପାର୍କିଂକୁ ନେଇ ପୁଅକୁ ମିଛରେ ପୋଲିସ ଗିରଫ କରିଥିବା ଅଭିଯୋଗ

669

କନକ ବ୍ୟୁରୋ: ନିଜ ଦେହରେ କିରୋସିନ ଢାଳି ବିଜେଡି ନେତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ । ବ୍ରହ୍ମପୁର ଏସପିଙ୍କ ଅଫିସ ସାମନାରେ ଦେହରେ କିରୋସିନ ଢାଳି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ମିନାକ୍ଷୀ ମିଶ୍ର । ଗୁରୁତର ଅବସ୍ଥାରେ ତାଙ୍କୁ ଏମକେସିଜିରେ ଭର୍ତି କରାଯାଇଛି । ସୂଚନା ଅନୁଯାୟୀ , ଗତ ୨୮ ତାରିଖରେ ମିନାକ୍ଷୀଙ୍କ ଘର ସମ୍ମୁଖରେ ବାଇକ ପାର୍କିଂକୁ ନେଇ ଗଣ୍ଡଗୋଳ ହୋଇଥିଲା । ଏଥିରେ ତାଙ୍କ ପୁଅ ରାଜା ମିଶ୍ରଙ୍କର ୪ ଜଣଙ୍କ ସହ ଗଣ୍ଡଗୋଳ ହୋଇଥିଲା ।ଏହାର ଭିଡିଓ ଭାଇରାଲ ହେବା ପରେ ଉଭୟ ପକ୍ଷର ଏତଲା କ୍ରମେ ପୁଲିସ ୫ ଜଣଙ୍କୁ ଗିରଫ କରିଥିଲା ।ଏନେଇ ଏସପିଙ୍କୁ ଭେଟିବାକୁ ମିନାକ୍ଷୀ ଆଜି ଏସପିଙ୍କ ଅଫିସକୁ ଯାଇଥିଲେ । ମାତ୍ର ଦୀର୍ଘ ସମୟ ପର୍ଯ୍ୟନ୍ତ ଦେଖାକରିନପାରିବାରୁ ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇଦେଇଥିଲେ । ଏହାଦେଖି ସେଠାରେ ଉପସ୍ଥିତ ପୁଲିସ କର୍ମୀ ତାଙ୍କୁ ତୁରନ୍ତ ଉଦ୍ଧାର କରି ଏମକେସିଜିରେ ଭର୍ତି କରିଥିଲେ ।

ସୂଚନା ଅନୁସାରେ, ଗତ ୨୮ ତାରିଖ ଦିନ ପାର୍କିଂକୁ ନେଇ ମିନାକ୍ଷୀଙ୍କ ପୁଅଙ୍କ ସହ ଅନ୍ୟ ଜଣେ ବ୍ୟକ୍ତିଙ୍କର  ଝଗଡା ହୋଇଥିଲା । ଯାହା ଦ୍ୱାରା କିଛି ଯୁବକ ସଂଘବଦ୍ଧ ଭାବେ ମିନାକ୍ଷୀଙ୍କ ପୁଅଙ୍କୁ ବ୍ୟାଟରେ ପିଟିଥିଲେ ଏପରିକି ପ୍ରତିବାଦ କରିବାରୁ ମିନାକ୍ଷୀଙ୍କୁ ମଧ୍ୟ ସେମାନେ ମାଡ ମାରିଥିଲେ । ଆଉ ଗଞ୍ଜାମ ଜିଲ୍ଲା ବୈଦ୍ୟନାଥପୁର ଥାନା ଅଂଚଳରେ ହୋଇଥିବା ଏହି ମରଣାନ୍ତକ ଆକ୍ରମଣର ଭିଜୁଆଲ ସୋସିଆଲ ମିଡିଆରେ ଭାଇରାଲ ମଧ୍ୟ ହୋଇଥିଲା ।

ତେବେ ଏଥିରେ ମିନାକ୍ଷୀଙ୍କ ସମେତ ତାଙ୍କ ପୁଅ ମଧ୍ୟ ଗୁରୁତର ଭାବେ ଆହତ ହୋଇଥିଲେ ।  ପୋଲିସ ନିକଟରେ ହୋଇଥିବା ଅଭିଯୋଗ ଅନୁଯାୟୀ ସ୍ଥାନୀୟ କଲ୍ୟାଣମଣ୍ଡପରେ ଏକ ଭୋଜି ଚାଲିଥିବାବେଳେ ପ୍ରଥମେ ବାଇକ ରଖିଲେ ସୁନୀଲ ମହାରଣା । ଏହି ସମୟରେ ମିନାକ୍ଷୀଙ୍କ ପୁଅ ରାଜା ଆସି ତାଙ୍କୁ ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିଲେ । ଏହାର ଜବାବରେ ସୁନୀଲ ଓ ତାଙ୍କ ସାଙ୍ଗମାନେ ମିଶି ରାଜାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ମାତ୍ର ମାମଲାରେ ପୋଲିସ ଉଭୟ ପକ୍ଷର ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଏହାପରେ ଆଜି ନ୍ୟାୟ ପାଇବା ପାଇଁ ରାଜାଙ୍କ ମାଆ ଏସପିଙ୍କ ଅଫିସ ସାମ୍ନାରେ ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ।