ଓଟିକୁ ଗଲା ୭ ବର୍ଷର କାହ୍ନା : ସକାଳୁ ୧୦ଟାରୁ ପ୍ରଥମ ପର୍ଯ୍ୟାୟ ଅପରେସନ କରୁଛନ୍ତି ସ୍ୱତନ୍ତ୍ର ଡାକ୍ତରୀ ଟିମ, ଶରୀରରେ ବଢୁଛି ମାଂସ ପିଣ୍ଡଳା ଓ ଲୋମ

30

କନକ ବ୍ୟୁରୋ : ନୂଆ ଜୀବନ ପାଇବ କାହ୍ନା । ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ ବାଘୁଆ ଗାଁର କାହ୍ନାଙ୍କ ଆଜି ପ୍ରଥମ ପର୍ଯ୍ୟାାୟ ଅସ୍ତ୍ରୋପଚାର ଆରମ୍ଭ ହୋଇଛି । ପରୀକ୍ଷା ନିରୀକ୍ଷା ପରେ ବ୍ରହ୍ମପୁର ବଡ ମେଡିକାଲରେ ଏକ ଡାକ୍ତରୀ ଟିମ ସକାଳ ୧୦ଟାରୁ ଅସ୍ତ୍ରୋପଚାର ଆରମ୍ଭ କରିଛନ୍ତି । କାହ୍ନାର ଅସ୍ତ୍ରୋପଚାର ପାଇଁ୧୨ ଜଣିଆ ଟିମ୍ ଗଠିତ ହୋଇଛି । ଜନ୍ମଗତ ଦୋଷର ଶୀକାର ହୋଇ ରାମଚନ୍ଦ୍ରଙ୍କ ପୁଅ କାହ୍ନା ଏକ ବିରଳ ରୋଗରେ ଆକ୍ରାନ୍ତ ହୋଇଛନ୍ତି ।

ଏହାର ପ୍ରଭାବରେ ତାଙ୍କ ଶରୀରରେ କଳାଜାଇ ମୁନ୍ଦା ସୃଷ୍ଟି ହେବା ସହ ଦିନକୁ ଦିନ ମାଂସ ପିଣ୍ଡୁଳା ଓ ଲୋମ ବଢିବାରେ ଲାଗିଛି । ଏହା କାହ୍ନାଙ୍କ ପରିବାରକୁ ଚିନ୍ତାରେ ପକାଇଥିଲା । ଜନ୍ମହେବା ପରେ ପରିବାର ଲୋକେ କାହ୍ନାଙ୍କୁ ଡାକ୍ତରଙ୍କୁ ଦେଖାଇଥିଲେ ମଧ୍ୟ ଟଙ୍କାର ଅଭାବ ଯୋଗୁଁ ଏହା ସମ୍ଭବ ବୋଇପାରିନଥିଲା । ତେବେ କାହ୍ନାଙ୍କୁ ଏବେ ପ୍ରଶାସନ ସହାୟତାରେ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରାଯାଇଛି । ଏକ ଡାକ୍ତରୀ ଟିମ୍ କାହ୍ନା ଶରୀରର ବିଭିନ୍ନ ପରୀକ୍ଷା ନିରୀକ୍ଷା କରିଛନ୍ତି । ଆଜି ପ୍ରଥମ ପର୍ଯ୍ୟାାୟ ଅପରେସନ କରାଯାଉଥିବାରୁ ପରିବାର ଲୋକେ ଖୁସି ଅଛନ୍ତି ।

ସୂଚନାଯୋଗ୍ୟ ୭ ବର୍ଷର ଶିଶୁ କାହ୍ନା ମୁହଁରେ ଲୋମ ଓ ମାଂସ ବଢ଼ିବାରେ ଲାଗିଥିଲା । ଚେହେରା ଏମିତି ହେଇଛି ଯେ ନିଜକୁ ଆଇନାରେ ଦେଖିବା ମଧ୍ୟ ତା’ ପାଇଁ ଅସହଜ ମନେକରୁଥିଲା । କିନ୍ତୁ ଆର୍ଥିକ ସମସ୍ୟା ଯୋଗୁଁ ଅସହାୟ କାହ୍ନାର ଚିକିତ୍ସା ହୋଇପାରୁ ନଥିଲା । ଏସଂକ୍ରାନ୍ତ ଖବର ଗତ ୧୬ ତାରିଖରେ ପ୍ରକାଶିତ ହୋଇଥିଲା । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଟ୍ଵିଟର୍ ମାଧ୍ୟମରେ ବାର୍ତା ପହଞ୍ଚିଥିଲା । କାହ୍ନାର ସମସ୍ତ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ ଟ୍ଵିଟ୍ କରିଥିଲେ ।