ପୁଅଝିଅଙ୍କୁ ନୁହେଁ ପ୍ରଥମାଷ୍ଟମୀରେ ଗଛ ପଢ଼ୁଆଁ : ପରିବେଶପ୍ରେମୀ ଘନଶ୍ୟାମ ସାହୁଙ୍କ ବୃକ୍ଷପ୍ରେମ

52

ଆଜି ପ୍ରଥମାଷ୍ଟମୀ । ଘରର ବଡ଼ ସନ୍ତାନମାନେ ଆଜି ନୂଆ ଡ୍ରେସ୍ ପିନ୍ଧିବାର ପରମ୍ପରା ରହିଛି । ଓଡ଼ିଆ ପ୍ରଥା ଓ ପରମ୍ପରାର ଅନ୍ୟଏକ ପ୍ରମୁଖ ପର୍ବ ପ୍ରଥମାଷ୍ଟମୀ । ଏଥିରେ ସ୍ନେହ ଆଉ ଶ୍ରଦ୍ଧାର ପରିପ୍ରକାଶ ହୁଏ ଜ୍ୟେଷ୍ଠ ପୁତ୍ରକନ୍ୟାଙ୍କ ପ୍ରତି । ଏହି ନିଆରା ପରମ୍ପରା ପୁଲକିତ କରିଥାଏ ସମସ୍ତଙ୍କୁ । ସେହି ପରମ୍ପରାକୁ ଆହୁରି ମହନୀୟ କରି ତୋଳିଛନ୍ତି କେନ୍ଦୁଝରର ଘସିପୁରା ବ୍ଲକ ଅଳତୀ ଗ୍ରାମର ପରିବେଶବିତ୍‌ ଘନଶ୍ୟାମ ସାହୁ ।

ଘନଶ୍ୟାମଙ୍କ ବୟସ ୯୦ ଟପିଲାଣି । ତଥାପି ସେ ଥକି ଯାଇନାହାନ୍ତି। ବଡ଼ ପୁଅଝିଅଙ୍କୁ ପଢ଼ୁଅାଁ କରିବାର ପରମ୍ପରାକୁ ବଦଳାଇ ଦେଇଛନ୍ତି ବୃକ୍ଷପ୍ରେମରେ । ଏହି ପ୍ରେମରୁ ତାଙ୍କ ଯତ୍ନରେ ଗଢ଼ିଉଠିଛି ଶତାଧିକ ଗଛ । ସେହି ଗଛଗୁଡ଼ିକ ହିଁ ତାଙ୍କ ପାଇଁ ପୁତ୍ରକନ୍ୟା । ପ୍ରତି ପ୍ରଥମାଷ୍ଟମୀରେ ସେହି ବୃକ୍ଷ ଦେହରେ ସେ ବାନ୍ଧି ଦିଅନ୍ତି ନୂଆ କପଡ଼ା । ପଢ଼ୁଅାଁ କରିଦିଅନ୍ତି ସବୁଜ ବୃକ୍ଷରାଜିଙ୍କୁ । ଏଥିପାଇଁ ତାଙ୍କୁ ୪-୫ ଦିନ ସମୟ ଲାଗିଥାଏ । ପ୍ରଥମାଷ୍ଟମୀ ସକାଳୁ ଏହି ପରମ୍ପରା ଆରମ୍ଭ କରନ୍ତି ସେ । ନୂଆ କପଡ଼ା ବାନ୍ଧି ଫୁଲ ଚନ୍ଦନ ଲଗାଇ ପିଠାପଣା ଅର୍ପଣ କରିଥାନ୍ତି। ଉତ୍ସବ ମନାଇଥାନ୍ତି ।

ଅଳତୀ, ବେଲସୁନ୍ଦରୀ, ରାଇଚତାଳା, ପୁରୁଣା ବାନ୍ଧଗୋଡ଼ା, ଜନାର୍ଦ୍ଦନପୁର, ପାଟଣା, ଗଡ଼ବାନ୍ଧଗୋଡ଼ା, ଆଦି ଗ୍ରାମରେ ସେ ଏହି କାର‌୍ୟ୍ୟ ଦୀର୍ଘବର୍ଷ ଧରି କରିଆସୁଛନ୍ତି । ପ୍ରଥମେ କିଛି ବ‌ର୍ଷ ଲୋକେ ତାଙ୍କୁ ଏଥିପାଇଁ ଟାହିଟାପରା କରୁଥିଲେ । ଏବେ ସେ ଭାବନା ଆଉ ନାହିଁ । ସେ ଲଗାଇଥିବା ଗଛ ଏବେ ବଡ଼ହୋଇ ଫୁଲ, ଫଳ ଦେବା ସହ ଦ୍ରୁମରେ ପରିଣତ ହେଲାଣି ।

 

ଆଜକୁ ୪୧ ବ‌ର୍ଷ ତଳେ ୧୯୭୮ ଏପ୍ରିଲ ୧୬ ତାରିଖରେ ପଡ଼ୋଶୀ ପୁରୁଣା ବାନ୍ଧଗୋଡ଼ା ଗ୍ରାମ ପ୍ରଳୟଙ୍କରୀ ଘୂର୍ଣ୍ଣିବାତ୍ୟାରେ ଧ୍ବଂସ ବିଧ୍ବଂସ ହୋଇଯାଇଥିଲା । ୧୮୨ ଲୋକଙ୍କ ଜୀବନହାନି ହୋଇଥିଲା । ଅନେକେ ଆହତ ହୋଇଥିଲେ । ସମଗ୍ର ଅଞ୍ଚଳ ବୃକ୍ଷଶୂନ୍ୟ ହୋଇଗଲା । ସେଦିନର ସେହି ଦୃଶ୍ୟ ତାଙ୍କ ଭିତରେ ବୃକ୍ଷପ୍ରେମ ଭରିଦେଇଥିଲା । ସେବେଠାରୁ ସେ ସଂକଳ୍ପ ନେଲେ ଗଛ ଲଗାଇବେ । ତା’ର ଯତ୍ନ ନେବେ । ଏହାପରେ ବୃକ୍ଷରୋପଣ ଆରମ୍ଭ କଲେ ।

ତାଙ୍କ ପାଖରେ ପଇସାଟିଏ ନଥିଲେ ବି ତାହା ବାଧକ ସାଜି ନଥିଲା । ବିଭିନ୍ନ ଆଡୁ ମଞ୍ଜି ସଂଗ୍ରହ କରି ପଲିଥିନ୍‌ରେ ମାଟି ଭର୍ତ୍ତି କରି ନିଜ ଅଗଣାରେ ଚାରା ପକାନ୍ତି । ବଡ଼ ହେଲା ପରେ ତାକୁ ନେଇ ପୋଖରୀହୁଡ଼ା, ରାସ୍ତାକଡ଼ ଖୋଲା ଜାଗା, ପତିତ ଜମି, ସ୍କୁଲ ଓ ମନ୍ଦିର ପରିସରରେ ଲଗାଇ ଦିଅନ୍ତି। ରାତି ପାହିଲେ ତା’ର ଯତ୍ନ ନିଅନ୍ତି । ହାତରେ ଶାବଳ ଓ ବାଲ୍‌ଟି ଧରି ବାଡ଼ ବୁଜି ପାଣି ଦିଅନ୍ତି । ଧୀରେ ଧୀରେ ଏହା ତାଙ୍କର ନିତିଦିନିଆ କାର୍ଯ୍ୟ ହୋଇଗଲା । ତାଙ୍କର ଏହି ପ୍ରକୃତିପ୍ରେମ ପାଇଁ ଅନେକ ଅନୁଷ୍ଠାନ ‘ଗଛମଣିଷ’ ଭାବେ ସମ୍ମାନିତ କରିଛନ୍ତି ।

୨୦୧୦ରେ ଏଥିପାଇଁ ତାଙ୍କୁ ଏକ ଅନୁଷ୍ଠାନ ପକ୍ଷରୁ ଏକଲକ୍ଷ ଟଙ୍କା ଅର୍ଥରାଶି ସହ ପୁରସ୍କୃତ କରାଯାଇଥିଲା । ଏହା ତାଙ୍କୁ ଆହୁରି ଉତ୍ସାହିତ କରିଥିଲା ଏ କ୍ଷେତ୍ରରେ କାମ କରିବା ପାଇଁ । ଅନ୍ୟ ଲୋକମାନଙ୍କୁ ଏଥିପ୍ରତି ଆକର୍ଷିତ କରିବା ପାଇଁ ସେ ପ୍ରତିବର୍ଷ ଗଛ ବାହାଘର ଆୟୋଜନ କରିବା ସହ ସାମୂହିକ ଚାରା ରୋପଣ କରୁଛନ୍ତି । ଆଉ ଚାରା ମଧ୍ୟ ବଣ୍ଟନ କରୁଛନ୍ତି ।

Comments are closed.