ମହାରାଜ କଂସଙ୍କ ଅଟହାସ୍ୟରେ ଥରହର ମଥୁରା । ଆଜି କୃଷ୍ଣଙ୍କୁ ମାରିବା ପାଇଁ କାଳିୟ ଦଳନକୁ ଗୋପପୁର ପଠାଇବେ ମଥୁରା ନରେଶ

ଗୋପପୁରରେ କୃଷ୍ଣ ବଳରାମଙ୍କ ନଗର ପରିକ୍ରମା;କୃଷ୍ଣ ପ୍ରେମରେ ବିଭୋର ଗୋପପୁରବାସୀ

81

କନକ ବ୍ୟୁରୋ: ବିଶ୍ୱର ସର୍ବ ବୃହତ ଖୋଲା ରଂଗମଂଚର ଚତୁର୍ଥ ଦିନରେ ମହାରାଜ କଂସଙ୍କ ଦ୍ୱାରା ପ୍ରେରିତ ସମସ୍ତ ରାକ୍ଷସ ରାକ୍ଷସୀଙ୍କୁ ନିଧନ କରିଛନ୍ତି କୃଷ୍ଣ ବଳରାମ ।  ଗୋପପୁରରେ ଘରେ ଘରେ କୃଷ୍ଣ ବଳରାମଙ୍କୁ ପୁଜାର୍ଚ୍ଚନା କରାଯାଉଛି । କୃଷ୍ଣ ବଳରାମ ବେନି ଭାଇଙ୍କୁ ପାଖରେ ପାଇ ଖୁସିରେ ଆତ୍ମବିଭୋର ହୋଇପଡିଛନ୍ତି ଗୋପପୁର ବାସୀ । ଏପଟେ ଷଡମଲ୍ଳଙ୍କ ନିଧନରେ ମର୍ମାହତ ହୋଇ ମହାରାଜ କଂସ, କୃଷ୍ଣ ବଳରାମଙ୍କୁ ମାରିବା ପାଇଁ ଗୋପପୁରକୁ କାଳିୟ ନାଗକୁ ପଠାଇଛନ୍ତି  ।

 

ଧନୁଯାତ୍ରାର ଚତୁର୍ଥ ଦିନରେ ଗୋପପୁରର ଚିତ୍ର ଥିଲା ବେଶ ନିଆରା । ସତେ ଯେପରି ଦ୍ୱାପର ଯୁଗ ଭଳି ଲାଗୁଥିଲା । ଭଗବାନ ଶ୍ରୀକୃଷ୍ଣ ଓ ବଡ଼ଭାଇ ବଳରାମଙ୍କ ନଗର ପରିକ୍ରମା ପାଇଁ ଗୋପପୁରରେ ଆୟୋଜନ କରାଯାଇଥିଲା । ଭଗବାନଙ୍କ ନଗରପରିକ୍ରମାକୁ ନଜରରେ ରଖି  ଗୋପପୁର ଉତ୍ସବ ମୁଖରିତ ହୋଇଥିବା ବେଳେ ଘରେ ଘରେ ଝୋଟି ପକା ଯାଇଛି । ବେନି ଭାଇଙ୍କ ପାଦଧୋଇ ପୂଜା ଅର୍ଚ୍ଚନା କରିଛନ୍ତି ଗୋପପୁରବାସୀ । କୃଷ୍ଣଙ୍କ ସହ ଶଖା ମଧୁମଙ୍ଗଳ ଓ ଗୋପାଳ ବାଳକମାନେ ଗୀତ ନାଚ କରି ଗାଁ ପରିଭ୍ରମଣ କରିଛନ୍ତି । ଶ୍ରୀକୃଷ୍ଣ କେତେବେଳେ ଖେଳ କୁଦରେ ବ୍ୟସ୍ତ ତ ଆଉ କେତେବେଳେ ଲୁଚି ଲୁଚି ମାଟି ଖାଇବାର ଚିତ୍ର ହୃଦୟସ୍ପର୍ଶୀ ଥିଲା । ଏପଟେ କଂସଙ୍କ ପ୍ରେରିତ ରାକ୍ଷସ-ରାକ୍ଷସୀ ପୁତନା, ବକା, ସକଟା, ତୃଣା ଓ ଧେନୁକା କପଟରେ କୃଷ୍ଣ ବଳରାମକୁ ମାରିବାକୁ ଆସିଛନ୍ତି ଗୋପପୁର । ପ୍ରଭୁଙ୍କୁ ମାରିବାକୁ  ଉଦ୍ୟମ କରି ଗୋଟି ଗୋଟି କରି ନିହତ ହୋଇଛନ୍ତି କୃଷ୍ଣ ବଳରାମଙ୍କ ହାତରେ ।

ଏପଟେ ମଥୁରାରେ ମହାରାଜ କଂସ ସୈ÷ନ୍ୟ ସାମନ୍ତଙ୍କ ସହ ଦିଗବିଜୟରେ ବାହାରି ବାଣାସୁରକୁ ପରାସ୍ତ କରି ତାଙ୍କ ସହ ବନ୍ଧୁତା ସ୍ଥାପନ କରିଛନ୍ତି । ଏହି ଅବସରରେ ଦେଶ ବିଦେଶରୁ ଆସିଥିବା କଳାକାରଙ୍କ ଦ୍ୱାରା ପରିବେଶିତ ନୃତ୍ୟଗୀତକୁ ଉପଭୋଗ କରିଛନ୍ତି ମହାରାଜ କଂସ । ଠିକ ସେହି ସମୟରେ ମଥୁରା ନରେଶଙ୍କ କାନରେ ପଡିଛି ଗୋପରେ କୃଷ୍ଣ ବଳରାମଙ୍କ ହାତରେ ଷଡମଲ୍ଳଙ୍କ ସହ ପୁତନା ରାକ୍ଷସୀର ମୃତ୍ୟୁ ନିଧନ ଖବର । ଏଥିରେ ଅତ୍ୟନ୍ତ ମର୍ମାହତ ହୋଇ ମହାରାଜ କଂସ, ପାତ୍ର ମନ୍ତ୍ରୀଙ୍କ ସହ ଅଲୋଚନା କରି ମହର୍ଷି ନାରଦଙ୍କ ଉପଦେଶ କ୍ରମେ ମହାରାଣୀ ପଦ୍ମାବତୀ ଧନ୍ୱନ୍ତରୀ ଓଷା କରିବେ ବୋଲି ସ୍ଥିର କରାଯାଇଛି । ଏଥିପାଇଁ ନନ୍ଦରାଜାଙ୍କ ଉଦେଶ୍ୟରେ ଚିଟାଉ ପ୍ରସ୍ତୁତ କରିଥିବା ବେଳେ କୃଷ୍ଣ ବଳରାମଙ୍କୁ ମାରିବା ପାଇଁ କାଳିୟ ନାଗକୁ ଗୋପପୁର ପଠାଇବା ପାଇଁ ଯୋଜନା କରି ଖୁସିରେ ଆତ୍ମହରା ହୋଇ ମହାରାଜ କଂସ ନୃତ୍ୟଗୀତର ଆୟୋଜନ କରିଛନ୍ତି ।

ଧନୁଯାତ୍ରାର ଚତୁର୍ଥ ଦିବସରେ ଲୋକ କବି ହଲଧର ନାଗ ମହାରାଜାଙ୍କ ଦରବାରରେ ଅତିଥି ଭାବେ ଯୋଗ ଦେଇଥିଲେ । ବରଗଡରେ କ୍ୟାନ୍ସର ହସ୍ପିଟାଲ ପାଇଁ ସେ ଦାବି କରିଥିବା ବେଳେ ମହାରାଜ କଂସ ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଦେଶ ଦେଇଛନ୍ତି । ତେବେ ଧନୁଯାତ୍ରାର ପଂଚମ ଦିନରେ କୃଷ୍ଣ ବଳରାମଙ୍କ ବାଲ୍ୟଲିଳା, ଯାମଲାଜ୍ଜୁନ ଭଞ୍ଜନ, କାଳିୟ ଦଳନ ଏବଂ ଗୋପିଙ୍କ ଦଧିବିକା ଚିତ୍ର ଅଭିନିତ ହେବ ।