ଘନକୁହୁଡି ପାଇଁ ୫୫ ଟ୍ରେନକୁ ବାତିଲ କଲା ରେଳବାଇ । ସେପଟେ ୨ରୁ ୩ ଘଣ୍ଟା ବିଳମ୍ବରେ ଚାଲୁଛି ଅନେକ ଟ୍ରେନ

ପ୍ରବଳ କୁହୁଡି ପାଇଁ ୫୫ ଟ୍ରେନକୁ ବାତିଲ କଲା ରେଳବାଇ

121

କନକ ବ୍ୟୁରୋ : ପ୍ରବଳ କୁହୁଡି ପାଇଁ ୫୫ ଟ୍ରେନକୁ ବାତିଲ କଲା ରେଳବାଇ । ମିଳିଥିବା ସୂଚନା ଅନୁସାରେ ରାଜଧାନୀ ଦିଲ୍ଲୀରେ ପ୍ରବଳ କୁହୁଡି ହୋଇଥିବାରୁ ରେଳ ଲାଇନ ସମ୍ପୂର୍ଣ୍ଣ କୁହୁଡିରେ ଆଚ୍ଛାଦିତ ହୋଇ ରହିଛି । ତେଣୁ ଲାଇନରେ ଟ୍ରେନ ଚଳାଚଳ ସମ୍ଭବ ହୋଇପାରୁନାହିଁ । ଟ୍ରାକ ଉପରେ ଅନେକ ଟ୍ରେନ ସିଗନାଲ ନପାଇ ଛିଡା ହୋଇ ରହିଥିବା ମଧ୍ୟ ସୂଚନା ମିଳିଛି । ତେବେ ସଠିକ୍ ସମୟତ ଦୂରର କଥା ବହୁ ବିଳମ୍ଭରେ ମଧ୍ୟ ଟ୍ରେନ ପହଞ୍ଚୁନଥିବା ଜଣାପଡିଛି । ତେଣୁ ଲୋକମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ରେଳବାଇ ୫୫ ଟ୍ରେନକୁ ସମ୍ପୂର୍ଣ୍ଣ ବାତିଲ କରିଥିବା ବେଳେ ୨୫ ଟ୍ରେନକୁ ସାମୟିକ ଭାବରେ ବାତିଲ କରାଯାଇଛି । ୧୧ ଟ୍ରେନ ବିଳମ୍ଭରେ ଚାଲୁଛି । ବର୍ତମାନ ଦିଲ୍ଲୀରେ ତାପମାତ୍ରା ୭.୧ ରହିଥିବା ସମୟରେ ମଧ୍ୟ ପ୍ରବଳ କୁହୁଡି ଲାଗିରହିଛି । ଘନକୁହୁଡି ପାଇଁ ରେଳ ଚଳାଚଳରେ ବ୍ୟାଘତ ହୋଇଛି । ତେଣୁ ରେଳ ଲାଇନରେ ଅନେକ ଟ୍ରେନ ଛିଡା ହୋଇ ରହିଛି ।

 

ମିଳିଥିବା ସୂଚନା ଅନୁସାରେ ପୁରୀ-ନୂଆଦିଲ୍ଲୀ ପୁରୁଷୋତ୍ତମ ଏକ୍ସପ୍ରେସ, ହାୱାଡା ନୂଆଦିଲ୍ଲୀ ପୂର୍ବ ଏକ୍ସପ୍ରେସ, ମାଲଦା-ଆନନ୍ଦ ବିହାର ଏକ୍ସପ୍ରେସ, ମୁମ୍ବାଇ-ଅମୃତସର ଏକ୍ସପ୍ରେସ ଏବଂ ଫରାକା ଏକ୍ସପ୍ରେସ ସହ ଅନେକ ଟ୍ରେନକୁ ବାତିଲ କରାଯାଇଛି । ଏହାସହ ଅନେକ ଟ୍ରେନ ୩ ଘଣ୍ଟାରୁ ଅଧିକ ସମୟ ବିଳମ୍ବରେ ଚାଲୁଅଛି । ଯାତ୍ରୀମାନଙ୍କ ସୁବିଧା ପାଇଁ ଏପରି ବିହିତ ପଦକ୍ଷେପ ନିଆଯାଇଥିବା ଜଣାପଡିଛି । ଅନେକ ଟ୍ରେନ ବାତିଲ ହେବା ଯୋଗୁଁ ରେଳରେ ଯିବା ପାଇଁ ଟିକେଟ କରିଥିବା ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ହେଲେ ଟ୍ରେନ ଚଳାଚଳ ସମ୍ଭବ ହୋଇପାରୁନଥିବାରୁ ଏପରି ନିଷ୍ପତ୍ତି ନେଇଛନ୍ତି । ଆଗକୁ ଯଦି ପାଗରେ କୌଣସି ପରିବର୍ତନ ନହୁଏ ତେବେ ଆଗାମୀ ଦିନରେ ମଧ୍ୟ ଏପରି ନିଷ୍ପତ୍ତି ନିଆଯାଇପାରେ ବୋଲି ସୂଚନା ମିଳିଛି ।