ନୌସେନା ଦିବସରେ ଭାରତର ଗର୍ବ ଓ ଗୌରବର ଝଲକ : ଗେଟ୍ ୱେ ଅଫ୍ ଇଣ୍ଡିଆରେ ଶକ୍ତି ପ୍ରଦର୍ଶନ

33

କନକ ବ୍ୟୁରୋ : ୪୫ ତମ ନୌସେନା ଦିବସ ପାଳନ କରୁଛି ଭାରତ । ୧୯୭୧ ରେ ଭାରତ-ପାକିସ୍ତାନ ଯୁଦ୍ଧରେ ପାକିସ୍ତାନୀ ନୌସେନା ଘାଟିକୁ ଧ୍ୱଂସ କରିଥିଲା ଭାରତୀୟ ନୌସେନା । ଏହି ସ୍ମୃତିକୁ ମନେ ପକାଇ ପ୍ରତିବର୍ଷ ଡିସେମ୍ବର ୪ ତାରିଖରେ ପାଳନ ହେଉଛି ନୌସେନା ଦିବସ । ଏଥି ପାଇଁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।

ବିଶେଷ କରି ନୌସେନା ତାର ଶକ୍ତି ପ୍ରଦର୍ଶନ କରିଛି । ମୁମ୍ବାଇର ଗେଟ୍ ୱେ ଅଫ୍ ଇଣ୍ଡିଆ ସମ୍ମୁଖରେ ଚିତାକର୍ଷକ ରଣକୌଶଳ ପ୍ରଦର୍ଶନ କରିଛନ୍ତି ନୌବାହିନୀର ସାହସୀ ଯବାନ । ବିଭିନ୍ନ ପ୍ରକାର ପରେଡ୍ ସହ ରଂଗାରଂଗ କାର୍ଯ୍ୟକ୍ରମକୁ ଉପଭୋଗ କରିଛନ୍ତି ହଜାର ହଜାର ଦର୍ଶକ । ଏହି ଅବସରରେ ଗର୍ବ ଆଉ ଗୌରବର ସ୍ମୃତି ଚାରଣ କରିଛି ନୌସେନା ।

ପଂଚମ ବୃହତ୍ ସାମୁଦ୍ରିକ ଶକ୍ତି ଭାବେ ଭାରତୀୟ ନୌସେନାର ରହିଛି ସ୍ୱତନ୍ତ୍ର ପରିଚୟ । ଆନ୍ଧ୍ରପ୍ରଦେଶ ବିଶାଖାପଟନମ୍ ରେ ୨୪ଟି ଯୁଦ୍ଧଜାହାଜ ଓ ୧୭ଟି ନୌସେନା ଏୟାରକ୍ରାଫ୍ଟ ଦୁଃସାହସିକ ସମରକଳା ପ୍ରଦର୍ଶନ କରିଛନ୍ତି ନୌସେନାର ଯବାନ ମାନେ । ନୌସେନା ଦିବସରେ ସାମିଲ ହୋଇଛନ୍ତି ତିନି ସେନା ମୁଖ୍ୟ । ନୌସେନା ମୁଖ୍ୟ ସୁନୀଲ ଲାମ୍ବାଙ୍କ ସହ ବାୟୁସେନା ମୁଖ୍ୟ ଅରୂପ ରାହା ଓ ସ୍ଥଳସେନା ମୁଖ୍ୟ ଜେନେରାଲ ଦଲବୀର ସିଂହ ସୁହାଗ ସାମିଲ ହୋଇଛନ୍ତି ।

ନୌସେନା ଦିବସ ଅବସରରେ ଆଡମିରାଲ ସୁନୀଲ ଲାମ୍ବା କହିଛନ୍ତି ଭାରତ ମହାସାଗରରେ ଯେ କୌଣସି ଆକ୍ରମଣକୁ ପ୍ରତିହତ କରିବା ପାଇଁ ଭାରତୀୟ ନୌସେନା ସର୍ବଦା ପ୍ରସ୍ତୁତ ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ନୌସେନା ଯବାନ ଓ ସେମାନଙ୍କ ପରିବାରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହା ପୂର୍ବରୁ ତିନି ସେନାମୁଖ୍ୟ ଓ ପ୍ରଧାନମନ୍ତ୍ରୀଙ୍କ ସମେତ ଅନ୍ୟ ବରିଷ୍ଠ ମନ୍ତ୍ରୀମାନେ ଅମର ଯବାନ ଜ୍ୟୋତିରେ ସହିଦ୍ ଯବାନ ମାନଙ୍କୁ ଶ୍ରଦ୍ଧାଂଜଳି ଜଣାଇଥିଲେ ।