ମୁହଁ ଲୁଚାଇଲେ ପୁରୁଷ ମାଓବାଦୀ ! ସୁରକ୍ଷାକର୍ମୀଙ୍କ ଗୁଳି ଖାଇବାକୁ ଠେଲିଦେଲେ ମହିଳା କ୍ୟାଡର ମାଓବାଦୀଙ୍କୁ

32

କନକ ବ୍ୟୁରୋ : ସରକାର ଓ ସୁରକ୍ଷାକର୍ମୀଙ୍କୁ ଚ୍ୟାଲେଂଜ୍ ଦେଉଥିବା ଲାଲବାହୀନିର ନୂଆ ରଣନୀତି । ମହିଳାଙ୍କୁ ଆଗକୁ କରି, ଖସିଗଲେ ପୁରୁଷ ମାଓବାଦୀ । ନାରାୟଣପାଟଣା ଡୋକରୀ ଘାଟୀରେ ବିଳମ୍ବିତ ରାତିରେ ପୁଲିସ ସହ ମୁହାମୁହିଁ ବେଳେ ନକ୍ସଲ ସଂଗଠନର ଏଭଳି ଚିତ୍ର ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି । ପୁଲିସ ଗୁଳିରେ ୪ ମହିଳା ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ବେଳେ ବ୍ୟାପକ ପରିମାଣରୁ ଗୁଳିଗୋଳା ଜବତ ହୋଇଛି ।

ମହିଳାଙ୍କୁ ଢାଲକରି ଖସିଗଲେ ମାଓବାଦୀ । ସୁରକ୍ଷାକର୍ମୀଙ୍କ ସହ ମୁହାଁମୁହିଁ ଲଢେଇରେ ମୁହଁ ଲୁଚାଇଲେ ପୁରୁଷ ମାଓବାଦୀ । ବର୍ଷବର୍ଷଧରି ସରକାର, ଶାସନ ଓ ସୁରକ୍ଷାକୁ ଖୋଲାଖୋଲି ଚ୍ୟାଲେଞ୍ଜ ଦେଇଆସୁଥିବା ଲାଲବାହିନୀର ରଣନୀତିରେ ପ୍ରଥମଥର ଲାଗି ଏଭଳି ପରିବର୍ତନ ଦେଖିବାକୁ ମିଳିଛି । ଯେଉଁଠି ମାଓ କ୍ୟାମ୍ପ ଉପରେ ଅତର୍କିତ ଆକ୍ରମଣବେଳେ ସାଥୀ ମହିଳାମାନଙ୍କୁ ଆଗକୁ କରି ପୋଲିସ ଗୁଳିରୁ ଲୁଚିଛନ୍ତି ପୁରୁଷ ନକ୍ସଲ । କହିବାକୁ ଗଲେ ନିଜ ଜୀବନ ବଂଚାଇବାକୁ ଯାଇ ମହିଳା କ୍ୟାଡରଙ୍କୁ ମୃତ୍ୟୁ ମୁଖକୁ ଠେଲି ଦେଇଛନ୍ତି । କୋରାପୁଟ ଜିଲ୍ଲା ନାରାୟଣପାଟ୍ଟଣା ଡୋକରୀ ଘାଟିରେ ୪ ମହିଳା ମାଓବାଦୀଙ୍କୁ ଏନକାଉଂଟର କରିଛି ପୋଲିସ ।

ଛତିଶଗଡ ସୁକମାରେ କିସ୍ତରାମ ଲ୍ୟାଣ୍ଡମାଇନ ବିସ୍ଫୋରଣ ପରେ ପ୍ରତିଶୋଧ ପରାୟଣ ହୋଇଛି ସୁରକ୍ଷା ବାହିନୀ । ଗୁଇନ୍ଦା ରିପୋର୍ଟ ଆଧାରରେ ଡିଭିଏଫ ଓ ଏସଓଜି ଯାବନଙ୍କ ମିଳିତ ଅପରେସନକୁ ମିଳିଛି ବଡ ସଫଳତା । ୪ ମହିଳା ମାଓବାଦୀଙ୍କ ମୃତ୍ୟୁ ହୋଇଥିବାବେଳେ ୭ରୁ ଅଧିକ ଆହତ ହୋଇଥିବା ସୂଚନା ରହିଛି । ମୃତକଙ୍କ ମଧ୍ୟରେ ଅଛି ଛତିଶଗଡ କ୍ୟାଡରର ମାଓବାଦୀ ଉଙ୍ଗି ଓରଫ ହାରତୀ । ଯାହା ନାଁରେ ଥିଲା ୪ଲକ୍ଷ ଟଙ୍କାର ପୁରସ୍କାର । ଏମାନେ ସମସ୍ତେ ମାଓନେତ୍ରୀ ଅରୁଣାର ସହଯୋଗୀ ବୋଲି ଜଣାପଡିଛି ।

ମାଓ କ୍ୟାମ୍ପରୁ ମିଳିଛି ବିପୁଳ ପରିମାଣର ବିସ୍ଫୋରକ । ୪ଟି ଏସଏଲଆର ବନ୍ଧୁକ, ଗୋଟିଏ ଇନସାସ ବନ୍ଧୁକ ଓ ଗୋଟିଏ ୩୦୩ ରାଇଫଲ ସହ ୨ଟି ଟିଫିନ ବୋମା, ୪ଟି ଡିଟୋନେଟର, ୧୬୯ ରାଉଣ୍ଡ ଗୁଳି, ଇନସାସ ମାଗାଜିନ୍, ୨୦ ମିଟର କପର ତାର ଜବତ କରାଯାଇଛି । ଏହି କପର ତାର ବୋମା ତିଆରିରେ ବ୍ୟବହାର କରାଯାଏ ବୋଲି ପୋଲିସ ସୂଚନା ଦେଇଛି ।