କେବେ ଖୋଲିବ ରତ୍ନଭଣ୍ଡାର ? ଭଣ୍ଡାର ଗୃହର ବାହାର ପଟୁ ବୁଲି ଦେଖିଲେ ବିଶେଷଜ୍ଞ, ଏବେ ସରକାରଙ୍କ ଅନୁମତିକୁ ଅପେକ୍ଷା

41

କନକ ବ୍ୟୁରୋ : ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବ ନା ନାହିଁ ସେ ନେଇ ରତ୍ନଭଣ୍ଡାର ସବ କମିଟିର ଜରୁରୀ ବୈଠକ ଉପରେ ସମସ୍ତଙ୍କ ନଜର । ଯେଉଁଥିରେ ଭଣ୍ଡାର ଘର ଖୋଲିବା ନେଇ ନିଷ୍ପତି ନିଆଯାଇପାରେ । ଏପଟେ ଆଜି ରତ୍ନ ଭଣ୍ଡାରର ବାହାର ଗୃହକୁ ଯାଂଚ କରିଛନ୍ତି ବିଶେଷଜ୍ଞ ଓ ଶ୍ରୀମନ୍ଦିର କୋର କମିଟି ସଦସ୍ୟ । ତେବେ ଏହି ଯାଞ୍ଚ କରିବା ପରେ ସେମାନେ ଏକ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି । ରତ୍ନ ଭଣ୍ଡାରର ସ୍ଥିତି ଜାଣିବା ପାଇଁ ରତ୍ନ ଭଣ୍ଡାରର ଭିତର ପଟୁ ଯାଂଚ ନିହାତି ଆବଶ୍ୟକ । ନହେଲେ ଏହାର ସ୍ଥିତି ଠିକ୍ ଭାବେ ଜାଣି ହେବନାହିଁ । ହାଇକୋର୍ଟ ରତ୍ନଭଣ୍ଡାର କେତେ ସୁରକ୍ଷିତ ଅଛି ତାର ସ୍ଥିତି ଜାଣିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ତେବେ ଆଜି ବିଶେଷଜ୍ଞମାନେ ଭିତର ପଟୁ ଯାଂଚ କରିବା ଜରୁରି ବୋଲି କହିବା ପରେ ଘଟଣା ଏକ ନୂଆ ମୋଡ ନେଇଛି । ଭିତର ପଟୁ ଯାଂଚ କରିବା ଅର୍ଥ ରତ୍ନଭଣ୍ଡାରର ଭିତର ଗୃହ ଖୋଲା ହେବା ଆବଶ୍ୟକ । ସେପଟେ ରତ୍ନ ଭଣ୍ଡାର ଖୋଲାଯିବାକୁ ପ୍ରବଳ ବିରୋଧ କରାଯାଉଛି । ଧାର୍ମିକ ଭାବାବେଗ ସହ ଏହା ଜଡିତ ଥିବାରୁ ଏ ନେଇ ରତ୍ନଭଣ୍ଡାର ସବ୍ କମିଟି କଣ ନିଷ୍ପତି ନେଉଛନ୍ତି, ତାହା ଉପରେ ସମସ୍ତଙ୍କ ନଜର ରହିଛି ।

ଶ୍ରୀମନ୍ଦିର ରତ୍ନଭଣ୍ଡାରର ବାହାର ଗୃହକୁ ଯାଂଚ କରିବା ପରେ ବିଶେଷଜ୍ଞ ମାନେ କହିଛନ୍ତି ରତ୍ନଭଣ୍ଡାରର ପ୍ରକୃତ ସ୍ଥିତି ଜାଣିବା ପାଇଁ ଭିତର ପଟୁ ଯାଂଚ କରିବା ନିହାତି ଆବଶ୍ୟକ । ନହେଲେ ପ୍ରକୃତ ସ୍ଥିତି ଜଣାପଡିବ ନାହିଁ । ତେବେ ବାହାର ଭଣ୍ଡାରର ତିନି ପାଶ୍ୱର୍ କାନ୍ଥ ଓ ଛାତ ଠିକ୍ ଥିବା କହିଛନ୍ତି ଅଧିକାରୀ । ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଆଜି ବାହାର ଭଣ୍ଡାରର ସ୍ଥିତି ଯାଂଚ କରିଥିଲେ କୋର କମିଟି ସଦସ୍ୟ ଓ ପ୍ରତ୍ନତତ୍ୱ ବିଭାଗର ବିଶେଷଜ୍ଞ । ତେବେ ରତ୍ନଭଣ୍ଡାର ଖୋଲିବା ପାଇଁ ଏ ଯାଏଁ ସରକାରଙ୍କ ଅନୁମତି ମିଳିନଥିବାରୁ ଭିତରେ ନପଶି ବାହାର ପଟୁ ଯାଂଚ କରିଥିଲେ ବିଶେଷଜ୍ଞ ।

କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ମନରେ ଉକ୍ରଣ୍ଠା ବଢୁଥିବା ବେଳେ ସୁନା, ମୋତି, ମାଣିକ୍ୟରେ ଭରି ରହିଥିବା ରତ୍ନଭଣ୍ଡାରର ଭିତର ଗୃହ ଖୋଲାଯିବା ନେଇ ସଂଦେହ ସୃଷ୍ଟି ହୋଇଛି । ରତ୍ନଭଣ୍ଡାର ଖୋଲିବା ପାଇଁ ଓଡିଶା ସରକାର ଅନୁମତି ଦେବାରେ ବିଳମ୍ବ କରିଛନ୍ତି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ରତ୍ନଭଣ୍ଡାର ସବକମିଟି ବୈଠକ ଉପରେ ରହିଛି ସମସ୍ତଙ୍କ ନଜର । ରତ୍ନଭଣ୍ଡାର ସବକମିଟି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସମେତ ଉପମୁଖ୍ୟ ପ୍ରଶାସକ, ପୁରୀ ଏସପି, ଆଇନ ବିଭାଗ ଅତିରିକ୍ତ ଶାସନ ସଚିବ, ଶ୍ରୀମନ୍ଦିର ପ୍ରତ୍ନତତ୍ତ୍ୱ ଅଧିକ୍ଷକ ଓ ଦୁଇ ଜଣ ସଭ୍ୟ ଏ ନେଇ ଆଲୋଚନା କରିବେ ।

ରତ୍ନଭଣ୍ଡାର ଯାଂଚ ନେଇ ବଢିଚାଲିଛି ସେବାୟତଙ୍କ ଅସନ୍ତୋଷ । ଏହି ପ୍ରସଙ୍ଗରେ ଇଛାମୃତ୍ୟୁ ଦାବି କରି ଅନଶନ ଜାରି ରଖିଥିବା ନରସିଂହ ପୂଜାପଣ୍ଡାଙ୍କ ଅବସ୍ଥା ଗୁରୁତର ହୋଇଛି । ଗୋଟିଏ ପଟେ ଭାବାବେଗ ଓ ଲୋକକଥା ଅନ୍ୟପଟେ ରତ୍ନଭଣ୍ଡାରର ସୁରକ୍ଷା ଚିନ୍ତା । ଏହାରି ଭିତରେ ଆହୁରି ରହସ୍ୟମୟ ହୋଇଉଠୁଛି ବର୍ଷ ବର୍ଷ ଧରି ଖୋଲା ହୋଇନଥିବା ଶ୍ରୀମନ୍ଦିରର ରତ୍ନଭଣ୍ଡାର ।