ନୂଆ ବସ ଟର୍ମିନାଲକୁ ବିରୋଧ : ୩ ଦିନ ହେଲା ଗଞ୍ଜାମରେ ବସ ଚଳାଚଳ ବନ୍ଦ, ଯାତ୍ରୀ ହାଇରାଣ

32

କନକ ବ୍ୟୁରୋ: ଗଂଜାମରେ ଗଡୁନି ବସ୍ । ହଳଦିଆ ପଦରଠାରେ ହୋଇଥିବା ନୂତନ ବସ୍ଷ୍ଟାଣ୍ଡ ବିରୋଧରେ ଗଞ୍ଜାମ ବସ୍ ମାଲିକ ସଂଘର ଆନ୍ଦୋଳନ ଯୋଗୁ ଜିଲ୍ଲାର ପ୍ରାୟ ୬୦୦ରୁ ଅଧିକ ବସ୍ ଚଳାଚଳ ବନ୍ଦ ରହିଛି । ଫଳରେ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମୁଖୀନ ହେଉଛନ୍ତି ।

ହଳଦିଆ ପଦରଠାରେ ୧୨ କୋଟି ବ୍ୟୟ ଅଟକଳରେ ନିର୍ମାଣ ହୋଇଥିବା ନୂତନ ବସ୍ ଷ୍ଟାଣ୍ଡକୁ ନେଇ ଏହି ବିବାଦ ଦେଖାଦେଇଛି । ଦକ୍ଷିଣ ଓଡ଼ିଶାର ବ୍ରହ୍ମପୁର ବଡ ସହର ହୋଇଥିବାରୁ ଏଠାକୁ ଚିକିତ୍ସା ଓ ବ୍ୟବସାୟ ପାଇଁ ପ୍ରତିଦିନ ହଜାର ହଜାର ଲୋକ ଯାଆସ କରୁଥିବା ବେଳେ ଅସୁବିଧା ଭୋଗୁଛନ୍ତି । ଅନେକ ଯାତ୍ରୀ ଷ୍ଟେସନ ଓ ବସ ଷ୍ଟାଣ୍ଡରେ ବସି ରହୁଥିବା ଦେଖିବାକୁ ମିଳୁଛି ।

ଉଲ୍ଲେଖ ଥାଉ କି, ବ୍ରହ୍ମପୁର ଟାଉନ ସ୍ଥିତ ବସଷ୍ଟାଣ୍ଡ ସ୍ଥାନାନ୍ତରଣକୁ ନେଇ ବିବାଦ ଦେଖାଦେଇଛି । ଫଳରେ ଜୁଲାଇ ୧ ତାରିଖରୁ ଗଞ୍ଜାମ ଜିଲ୍ଲାର ସମସ୍ତ ବସ ଚଳାଚଳ ଠପ ହୋଇଯାଇଛି । ହଳିଆପଦରଠାରେ ୧୨କୋଟି ଟଙ୍କାରେ ନିର୍ମାଣ ହୋଇଛି ଏହି ବସଷ୍ଟାଣ୍ଡ । ତେବେ ନୂଆ ବସଷ୍ଟାଣ୍ଡକୁ ଗମନାଗମନ ସୁବିଧା ନଥିବାରୁ ବସ ମାଲିକମାନେ ଯିବାକୁ ମନାକରୁଛନ୍ତି । ଏହାକୁ ନେଇ  ବସ ମାଲିକମାନେ ବସ ଚଳାଚଳ ବନ୍ଦ କରିଛନ୍ତି ।