୨୦୧୯ ନିର୍ବାଚନ … ଚାଷୀ ଭାଇ ପାର କରେଗା ? 

164

କନକ ବ୍ୟୁରୋ : କୃଷି ଋଣ ଛାଡ଼ ନେଇ ରାଜନୈତିକ ପ୍ରତିଯୋଗିତା ଭିତରେ ମୁଖ୍ୟମନ୍ତ୍ରୀ ଆଜି ଏକ ବଡ଼ ଇସାରା କରିଛନ୍ତି । ଓଡ଼ିଶାରେ କୃଷି ଋଣ ଛାଡ ନେଇ ସାମ୍ବାଦିକଙ୍କ ପ୍ରଶ୍ନର ଉତରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, କୃଷି ଋଣ ଛାଡ଼ ପ୍ରସଙ୍ଗରେ ଅନୁଧ୍ୟାନ ଚାଲିଛି । ମୁଖ୍ୟମନ୍ତ୍ରୀଙ୍କ ଏହି ଉତର ଏବେ ଓଡ଼ିଶାରେ ଚାଷ ଓ ଚାଷୀ ପ୍ରସଙ୍ଗର ଗୁରୁତ୍ୱକୁ ବଢ଼ାଇ ଦେଇଛି । ଅନ୍ୟପଟେ ବିରୋଧୀ କଂଗ୍ରେସ ଓ ବିଜେପି ମଧ୍ୟ ସମାନ ଢ଼ଙ୍ଗରେ କୃଷି ଋଣ ଛାଡ଼ ପାଇଁ ପୂର୍ବରୁ ଘୋଷଣା କରି ସାରିଛନ୍ତି । ଆଉ ଆସନ୍ତା ୮ ତାରିଖରେ ନିଜ ନିଜ ବାଟରେ ଆନ୍ଦୋଳନକୁ ଓହ୍ଲାଉଛନ୍ତି ରାଜ୍ୟର ୩ପ୍ରମୁଖ ରାଜନୈତିକ ଦଳ ।

ଓଡ଼ିଶାରେ କୃଷି ଋଣ ଛାଡକୁ ନେଇ ଜୋରଦାର ବିତର୍କ ଚାଲିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ଗୋଟିଏ ପଦ କଥା ଚାଷୀମାନଙ୍କ ପାଇଁ ଯେତିକି ଗୁରୁତ୍ୱ ରଖୁଛି, ପୂର୍ବରୁ ଋଣ ଛାଡ଼ ପାଇଁ ପ୍ରତିଶ୍ରୁତି ଦେଇଥିବା ବିରୋଧୀ ଦଳ ପାଇଁ ସେତିକି ବଡ ଚ୍ୟାଲେଂଜ୍ ସୃଷ୍ଟି କରିଛି । କାରଣ ଓଡ଼ିଶାରେ କୃଷି ଋଣ ଛାଡ ପ୍ରସଙ୍ଗରେ ନବୀନ କହୁଛନ୍ତି- ଆମେ ସମୀକ୍ଷା କରୁଛୁ ।

ଏହି କୃଷି ଋଣ ଛାଡକୁ ଅସ୍ତ୍ରକରି କଂଗ୍ରେସ ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନରେ ନିର୍ବାଚନୀ ବୈତରଣୀ ପାର ହେବା ପରେ, ଏହି ଋଣ ଛାଡ ପ୍ରସଙ୍ଗକୁ ନେଇ ଓଡ଼ିଶାରେ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ପ୍ରତିଯୋଗିତା ଚାଲିଛି । ପୂର୍ବରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ରଖିଥିବା ପ୍ରତିଶ୍ରୁତିକୁ ଦୋହରାଇଛନ୍ତି, ଯେତେବେଳେ ବିଜେପି, କ୍ଷମତାକୁ ଆସିଲେ ଋଣ ଛାଡ କରିବୁ ବୋଲି ଘୋଷଣା କରିଛି । ଏମିତି କି’ କଂଗ୍ରେସ ଗୋଟିଏ ପାଦ ଆଗକୁ ବଢ଼ି, କ୍ଷମତାକୁ ଆସିଲେ ସମସ୍ତଙ୍କୁ ଜମି ଯୋଗଇ ଦେବାକୁ ଘୋଷଣା କରିଛି ।

ରାଜନୈତିକ ଏହି ବୟାନବାଜି ଭିତରେ ଆସନ୍ତା ୮ ତାରିଖରେ ବିଜେଡି, ବିଜେପି ଓ କଂଗ୍ରେସ ନିଜ ନିଜ ଢ଼ଙ୍ଗରେ ଆନ୍ଦୋଳନ କରିବାକୁ ଯାଉଛନ୍ତି । ଦିଲ୍ଲୀରେ ସଂସଦ ଘେରିବ ବିଜେଡି, ଭୁବନେଶ୍ୱରରେ ସଚିବାଳୟ ଘେରିବ ବିଜେପି ଏବଂ କଂଗ୍ରେସ ରାଜଭବନ ଆଗରେ ଧାରଣା ଦେବ । ରାଜନୈତିକ ଦଳଗୁଡ଼ିକର ଏହି ତତ୍ପରତାରୁ ଗୋଟିଏ କଥା ସ୍ପଷ୍ଟ ଯେ,-ଆଗାମୀ ସାଧାରଣ ନିର୍ବାଚନରେ ଚାଷ ଓ ଚାଷୀ ପ୍ରସଙ୍ଗ ବେଶ ଗୁରୁତ୍ୱ ବହନ କରିବାକୁ ଯାଉଛି ।