ଜୀବନ ମାଗୁଛନ୍ତି ଦିବ୍ୟାଙ୍ଗ ! ଅଲୋଡା ଶିଶୁଙ୍କ ଅକୁହା କାହାଣୀ

70

 

କନକ ବ୍ୟୁରୋ : ଶିଶୁଦିବସରେ ଶିଶୁମାନଙ୍କ ମଧ୍ୟରେ ଆନନ୍ଦ କହିଲେ ନସରେ । ଚଳିତ ବର୍ଷର ଶିଶୁ ଦିବସ ଟିକେ ନିଆରା କାରଣ ସ୍କୁଲରେ ମୁଖ୍ୟମନ୍ତ୍ରୀଙ୍କ “ମନ କୀ ବାତ” ଶୁଣିଛନ୍ତି ଛାତ୍ରଛାତ୍ରୀ । କିନ୍ତୁ ଏହି ଶିଶୁ ଦିବସ ହସ ଫୁଟାଇ ପାରିନି ପୁରୀ ଜିଲ୍ଲାର ତିନି ଶିଶୁଙ୍କ ମୁହଁରେ । ଶିଶୁ ଦିବସରେ ଏମିତି ଏକ ପରିବାରର କାହାଣୀ ଆମେ କହିବୁ ଯାହା ଶୁଣିଲେ ଆପଣଙ୍କ ଆଖିରେ ଲୁହ ଆସିଯିବ । ଗୋଟିଏ ପରିବାରର ତିନି ଦିବ୍ୟାଙ୍ଗ ଶିଶୁଙ୍କ କାହାଣୀ ଯେଉଁମାନେ ଆଜି ଶିଶୁଦିବସରେ ମଧ୍ୟ ଅଲୋଡା ।

ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଦିଘାଳୋପାଟଣା ଗାଁର ଅମରେଶ୍ୱର ସାହୁ ଓ ସୀତା ସାହୁଙ୍କ ଛୋଟ ପରିବାର । ଏହି ଛୋଟ ପରିବାର ଉପରେ ଛିଡି ପଡିଛି ଦୁଃଖର ପାହାଡ । ଭଗବାନ ୩ଟି ଶୁଶୁ ଦେଇଛନ୍ତି ଏହି ଦମ୍ପତିଙ୍କୁ । ହେଲେ ସମସ୍ତେ ଦିବ୍ୟାଙ୍ଗ । ହଠାତ୍ ୧୦ ବର୍ଷ ବୟସରୁ ଅଜଣା ରୋଗରେ ପୀଡ଼ିତ ହୋଇ ଦିବ୍ୟାଙ୍ଗ ହୋଇଯାଇଛନ୍ତି ସହେଦେବ, ଚନ୍ଦନ ଏବଂ ପରମେଶ୍ୱର । ପାଠପଢ଼ି ଭଲ ମଣିଷ ହେବାର ଆଖିଏ ସ୍ୱପ୍ନକୁ ଛଢାଇ ନେଇଛି ଅଜଣା ରୋଗ । ଇଛା ଥିଲେ ବି କିଛି କରିବାକୁ ଅକ୍ଷମ ୩ ପିଲା, ନୀଳକଣ୍ଠେଶ୍ୱର ଉଚ୍ଚ ବିଦ୍ୟାଳୟରେ ପାଠପଢୁଛନ୍ତି । ହେଲେ ରୋଗ ଗ୍ରାସ କରିବା ପରେ ଚାଲିପାରୁନଥିବା ତିନି ଭାଇ ପାଠପଢ଼ାରେ ଡୋରି ବାନ୍ଧି ଘରେ ପଡି ରହିଛନ୍ତି ।

ପରଘରେ ମୂଲ ଲାଗି ପିଲାଙ୍କ ପେଟକୁ ଦାନା ଗଣ୍ଡାଏ ଜୋଗାଡ କରୁଥିବା ଅମରେଶ୍ୱର, ପିଲାଙ୍କ ଚିକିତ୍ସା କରାଇବା ପାଇଁ ସମ୍ପୂର୍ଣ୍ଣ ଅସମର୍ଥ । ପ୍ରାଥମିକ ପର୍ଯ୍ୟାୟରେ ପାଖରେ ଥିବା ସମସ୍ତ ସମ୍ବଳ ପିଲାଙ୍କ ଚିକିତ୍ସା ବାବଦରେ ଖର୍ଚ କରିସାରିବା ପରେ ଏବେ ୩ ଦିବ୍ୟାଙ୍ଗ ପିଲାଙ୍କୁ ଘରେ ରଖି ଭାଗ୍ୟକୁ ଆଦରି ନେଇଛନ୍ତି ଏହି ଦମ୍ପତି । ଦିବ୍ୟାଙ୍ଗ ୩ ଛାତ୍ରଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ସ୍କୁଲ ପକ୍ଷରୁ ଚେଷ୍ଟା କରାଯାଉଥିବା କହିଛନ୍ତି ନୀଳକଣ୍ଠେଶ୍ୱର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ।

ରାଜ୍ୟ ସରକାର ରାଜ୍ୟ ସ୍ତରୀୟ ଶିଶୁ ଦିବସ ପାଳନ କରିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ଏହି ତିନି ଦିବ୍ୟାଙ୍ଗ ଶିଶୁଙ୍କ ଉପରେ କାହାର ମଧ୍ୟ ଦୃଷ୍ଟି ପଡୁନି । ଗୋଟିଏ ପଟେ ମହାଆଡମ୍ବରରେ ସରକାର ଶିଶୁ ଦିବସ ପାଳନ କରୁଥିବା ବେଳେ ଚିକିତ୍ସା ଅଭାବରୁ ଅର୍କମଣ୍ୟ ହୋଇପଡିଥିବା ୩ ଭାଇ ସହଦେବ, ଚନ୍ଦନ ଏବଂ ପରମେଶ୍ୱରଙ୍କ ପାଠପଢ଼ାରେ ଡ଼ୋରୀ ବନ୍ଧା ହୋଇଛି ।