ଓଡିଶା ଉପରେ ଚନ୍ଦ୍ରବାବୁ ନାଇଡୁଙ୍କ ନଜର । ଓଡିଶାରେ ନିର୍ବାଚନ ଲଢିବ ତେଲଗୁ ଦେଶମ ପାର୍ଟି

୨୦୧୯ ନିର୍ବାଚନରେ ଓଡିଶାରୁ ଲଢିବ ତେଲୁଗୁଦେଶମ ପାର୍ଟି

521

କନକ ବ୍ୟୁରୋ : ଓଡିଶା ଉପରେ ତେଲୁଗୁଦେଶମ ପାର୍ଟି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁଙ୍କୁ ନଜର । ୨୦୧୯ ନିର୍ବାଚନରେ ଓଡିଶାରୁ ଲଢିବ ତେଲୁଗୁଦେଶମ ପାର୍ଟି । ଆସନ୍ତା ନିର୍ବାଚନରେ ଓଡିଶାରୁ ପ୍ରାର୍ଥୀ ଦେବ ତେଲୁଗୁଦେଶମ ପାର୍ଟି । ଏ ନେଇ ଦଳ ପକ୍ଷରୁ ପ୍ରାଥମିକ ସର୍ଭେ ଚାଲିଛି । ଖୁବଶୀଘ୍ର ନେଇ ଘୋଷଣା କରାଯିବ ବୋଲି କହିଛନ୍ତି ଓଡିଶା ପ୍ରଭାରୀ ରାଜେଶ ପୁତ୍ରା । ବିଶେଷକରି କୋରାପୁଟ ଓ ଗଞ୍ଜାମରେ ତେଲୁଗୁ ଭାଷାଭାଷୀ ଲୋକ ରହୁଥିବାରୁ ଏହି ଅଚଂଳ ଫୋକସରେ ରହିଛି ।

 

ରାଜେଶ ପୁତ୍ରା କହିଛନ୍ତି, ଆନ୍ଧ୍ର ଯେଭଳି ବିକାଶ ହୋଇଛି ସେହି କଥା କହି ଓଡିଶାର ଭୋଟରଙ୍କ ନିକଟକୁ ଦଳ ଯିବ । ଓଡିଶା ଲୋକ ବିକାଶ ଚାହୁଁଥିବାରୁ ଟିଡିପି ଓଡିଶା ରାଜନୀତିରେ ପ୍ରବେଶ କରିବ । ଏଥିପାଇଁ ସର୍ଭେ କରାଯାଉଛି ଓ ତେଲୁଗୁ ଭାଷାଭାସୀ ଅଂଚଳକୁ ଅଧିକ ଫୋକସରେ ରଖାଯାଉଛି । ୫୨ ବିଧାନସଭା ନିର୍ବାଚନମଣ୍ଡଳୀରେ ସର୍ଭେ ଚାଲିଛି । ଅନ୍ୟ ନିର୍ବାଚନମଣ୍ଡଳୀରେ ସର୍ଭେ ପରେ ନିଷ୍ପତି ନିଆଯିବ ବୋଲି ଶ୍ରୀ ପୁତ୍ରା କହିଛନ୍ତି । ଏହାସହ ସେ କହିଛନ୍ତି ଯେ, ଓଡିଶାରେ ଦୀର୍ଘଦିନ ହେବ ଗୋଟିଏ ସରକାର ରହିଲାଣି । ହେଲେ ସେପରି ଭାବରେ ଆଖିଦୃଶିଆ କୌଣସି ଉନ୍ନତି ହୋଇ ନାହିଁ ।

 

ତେଣୁ ଆମେ ଏଠାରେ ଲଢିବା ପାଇଁ ପ୍ରସ୍ତୁତ ରହିଛୁ । ଲୋକମାନେ ଚାହିଁଲେ ଆମେ ନିଶ୍ଚିତ ଭାବରେ ଓଡିଶାରେ ବିଜୟ ହେବୁ ବୋଲି ସେ କହିଛନ୍ତି । ତେବେ ଓଡିଶାରେ ଟିଡିପି ପ୍ରାର୍ଥି ଦେବା ନେଇ ବିଜେଡି ନେତା ତଥା ଖାଦ୍ୟ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ପାତ୍ର କହିଛନ୍ତି ଯେ, ସେମାନେ ପ୍ରାର୍ଥୀ ଦେଲେ ତାହାର କୌଣସି ପ୍ରକାର ଆମ ରାଜ୍ୟରେ ପ୍ରଭାବ ପଡିବ ନାହିଁ ।  ଦକ୍ଷିଣ ଓଡିଶାରେ ଥିବା ଜିଲ୍ଲାର ଲୋକଙ୍କୁ ଦେଖି ସେ ଏପରି ଚିନ୍ତା କରୁଛନ୍ତି । ହେଲେ ଏହାର ଓଡିଶାରେ କୌଣସି ପ୍ରଭାବ ନାହିଁ ବୋଲି ଶ୍ରୀପାତ୍ର କହିଛନ୍ତି । ସେପଟେ ଟିଡିପିର ପ୍ରାର୍ଥୀ ସମ୍ପର୍କରେ କଂଗ୍ରେସ ନେତା ତାରାପ୍ରସାଦ ବାହିନୀ ପତି କହିଛନ୍ତି ଯେ, ଓଡିଶାରେ ଯଦି ଟିଡିପି ପ୍ରାର୍ଥୀ ଦେବ ତେବେ କଂଗ୍ରେସ ଦଳରେ ପ୍ରଭାବ ପଡିବାର ପ୍ରଶ୍ନ ଉଠୁନାହିଁ । ଯଦି କ୍ଷତି ହେବା ତେବେ ବିଜେଡିର କ୍ଷତି ହୋଇପାରେ ବୋଲି ତାରା କହିଛନ୍ତି ।