ଫିଫା ବିଶ୍ୱକପରେ ଦୁଇ ଭାରତୀୟ ଶିଶୁ ! ବିଶ୍ୱକପ୍ ମ୍ୟାଚରେ ଖେଳାଯାଉଥିବା ବଲକୁ ନେଇ ଷ୍ଟାର ଖେଳାଳିଙ୍କ ସହ ନଜର ଆସୁଛନ୍ତି ଉଭୟ ।

27

ଚଳିତ ବର୍ଷ ଫିଫା ଫୁଟବଲ ବିଶ୍ୱକପ୍ ମହାକୁମ୍ଭରେ ଦୁଇ ଭାରତୀୟ ଶିଶୁଙ୍କୁ ପଡିଆରେ ଦେଖିବାକୁ ମିଳିଛି । ଏହି ଦୁଇ ଭାରତୀୟ ଶିଶୁ ହେଲେ କର୍ଣ୍ଣାଟକର ୧୦ ବର୍ଷୀୟ ବାଳକ ଋଷି ତେଜ ଏବଂ ତାମିଲନାଡୁର ୧୧ ବର୍ଷିୟା ବାଳିକା ନାଥାନିଆ ଜନ କେ । ଏହି ଦୁଇଜଣ ଫିଫା ମହାକୁମ୍ଭରେ ବଲ-ବଏ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ଏହାସହ ସେମାନଙ୍କୁ ପଡିଆ ମଧ୍ୟକୁ ମ୍ୟାଚରେ ଖେଳାଯିବାକୁ ଥିବା ଫୁଟବଲକୁ ଧରି ପ୍ରବେଶ କରିଥିବା ଦୃଶ୍ୟ ମଧ୍ୟ ସମଗ୍ର ବିଶ୍ୱରେ ପ୍ରତିପାଦିତ ହୋଇଛି ।

ପ୍ରଥମ ଭାରତୀୟ ଭାବେ ଗତ ସୋମବାର ଦିନ ସୋଚିରେ ବେଲଜିୟମ ଓ ପାନାମା ମଧ୍ୟରେ ଖେଳାଯାଇଥିବା ମୁକାବିଲାରେ ୧୦ ବର୍ଷୀୟ ଋଷି ତେଜ ମ୍ୟାଚରେ ଖେଳାଯିବାକୁ ଥିବା ଫୁଟବଲକୁ ଧରି ପଡିଆ ମଧ୍ୟକୁ ପ୍ରବେଶ କରିଥିଲେ । ଏହାସହ ଭାରତର ତାମିଲନାଡୁର ୧୧ ବର୍ଷିୟା ବାଳିକା ନାଥାନିଆ ଋଷିଆର କାଣ୍ଡାଥିଲ ଠାରେ ଫିଫା ବିଶ୍ୱକପରେ ଅଫିସିଆଲ ମ୍ୟାଚ ବଲ କ୍ୟାରିୟର୍ସ ଭାବେ ମନୋନୀତ ହୋଇଥିଲେ । ଆସନ୍ତା କାଲି ବ୍ରାଜିଲ ଓ କୋଷ୍ଟାରିକା ମଧ୍ୟରେ ଖେଳାଯିବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଖେଳାଳୀ ଏବଂ ରେଫରୀଙ୍କ ସହ ନାଥାନିଆ ପଡିଆକୁ ପ୍ରବେଶ କରିବାର ନଜର ଆସିବେ ।

ଉଭୟ ଋଷି ଓ ନାଥାନିଆ କହିବା ମୁତାବକ ଯେତେବେଳେ ଦୁଇଜଣ ଫିଫା ବିଶ୍ୱକପରେ ମ୍ୟାଚ ବଲକୁ ନେଇ ପଡିଆକୁ ପ୍ରବେଶ କରିବା କଥା ଜାଣିଲେ ସେତେବେଳ ତାଙ୍କୁ ବିଶ୍ୱାସ ହୋଇ ନଥିଲା । ତେବେ ଫିଫା ମ୍ୟାଚ ଅଫିସିଆଲଙ୍କ ତରଫରୁ ଅନୁଷ୍ଠିତ ଏକ ବଲ ବଏ ଚୟନ କାର୍ଯ୍ୟକ୍ରମରେ ନାଥାନିଆଙ୍କ ଫୁଟବଲ କୌଶଳରେ ୫୦ରୁ ଅଧିକ ବାଳକ ବାଳିକାଙ୍କୁ ପଛରେ ପକାଇଦେଇ ସିଲେକ୍ସନ ହୋଇଥିଲେ । ଫିଫା ଫୁଟବଲ ବିଶ୍ୱ କପ ଆୟୋଜନ ପୂର୍ବରୁ ଫିଫା ତରଫରୁ ଅଫିସିଆଲ ମ୍ୟାଚ ବଲ କ୍ୟାାରିୟର୍ସ (ଓଏବିସି) ଆୟୋଜିତ ହୋଇଥିଲା । ଯେଉଁଥିରେ ବିଭିନ୍ନ ଦେଶର ୧୬୦୦ ପିଲା ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ । ପରେ ଫିଫା ବିଭିନ୍ନ ଦେଶର ୬୪ ଜଣ ପିଲାଙ୍କୁ ଚୟନ କରିଥିଲେ । ଯେଉଁଥିରେ ଭାରତରୁ ଏହି ଦୁଇ ଜଣ ବଲ-ବଏ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ତେବେ ଏହି ଦୁଇଜଣଙ୍କୁ ମ୍ୟାଚ ବଲ ନେଇ ଅନେକ ବିଶ୍ୱକପ୍ ମ୍ୟାଚରେ ପଡିଆକୁ ପ୍ରବେଶ କରି ବିଶ୍ୱରେ ଭାରତକୁ ପରିଚିତ କରିବେ ।