୪ର୍ଥ ଅନ୍ତର୍ଜାତୀୟ ଯୋଗ ଦିବସରେ ପ୍ରଧାନମନ୍ତ୍ରୀଙ୍କ ଯୋଗାଭ୍ୟାସ : କହିଲେ ଡେରାଡୁନରୁ ଡବଲିନ୍, ସାଂଘାଇରୁ ସିକାଗୋ ଓ ଜାକର୍ତ୍ତାରୁ ଜୋହାନ୍ସବର୍ଗ ଯାଏଁ ରହିଛି ଯୋଗର ଆଦୃତି

84

କନକ ବ୍ୟୁରୋ : ବିଶ୍ୱ ଯୋଗ ଦିବସ ଅବସରରେ ଯୋଗାଭ୍ୟାସ କଲେ ପ୍ରଧାନମନ୍ତ୍ରୀ ମୋଦି । ଚତୁର୍ଥ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଦେଶର ବିଭିନ୍ନ ସ୍ଥାନରେ ଯୋଗାଭ୍ୟାସ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡେରାଡୁନରେ ଆୟୋଜିତ ଯୋଗ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ପ୍ରାୟ ୫୫ହଜାର ଲୋକଙ୍କ ସହ ମିଶି ମୋଦି ଯୋଗ କରିଛନ୍ତି । ଡେରାଡୁନର ପ୍ରାକ୍ଟିସ ରିସର୍ଚ୍ଚ ଇନଷ୍ଟିଚ୍ୟୁଟରେ ୪୫ ମିନିଟ ପାଇଁ ଏହି ଯୋଗ ଶିବିର ହୋଇଥିଲା । ଏହି ଅବସରରେ ମୋଦି କହିଥିଲେ ଯୋଗ ବ୍ୟକ୍ତି, ପରିବାର, ସମାଜ, ଦେଶ, ବିଶ୍ୱ ତଥା ସମଗ୍ର ମାନବ ସମାଜକୁ ଯୋଡେ । ଡେରାଡୁନରୁ ଡବଲିନ୍, ସାଂଘାଇରୁ ସିକାଗୋ ଓ ଜାକର୍ତାରୁ ଜୋହାନ୍ସବର୍ଗ ଯାଏଁ ରହିଛି ଯୋଗର ଆଦୃତି । ଶିବିରରେ ଉତରାଖଣ୍ଡ ମୁଖ୍ୟମନ୍ତ୍ରୀ ମଧ୍ୟ ସାମିଲ ହୋଇଥିଲେ ।

ଏହାସହ ଯୋଗ ଦିବସ ଅବସରରେ ପାଖାପାଖି ଦୁଇ ଲକ୍ଷ ଲୋକଙ୍କ ସହ ଯୋଗାଭ୍ୟାସ କରି ଗିନିସ୍ ବିଶ୍ୱରେକର୍ଡ ପୁସ୍ତକରେ ସ୍ଥାନ ପାଇଛନ୍ତି ବାବା ରାମଦେବ । ରାଜସ୍ଥାନର କୋଟାରେ ବାବା ଅଭ୍ୟାସ କରିଥିବା ବେଳେ ତାଙ୍କ ସହ ସାମିଲ୍ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆ ସାମିଲ୍ ହୋଇଥିଲେ । ଏହି ଶିବିରରେ ସ୍ଥାନୀୟ ଛାତ୍ରଛାତ୍ରୀ, ସେନା ଓ ପୁଲିସର ଯବାନ ତଥା ଗ୍ରାମବାସୀ ଯୋଗ ଦେଇଥିଲେ । ଏଥିପାଇଁ ପୂର୍ବରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ବେଳେ ବାବା ତିନି ଦିନଧରି ଲୋକଙ୍କୁ ଯୋଗ ଶିଖାଉଥିଲେ । ଯୋଗାଭ୍ୟାସ ପରେ ବାବା ରାମଦେବ ଯୋଗର ଉପକାରିତା ସମ୍ପର୍କରେ ବିସ୍ତୃତ ଭାବେ ଲୋକଙ୍କୁ ସୂଚନା ଦେଇଥିଲେ ।

ସେପଟେ ବିଶ୍ୱବ୍ୟାପୀ ଯୋଗ ଦିବସ ପାଳନ କରାଯାଉଥିବା ବେଳେ ଯୁଦ୍ଧପୋତ ଆଇଏନଏସ୍ ବିରାଟ ଉପରେ ଯୋଗାଭ୍ୟାସ କରିଥିଲେ ନୌସେନା ଯବାନ୍ । ମୁମ୍ବାଇରେ ହୋଇଛି ଏହି ସ୍ୱତନ୍ତ୍ର ଯୋଗ ଶିବିର । ଏଥିରେ ବିଭିନ୍ନ ପ୍ରକାର ଆସନ ଓ ପ୍ରାଣାୟାମ କରିଥିଲେ ଯବାନ୍ । ସେପଟେ ଦିଲ୍ଲୀରେ ଆୟୋଜିତ ଯୋଗ ଶିବିରରେ ଯୋଗ ଦେଇଥିଲେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂ ରାଠୋର । ଯୋଗ ମାନସିକ ଓ ଶାରୀରିକ ସୁସ୍ଥତା ପାଇଁ ସବୁଠୁ ଜରୁରୀ ବୋଲି ରାଠୋର କହିଥିଲେ ।

ବିଶ୍ୱର ସର୍ବୋଚ୍ଚ ସାମରିକ ଘାଟି ସିଆଚେନରେ ଯବାନ କଲେ ଯୋଗାଭ୍ୟାସ । ସଦ ଗୁରୁ ଜଗୀ ବାସୁଦେବଙ୍କ ତତ୍ୱାବଧାନରେ ଯବାନ ଯୋଗାଭ୍ୟାସ କରିଛନ୍ତି । ଶିବିରରେ ୩୫୦ରୁ ଉଦ୍ଧ୍ୱର୍ ଯବାନ ଅଂଶଗ୍ରହଣ କରିଛନ୍ତି । ପୃଥିବୀର ସବୁଠୁ ଆହ୍ୱାନଦାୟକ ତଥା ବିପଦପୂର୍ଣ୍ଣ ସାମରିକ ଘାଟି ଭାବେ ସିଆଚେନ୍ ପରିଚିତ । ଏଠାରେ ତାପମାତ୍ରା ସବୁ ବେଳେ ମାଇନସ୍ ଡିଗ୍ରୀ ରହୁଥିବା ବେଳେ ଆଜି ଯୋଗାଭ୍ୟାସ କରିଛନ୍ତି ଯବାନ । ଜଗୀ ବାସୁଦେବ ପରିବେଶ ସୁରକ୍ଷା ପ୍ରସଙ୍ଗରେ ସବୁବେଳେ ମତ ଦେଇଆସୁଛନ୍ତି । ଆଜି ଯୋଗ ପ୍ରଶିକ୍ଷଣ ବେଳେ ମଧ୍ୟ ସେ ପ୍ରକୃତି ସୁରକ୍ଷା ସମ୍ପର୍କରେ ମତବ୍ୟକ୍ତ କରିଛନ୍ତି ।