ଗାଡି ଧକ୍କାରେ ଗଲା ୨ ଜଣଙ୍କ ଜୀବନ । ଦୁଇ ଟ୍ରକ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟିଛି ଏହି ଦୁର୍ଘଟଣା

39

କନକ ବ୍ୟୁରୋ : ଟ୍ରକ ଧକ୍କାରେ ୨ ଜଣଙ୍କ ଜୀବନ ଗଲା । ମିଳିଥିବା ସୂଚନା ଅନୁସାରେ ଆଜି ସକାଳୁ ୧୬ ନମ୍ବର ଜାତୀୟ ରାଜପଥର ସୋର ଥାନା ଅନ୍ତର୍ଗତ ଛପୁଲିଆ ନିକଟରେ ଦୁଇଟି ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି। ଖବର ପାଇ ପୁଲିସ ଓ ଦମକଳ ଘଟଣାଳରେ ପହଞ୍ଚି ମୃତାହତମାନଙ୍କୁ ଉଦ୍ଧାର କରି ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିବା ବେଳେ ଅନ୍ୟ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କର ଚିକିିତ୍ସା କରାଯାଇଛି।

 

ମିଳିଥିିବା ସୂଚନା ଅନୁଯାୟୀ, ଆଜି ସକାଳେ ସୋର ଥାନା ଅନ୍ତର୍ଗତ ଛପୁଲିଆ ନିକଟରେ ବଜୁରି ବୋଝେଇ ଡବଲ୍ୟୁ ବି ୩୩ ସି ୦୩୪୦ ଟ୍ରକ୍ ସହିତ ଏନଏଲ ୦୧ ଏଲ ୬୭୦୧ ନମ୍ବର ବିଶିଷ୍ଟ ଟ୍ରକର ମୁହାଁମୁହିଁ ଧକ୍କା ହୋଇଥିଲା ।ଏଥିରେ ଗୋଟିଏ ଟ୍ରକର ଡ୍ରାଇଭର ତଥା ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳର ରତିକାନ୍ତ ଦାସ(୩୫ ବର୍ଷ)ଓ ଅନ୍ୟ ଜଣେ ଡ୍ରାଇଭରଙ୍କର ମୃତ୍ୟୁ ଘଟିଛି। ପ୍ରାଣତ୍ୟାଗ କରିଥିବା  ଅନ୍ୟ ଡ୍ରାଇଭରଙ୍କ ପରିଚୟ ମିଳି ନାହିଁ। ଅପରପକ୍ଷେ ଏହି ଦୁର୍ଘଟଣାରେ ଗୁରୁତର ଭାବେ ଆହତ ହୋଇଥିବା ରାଜସ୍ଥାନ ଜୟପୁରର ଅନୁରି ସେକ୍ ସଦାଫଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ସରକାରଙ୍କ ପକ୍ଷରୁ ବାରମ୍ବାର ସଚେତନତା କରାଯାଉଥିଲେ ମଧ୍ୟ ଅନେକ ସମୟରେ ଦୁର୍ଘଟଣା ହୋଇ ଲୋକମାନଙ୍କର ଜୀବନ ଯାଉଛି । ଦୁର୍ଘଟଣାର ଖବର ପାଇବା ପରେ ସ୍ଥାନୀୟ ଲୋକଙ୍କ ଘଟଣାସ୍ଥଳକୁ ସୁଅ ଛୁଟିଥିଲା ।