ଗୋଆ ରାଜନୀତିରେ ହଟଚମଟ! ଇସ୍ତଫା ଦେଲେ ୨ କଂଗ୍ରେସ ବିଧାୟକ, ବିଜେପିରେ ହେବେ ସାମିଲ ।

51

କଡ ଲେଉଟାଉଛି ଗୋଆ ରାଜନୀତି । ଦୀର୍ଘ ଦିନ ଧରି ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର ଗୁରୁତର ଅସୁସ୍ଥ ଅଛନ୍ତି । ଆଉ ଏଭଳି ସମୟରେ ମଙ୍ଗଳବାର ସକାଳେ କଂଗ୍ରେସର ଦୁଇ ବିଧାୟକ ଦିଲ୍ଲୀରେ ଅମିତ ଶାହାଙ୍କୁ ଭେଟିବା ପରେ ଦଳରୁ ଇସ୍ତଫା ଦେଇଛନ୍ତି । ଆଉ ଖୁବଶୀଘ୍ର ଏହି ଦୁଇ ବିଧାୟକ ବିଜେପିରେ ସାମିଲ ହେବେ ବୋଲି ଇଙ୍ଗିତ ଦେଇଛନ୍ତି ।

କଂଗ୍ରେସ ବିଧାୟକ ଦୟାନନ୍ଦ ସେପତେ ଓ ସୁବାସ ଶିରୋଦକର ସୋମବାର ମଧ୍ୟରାତ୍ରୀରେ ଗୋଆ ରାଜଧାନୀ ପଣଜୀରୁ ଆସି ଦିଲ୍ଲୀରେ ପହଞ୍ଚିଥିଲେ।ଆଉ ଗତକାଲି ଠାରୁ ହିଁ ଗୋଆ ରାଜନୀତିରେ ହଟଚମଟ ଦେଖା ଦେଇଥିଲା । ଦୁଇ ବିଧାୟକ ଇସ୍ତଫା ଦେବା ପରେ କଂଗ୍ରେସକୁ ଲାଗିଛି ବଡ ଝଟକା । ବଡ ଦଳ ଭାବେ କଂଗ୍ରେସ ଯେଉଁଭଳି ପ୍ରତିଥର ସରକାର ଗଢିବାକୁ ଦାବି କରୁଥିଲା ତାହା ଏହି ଦୁଇ ବିଧାୟକଙ୍କ ଇସ୍ତଫା ସହ ପୂର୍ଣ୍ଣଚ୍ଛେଦ ପକାଇଛି ।

କଂଗ୍ରେସର ଗୋଆ ବିଧାନସଭାରେ ସମୁଦାୟ ୧୬ଜଣ ବିଧାୟକ ଥିବା ବେଳେ ଏବେ ଏହି ସଂଖ୍ୟା ୧୪ରେ ପହଞ୍ଚିଛି। ଅନ୍ୟପକ୍ଷରେ ବିଜେପିର ୧୪ ବିଧାୟକ ଥିବା ବେଳେ ଗୋଆ ଫରଓ୍ଵାର୍ଡ ପାର୍ଟି ଓ ମହାରାଷ୍ଟ୍ରବାଦୀ ପାର୍ଟିର ୩ ଜଣ ଲେଖାଏଁ ବିଧାୟକ ଅଛନ୍ତି। ଏଥିସହ ଏନସିପିର ଜଣେ ବିଧାୟକ ଥିବା ବେଳେ ୩ ଜଣ ସ୍ୱାଧୀନ ବିଧାୟକ ଅଛନ୍ତି।