ଧାନଚାଷୀଙ୍କୁ ସରକାରଙ୍କ ପୂଜାଭେଟି : ସର୍ବନିମ୍ନ ସହାୟକ ମୂଲ୍ୟ ୧୪୫୦ ରୁ ୧୪୭୦ ଟଙ୍କାକୁ ବୃଦ୍ଧି

21

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକରେ ୧୯ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧିକୁ କ୍ୟାବିନେଟରେ ଅନୁମୋଦନ ମିଳିଛି । ସାଧାରଣ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୧୪୫୦ ରୁ ୧୪୭୦ ଟଙ୍କାକୁ ବୃଦ୍ଧି ପାଇଛି । ସେହିପରି ଗ୍ରେଡେଡ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୧୫୧୦ ଟଙ୍କାକୁ ବୃଦ୍ଧି ହୋଇଛି ।

ଡାଲି ଓ ଡାଲି ଜାତୀୟ ଶସ୍ୟ ଉପରେ ଜୁଲାଇ ମାସରୁ ୫ ରୁ ୧ ପ୍ରତିଶତକୁ ହ୍ରାସ କରାଯାଇଥିବା ଭାଟକୁ  ଆଉ ୩ ମାସ ପର୍ଯ୍ୟନ୍ତ କାୟମ ରଖିବାକୁ ନିଷ୍ପତି ହୋଇଛି । ଓଡିଶାରେ ଉତ୍ପାଦିତ ହେଉଥିବା ଏଲପିଜି ସିଲିଣ୍ଡର ଉପରେ ଭାଟକୁ ୫ ପ୍ରତିଶତ ହ୍ରାସ କରିବା ପାଇଁ ନିଷ୍ପତି ହୋଇଛି। ଏହା ଛଡା ବ୍ୟାଟେରି ଚାଳିତ ବାଇକ୍ ଓ ରିକ୍ସା ଉପରେ ମଧ୍ୟ ୫ ପ୍ରତିଶତ ଭାଟ ଛାଡ କରାଯାଇଛି।

ଏହା ସହ ପାଣି ପଂଚାୟତକୁ ଭାଟମୁକ୍ତ କରିବା ପାଇଁ କ୍ୟାବିନେଟରେ ନିଷ୍ପତି ପାରିତ ହୋଇଛି। ବିଧାନସଭାରେ ପାରିତ ହୋଇଥିବା ଓଡିଶା ସରକାରୀ ଭାଷା ଅଧିନିୟମ ଆଇନ ଉପରେ ଲାଗିଛି କ୍ୟାବିନେଟ ମୋହର। ୧୧୦ କୋଟି ଟଙ୍କା ବ୍ୟୟରେ କେନ୍ଦ୍ରାପଡାରେ ୧୦୦ଶଯ୍ୟା ବିଶିଷ୍ଟ  ମା ଓ ଶିଶୁ ଚିିକିତ୍ସାଳୟ ପ୍ରତିଷ୍ଠା ପାଇଁ ନିଷ୍ପତି ହୋଇଛି। ସେହିପରି ବୌଦ୍ଧ ଓ ଆଠମଲ୍ଲିକ ଭିତରେ ମହାନଦୀ ଉପରେ ଧଳପୁରଠାରେ ନିର୍ମାଣ ହେବ ପୋଲ। ଏଥିପାଇଁ ୧୬୮ କୋଟି ଟଙ୍କାର ପ୍ରକଳ୍ପକୁ କ୍ୟାବିନେଟ ଅନୁମୋଦନ ଦେଇଛି।

ବ୍ରହ୍ମପୁର ସହରକୁ ଜଳଯୋଗାଣ ପାଇଁ ଜାନିବିଲିଠାରେ ୪୩୨ କୋଟି ଟଙ୍କାରେ ଜଳଯୋଗାଣ ପ୍ରକଳ୍ପ କରାଯିବ। ଏହା ସହ ଗ୍ରାମ୍ୟ ଜଳଯୋଗାଣ ପାଇଁ ବାଲେଶ୍ୱର, ଭଦ୍ରକ, ପୁରୀ, ବଲାଙ୍ଗୀର ଓ କେନ୍ଦୁଝରରେ ୩୨୭ କୋଟି ଟଙ୍କା ବ୍ୟୟରେ ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ ହେବ। ଯେଉଁଥିରେ ୩୦୫ ଗାଁ ଲାଭବାନ ହେବ ବୋଲି ଜଣାପଡିଛି।