ଜେଲ୍ ଯିବେ ଜେଲର୍ ! ନିଜ ଅଧିନରେ ଥିବା ଜେଲରେ ହେବେ କଏଦୀ

56

କନକ ବ୍ୟୁରୋ : ନିଜ ଅଧିନରେ ଥିବା ଜେଲରେ କଏଦୀ ହେବେ ଗିରଫ ଜେଲର ସୁଶାନ୍ତ ରାଉତ । ତେବେ ସମ୍ବଲପୁର ମଣ୍ଡଳ କାରାଗାରରେ ତାଙ୍କୁ ରଖା ନଯିବାକୁ ଆବେଦନ କରିଛି ଭିଜିଲାନ୍ସ । ଆଜି ଅତିରିକ୍ତ ସେସନ ଜଜଙ୍କ ନିକଟରେ ହାଜର ପରେ ୩ ଦିନିଆ ରିମାଣ୍ଡରେ ନେଇଛି ଭିଜିଲାନ୍ସ । ତାଙ୍କୁ ୫ ଦିନିଆ ରିମାଣ୍ଡ ପାଇଁ ଆବେଦନ କରାଯାଇଥିଲା ।

ସୁଶାନ୍ତ ରାଉତ । ସମ୍ବଲପୁର ମଣ୍ଡଳ କାରାଗାରର ଜେଲର । ଏବେ ଏହି ଅଫିସରଙ୍କ ବିଡମ୍ବନା ହେଲା ସେ ଯେଉଁ ଜେଲର ଦାୟିତ୍ୱରେ ଥିଲେ ସେହି ଜେଲର କଏଦୀ ସାଜିବେ । କାରଣ ତାଙ୍କ ପାଖରୁ ମିଳିଥିଲା ପ୍ରାୟ ୧୮ ଲକ୍ଷ ଟଙ୍କା । ଗତ ରବିବାର ପୋଲିସର ଜେଲ ଉପରେ ଚଢଉ ବେଳେ ଏହି ଟଙ୍କା ଜବତ କରିଥିଲା ଏବଂ ଏଯାଏଁ ଏହାର ସଠିକ ହିସାବ ଦେଇପାରୁନାହାଁନ୍ତି ଜେଲର ସୁଶାନ୍ତ ।

ସମ୍ବଲପୁର ଜେଲରେ ରହିଲେ କାଗଜପତ୍ର ହେରଫେର୍ ହେବା ସମ୍ଭାବନା ଦର୍ଶାଇ ଏହି ଆବେଦନ କରିଛନ୍ତି ସରକାରୀ ଓକିଲ । ଅନ୍ୟପଟେ ଜେଲର ସୁଶାନ୍ତଙ୍କ ଓକିଲ ସମ୍ବଲପୁର ଜେଲରେ ତାଙ୍କ ପ୍ରତି ବିପଦ ଥିବା କହି ଅନ୍ୟ ଜେଲ ପଠାଇବାକୁ ଅନୁରୋଧ କରିଛନ୍ତି ।

ବିପୁଳ ଟଙ୍କା ଜେଲରଙ୍କ ପାଖରୁ ମିଳିବା ପରେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ । ଅତିରିକ୍ତ ସେସନ କୋର୍ଟରେ ହାଜର ପରେ ୩ ଦିନିଆ ରିମାଣ୍ଡରେ ଯାଇଛନ୍ତି ସୁଶାନ୍ତ ରାଉତ । ଆବଶ୍ୟକ ହେଲେ ପୁଣି ତାଙ୍କୁ ରିମାଣ୍ଡରେ ଆଣିବ ଭିଜିଲାନ୍ସ ।