୩୦ତାରିଖ ମଧ୍ୟରାତ୍ରୀରୁ ଲାଗୁ ହେବ ବସ୍ତୁ ଓ ସେବା କର ! ଅରୁଣ ଜେଟଲୀଙ୍କ ଅଧକ୍ଷତାରେ ବସିଲା ଜିଏସଟି କମିଟିର ୧୭ତମ ବୈଠକ

28

କନକ ବ୍ୟୁରୋ : ଜିଏସଟି ବା ବସ୍ତୁ ଓ ସେବା କର ଆସନ୍ତା ୩୦ତାରିଖ ମଧ୍ୟରାତ୍ରୀରୁ ଲାଗୁ ହେବ । ଏହା ସହିତ ଦେଶରେ ସବୁଠୁ ବଡ କର ସୁଧାର ବ୍ୟବସ୍ଥା କାର୍ଯ୍ୟକାରୀ ହେବ । ଏନେଇ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ଅଧକ୍ଷତାରେ ଜିଏସଟି କମିଟିର ୧୭ତମ ବୈଠକ ହୋଇଯାଇଛି । ବୈଠକରେ ସରକାରୀ ଓ ପ୍ରାଇଭେଟ୍ ଲଟେରୀ ଉପରେ ଭିନ୍ନ ଭିନ୍ନ ଟିକସ ବସାଇବା ପାଇଁ ନିଷ୍ପତି ନିଆଯାଇଛି । ଅର୍ଥମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ରାଜ୍ୟ ସରକାରଙ୍କ ଦ୍ୱାରା ସଂଚାଳିତ ଲଟେରୀ ଉପରେ ୧୨ପ୍ରତିଶତ ଓ ସରକାରଙ୍କ ଦ୍ୱାରା ମାନ୍ୟତା ପ୍ରାପ୍ତ ପ୍ରାଇଭେଟ୍ ଲଟେରୀ ଉପରେ ୨୮ପ୍ରତିଶତ ଟିକସ ଲଗାଯିବ ।

ଜିଏସଟି କାଉଁସିଲ ବ୍ୟବସାୟୀଙ୍କୁ ଏକ ବଡ ସୁଯୋଗ ଦେଇ ରିଟର୍ଣ୍ଣ ଦାଖଲ କରିବା ପାଇଁ ଦୁଇ ମାସର ମହଲତ ଦେଇଛନ୍ତି । ଏହା ସହ ହୋଟେଲ ରୁମ୍ ଉପରେ ଜିଏସଟି ନେଇ ନିଷ୍ପତି ହୋଇଛି । ହୋଟେଲ ରୁମ୍ ପିଛା ୭୫୦୦ରୁ ଉର୍ଦ୍ଧ ଭଡା ଉପରେ ୨୮ପ୍ରତିଶତ ଓ ୨୫୦୦ରୁ ୭୫୦୦ରୁ ମଧ୍ୟରେ ଥିବା ଭଡା ଉପରେ ୧୮ପ୍ରତିଶତ ଟିକସ ବସାଇବା ପାଇଁ ନିଷ୍ପତି ନିଆଯାଇଛି । ତେବେ ଆସନ୍ତା ୩୦ତାରିଖରେ ଜିଏସଟି କାଉଁସିଲର ପରବର୍ତ୍ତି ବୈଠକ ବସିବ ବୋଲି କହିଛନ୍ତି ଅରୁଣ ଜେଟଲୀ ।