ଅନିର୍ଦ୍ଧିଷ୍ଟ କାଳ ପାଇଁ ସମୂହ ଛୁଟିରେ ଗଲେ ଶିକ୍ଷା ସହାୟକ ! ୭ଦଫା ଦାବି ପୂରଣ ନହେବା ପର୍ଯ୍ୟନ୍ତ ଛୁଟିରେ ରହିବାକୁ ଘୋଷଣା କଲା ସଂଘ

43

କନକ ବ୍ୟୁରୋ: ସମୂହ ଛୁଟିରେ ଗଲେ ୧୫ହଜାର ଶିକ୍ଷା ସହାୟକ । ୭ଦଫା ଦାବି ପୂରଣ ନେଇ ବାରମ୍ବାର ଦାବି ଜଣାଇଥିବା ଶିକ୍ଷା ସହାୟକମାନେ ଗତକାଲିଠାରୁ ସମୂହ ଛୁଟିରେ ଯାଇଛନ୍ତି । ଦାବି ପୂରଣ ନହେବା ପର୍ଯ୍ୟନ୍ତ ସେମାନେ କାର୍ଯ୍ୟରେ ଯୋଗ ନଦେବାକୁ ଚେତାବନୀ ଦେଇଛି ସଂଘ । ଅନ୍ୟପଟେ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ଶିକ୍ଷା ସହାୟକଙ୍କ ଦାବି ନେଇ ସରକାର ସଚେତନ ଅଛନ୍ତି ।

ଗତକାଲି ସଂଘର ସଭାପତି ମଳୟ କୁମାର ଜେନାଙ୍କ ସଭାପତିତ୍ୱରେ ଇନ୍ଦିରା ଗାନ୍ଧୀ ପାର୍କ ଠାରେ ବସିଥିବା ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ, ଆସନ୍ତା ସୋମବାର ଠାରୁ ଶିକ୍ଷାସହାୟକମାନେ ସେମାନଙ୍କ ଦାବି ପୂରଣ ପାଇଁ ଲୋୟର ପିଏମଜିରେ ଧାରଣାରେ ବସିବେ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ଓ ସଚିବଙ୍କୁ ଶିକ୍ଷା ସହାୟକଙ୍କ ୭ଦଫା ଦାବି ନେଇ ବାରମ୍ବାର ଅବଗତ କରାଯାଇଥିଲେ ହେଁ ଏହାକୁ ପୂରଣ କରିବାକୁ ପଦକ୍ଷେପ ନିଆଯାଇନି । ତେଣୁ ଆମେ ଆମରଣ ଅନଶନରେ ବସିବାକୁ ନିଷ୍ପତ୍ତି ନେଇଛୁ ।

ସଂଘ ପକ୍ଷରୁ କୁହାଯାଇଛି ଯେ, ଶିକ୍ଷା ସହାୟକ/କନିଷ୍ଠ ଶିକ୍ଷକଙ୍କ ଦରମା ୨୫ପ୍ରତିଶତ ବୃଦ୍ଧି କରିବା, ୨୦୧୧ରେ ନିଯୁକ୍ତ ସମସ୍ତ ଶିକ୍ଷା ସହାୟକମାନଙ୍କୁ ଅବିଳମ୍ବେ ନିୟମିତ କରିବା, ନିୟମିତ ଶିକ୍ଷକମାନଙ୍କର ଗ୍ରେଡ୍ ପେ ୨୨୦୦ରୁ ୨୮୦୦ଟଙ୍କାକୁ ବୃଦ୍ଧି, ମୃତ୍ୟୁକାଳୀନ ସହାୟତା ଘୋଷଣା, ୨୦୧୨ ବ୍ୟାଚର ନିଯୁକ୍ତ ଶିକ୍ଷା ସହାୟକମାନଙ୍କ ପାଇଁ ଓଟିଇଟିରେ କୋହଳ, ବଦଳି ନୀତିରେ କୋହଳ, ଶିକ୍ଷା ସହାୟକ ନାମ ପରିବର୍ତ୍ତନ କରିବା ଦାବିରେ ଏହି ଆନ୍ଦୋଳନ ଡାକରା ଦିଆଯାଇଛି ।