ଦିନରେ ତାତି ସକାଳେ କୁହୁଡି ! ୫ଟି ସହରର ପାରଦ ୩୮ଡିଗ୍ରୀ ଉପରେ, ସକାଳୁ ସକାଳୁ ରାଜଧାନୀରେ କୁହୁଡିର ଚାଦର

35

କନକ ବ୍ୟୁରୋ:ଦିନରେ ତାତି ସକାଳୁ କୁହୁଡି । ଆଜି ସକାଳୁ ସକାଳୁ ରାଜଧାନୀ ଭୁବନେଶ୍ୱର ତଥା ଆଖପାଖ ଅଂଚଳରେ ଘନ କୁହୁଡି ଦେଖିବାକୁ ମିଳିଛି । ରାତିରେ ଗରମ ହେଉଥିବା ବେଳେ ସକାଳେ କୁହୁଡିଆ ପାଗ ସହ ଥଣ୍ଡା ଅନୁଭୁତ ହେଉଛି । ତେବେ ଗତକାଲି ଅଚାନକ ଦିନକରେ ୩ ଡିଗ୍ରୀ ବଢ଼ିଥିଲା ତାପମାତ୍ରା । ଶୁକ୍ରବାର ୩୫ଦଶମିକ ତାପମାତ୍ରା ଥିବାବେଳେ ଶନିବାର ୩୮ଦଶମିକ୍ ୬ ଡିଗ୍ରୀରେ ପହଁଚିଥିଲା । ଅସହ୍ୟ ଗରମରେ ଛଟପଟ ହୋଇଛି ଜନଜୀବନ । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ପାରଦ ଆହୁରି ଉପରକୁ ଉଠିପାରେ । ଆସନ୍ତା ୧୩ରୁ ୧୪ତାରିଖ ବେଳକୁ ରାଜଧାନୀ ତାପମାତ୍ରା ୪୦ଡିଗ୍ରୀ ଛୁଇଁପାରେ ।

ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଶରତ ଚନ୍ଦ୍ର ସାହୁଙ୍କ ସୂଚନା ଅନୁଯାୟୀ, ଗତ କିଛି ଦିନ ହେଲା ଉତ୍ତର ମଧ୍ୟପ୍ରଦେଶ, ଓଡ଼ିଶା ସୀମାବର୍ତ୍ତୀ ଅଞ୍ଚଳରେ ଆକାଶରେ ବାଦଲ ଥିଲା । ଏହାସହ ସମୁଦ୍ରରୁ ସ୍ଥଳଭାଗକୁ ପବନ ବହୁଥିଲା। ତେଣୁ ତାତି ଅଧିକ ଅନୁଭୂତ ହେଉନଥିଲା। କିନ୍ତୁ ଗତକାଲି ଓଡ଼ିଶା ସୀମାବର୍ତ୍ତୀ ଆକାଶରେ ବାଦଲ ନାହିଁ କି ସମୁଦ୍ର ଦିଗରୁ ସ୍ଥଳ ଭାଗକୁ ଜୋରରେ ପବନ ବହୁନି । ଏହାସହ ଉତ୍ତର ପଶ୍ଚିମ ଓ ପଶ୍ଚିମ ଦିଗରୁ ଘଣ୍ଟା ପ୍ରତି ୧୫ରୁ ୨୦କିମି ବେଗରେ ପବନ ବହୁଛି । ତେଣୁ ତାତି ହଠାତ୍ ବଢ଼ିଯାଇଛି ।

ଏହିଭଳି ପାଗ ଆସନ୍ତା ୧୫ତାରିଖ ପର୍ଯ୍ୟନ୍ତ ଲାଗି ରହିବ। ୧୩ତାରିଖ ବେଳକୁ ରାଜ୍ୟର ଅଧିକାଂଶ ସ୍ଥାନରେ ପାରଦ ୪୦ରୁ ୪୨ ଡିଗ୍ରୀ ପର୍ଯ୍ୟନ୍ତ ରହିବ ବୋଲି ଶ୍ରୀ ସାହୁ କହିଛନ୍ତି । ୧୬ତାରିଖ ବେଳକୁ କିଛି ମାତ୍ରାରେ ଖରା କମିବ। ଏହି ସମୟରେ ବର୍ଷା ଓ କାଳ ବୈଶାଖୀ ହେବାର ସମ୍ଭାବନା ଥିବାରୁ ପାରଦ ଖସିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।