ସିଲିଣ୍ଡର ଫାଟି ବିସ୍ଫୋରଣରେ ଉଡିଲା ଛାତ । ୧୦ ମୃତ, ୩୦ରୁ ଅଧିକ ଆହତ । ଏବେ ବି ଧ୍ୱଂସସ୍ତୁପ ତଳେ ଅନେକ ଦବିରହିଥିବା ଆଶଙ୍କା ।

3,682

କନକ ବ୍ୟୁରୋ : ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଯୋଗୁଁ ଭାଙ୍ଗିଲା ଦୁଇ ମହଲା କୋଠା । ଏହି ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଅଧିକ ଆହତ ହୋଇଛନ୍ତି । ଉତ୍ତରପ୍ରଦେଶରେ ମାଉ ଜିଲ୍ଲା ଅନ୍ତର୍ଗତ ମହମ୍ମଦାବାଦ ଅଂଚଳରେ ସିଲିଣ୍ଡର ବିସ୍ଫୋରଣ ଘଟି ଏହି ଅଘଟଣ ଘଟିଛି ।

ସୂଚନା ଅନୁଯାୟୀ ସକାଳ ୭ଟା ୩୦ରେ ଏହି ବିସ୍ଫୋରଣ ଘଟିଛି । ମହମ୍ମଦାବାଦ ଥାନା ଅଂଚଳର ଓଲିଦପୁରସ୍ଥିତ ଏହି ଘରେ ମହିଳାମାନେ ସକାଳ ଜଳଖିଆ ପ୍ରସ୍ତୁତ କରୁଥିବାବେଳେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଘଟିଥିଲା । ଭଗ୍ନାବଶେଷ ତଳେ ଏବେ ବି କିଛି ଲୋକ ଚାପି ହୋଇ ରହିଥିବା ଅନୁମାନ କରାଯାଉଛି । ତେଣୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ି ପାରେ ବୋଲି ଆଶଙ୍କା ହେଉଛି ।

ଫଶି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାରକାରୀ ଦଳ ଲାଗିଛନ୍ତି । ଆହତମାନଙ୍କୁ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଏହି ଦୁଃଖଦ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିଦ୍ୟ ନାଥ । ଆହତମାନଙ୍କୁ ତୁରନ୍ତ ଯଥା ସମ୍ଭବ ରିଲିଫ ଏବଂ ଡାକ୍ତରୀ ସହାୟତା ଯୋଗାଇ ଦେବାକୁ ସେ ସମସ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।