ଆସନ୍ତୁ ଜାଣିବା ବିଶ୍ୱର ସବୁଠୁ ମହଙ୍ଗା ରିସର୍ଟ ବିଷୟରେ ! ଯେଉଁଠି ଲୋକେ କରିଥାନ୍ତି ଅବସର ବିନୋଦନ

69

ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଅନେକ ରିସର୍ଟ ରହିଛି । ଏହାର ସାଜସଜ୍ଜା ଓ ସୌନ୍ଦର୍ଯ୍ୟକରଣ ଖୁବ୍ ଆକର୍ଷିତ କରିଥାଏ । ଯେଉଁଠି କି ଧନୀକ ବର୍ଗର ଲୋକେ ନିଜର ଅବସର ମୁହୂର୍ତ୍ତକୁ କାଟିବାକୁ ପରିବାର ସହ ଯାଇଥାନ୍ତି । ତେବେ ଆମେ ଆପଣଙ୍କୁ କେତେଟି ପ୍ରମୁଖ ରିସର୍ଟ ବିଷୟରେ ଅବଗତ କରାଇବୁ । ଯାହା ଦେଶର ଶ୍ରେଷ୍ଠ ରିସର୍ଟ ମଧ୍ୟରୁ ଏଗୁଡିକ ଅନ୍ୟତମ । ଏହି ରିସର୍ଟଗୁଡିକରେ ଧନୀକ ବର୍ଗର ଲୋକମାନେ ନିଜ ବିବାହ ଉତ୍ସବ ସ୍ମୃତିକୁ ମୂଲ୍ୟବାନ କରିବା ନିମନ୍ତେ ୱେଡ଼ିଙ୍ଗ କାର୍ଯ୍ୟକ୍ରମ ମଧ୍ୟ କରିଥାନ୍ତି ।

ଆଜିର ସମୟରେ ଅଧିକାଂଶ ସମ୍ଭ୍ରାନ୍ତ ଶ୍ରେଣୀ ଡେଷ୍ଟିନେସନ ୱେଡ଼ିଙ୍ଗ ସହ ବିଦେଶରେ ବିବାହକୁ ଖୁବ ଗୁରୁତ୍ୱ ଦେଉଛନ୍ତି । ଏଥିପାଇଁ ପାଣିପରି ଟଙ୍କା ଖର୍ଚ୍ଚ କରିବାର ଆଦୌ କାର୍ପଣ୍ୟ ପ୍ରଦର୍ଶନ କରୁନାହାନ୍ତି । ନିକଟରେ କ୍ରୀଡା ତାରକା ବିରାଟ କୋହଲି ଓ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଇଟାଲୀର ଏକ ରିସର୍ଟରେ ବର୍ଣ୍ଣାଢ୍ୟ ବିବାହ ପରେ ବିଶ୍ୱର ଅନ୍ୟ ରିସର୍ଟଗୁଡିକ ସମ୍ପର୍କିତ ତଥ୍ୟ ବିଦେଶୀ ଖବର କାଗଜରେ ପ୍ରମୁଖ ଖବର ପାଲିଟିଛି । ମିଲାନ ସହର ନିକଟସ୍ଥ ଟସ୍କାନିକ ବର୍ଗୋ ଫିନୋଛିଏଟା ରିସର୍ଟରେ ବିରାଟ- ଅନୁଷ୍କାଙ୍କ ବିବାହ ସମ୍ପନ୍ନ ହୋଇଥିଲା । ଫୋବର୍ସ ତାଲିକାରେ ବିଶ୍ୱର ୧୦ଟି ଦାମୀ ରିସର୍ଟରେ ଏହା ସ୍ଥାନ ପାଇଛି । ବିଶ୍ୱର ପ୍ରମୁଖ ରାଜ ପରିବାରର ସଦସ୍ୟମାନେ ଗ୍ରୀଷ୍ମକାଳୀନ ଛୁଟି ଅତିବାହିତ କରିବାକୁ ଏହି ରିସର୍ଟକୁ ଆସିଥାନ୍ତି ।

– ଏହିପରି ଅନ୍ୟ ଏକ ରିସର୍ଟ ଫ୍ରାନ୍ସରେ ଅଛି । ଶେଲେଟ ଏଡ଼ଲବାଇସ ନାମକ ଏହି ରିସର୍ଟରେ ୩ଦିନ ପାଇଁ ଭଡ଼ା ୯୭ଲକ୍ଷ ଟଙ୍କା । କେବଳ ଶୀତ ଋତୁରେ ହିଁ ଏଠାରେ ଗ୍ରାହକଙ୍କ ଭିଡ଼ ଦେଖିବାକୁ ମିଳେ ।

– କ୍ୟାରବିଆନ ସମୁଦ୍ର ନିକଟରେ ରକ-ଷ୍ଟାର ଭିଲ୍ଲା ରହିଛି । ୭୫ ବର୍ଷ ତଳେ ନିର୍ମିତ ହୋଇଥିବା ଏହି ଭିଲ୍ଲା ୧୬ ହଜାର ବର୍ଗଫୁଟ ଅଂଚଳରେ ନିର୍ମିତ । କେବଳ ବିବାହ ଓ ଅନ୍ୟାନ୍ୟ ଉତ୍ସବ ନିମନ୍ତେ ଏହି ଭିଲ୍ଲା ବୁକିଂ ହୋଇଥାଏ । ନୂଆବର୍ଷ ନିମନ୍ତେ ବୁକିଂ କରୁଥିବା ଲୋକେ ଅଗ୍ରିମ ରାଶି ୧ କୋଟି ଟଙ୍କା ଦେବା ନିୟମ ରହିଛି । ପ୍ରତିବର୍ଷ ଏହି ଭିଲ୍ଲାର ଦେୟ ବୃଦ୍ଧି ପାଇଚାଲିଥିଲା ବେଳେ ଗ୍ରାହକଙ୍କ ଭିଡ଼ ମଧ୍ୟ ବଡିବାରେ ଲାଗିଛି ।

– କୋଷ୍ଟାରିକାର ମାଞ୍ଜୁ ଭିଲ୍ଲା ମଧ୍ୟ ଧନିକ ବର୍ଗ ମଧ୍ୟରେ ବେଶ ଲୋକପ୍ରିୟ । ବିିବାହ ନିମନ୍ତେ ଅଗ୍ରିମ ୯୫ଲକ୍ଷ ଟଙ୍କା ଦେବାକୁ ପଡିଥାଏ । ୭ଟି ବ୍ୟକ୍ତିଗତ ସୁଇଟ୍ ଥିବା ଏହି ରିସର୍ଟରେ ବୁକିଂ ୬ ମାସ ପୂର୍ବରୁ କରିବାକୁ ପଡ଼େ ।