ସ୍ତ୍ରୀଙ୍କୁ ସ୍ୱାମୀ ମାଡ ମାରିବାକୁ ଅଧିକ ସମର୍ଥନ କରୁଛନ୍ତି ମହିଳା । ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେକ୍ଷଣରୁ ଆସିଲା ସାଂଘାତିକ ତଥ୍ୟ ।

213

କନକ ବ୍ୟୁରୋ: ଛୋଟ ଛୋଟ ଭୁଲ ପାଇଁ ନିଜ ସ୍ତ୍ରୀକୁ ମାଡ ମାରିଥାନ୍ତି ସ୍ୱାମୀ । ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣରୁ ଏକ ଚମକେଇ ଦେଲା ଭଳି ଖବର ସାମ୍ନାକୁ ଆସିଛି । ଭିନ୍ନ ଭିନ୍ନ କାରଣ ପାଇଁ ସ୍ତ୍ରୀକୁ ସ୍ୱାମୀ ମାଡ ମାରିବା ସପକ୍ଷରେ ଅଧିକ ମତ ଦେଇଛନ୍ତି ମହିଳା । ଏଭଳି ଏକ ମାନସିକତାକୁ ଅଧିକ ମହିଳା ସମର୍ଥନ କରିବା ଭଳି ତଥ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ଘରୋଇ ହିଂସା ବନ୍ଦ ପାଇଁ ଆଇନ ରହିଥିବା ବେଳେ ସଦ୍ୟ ପ୍ରକାଶିତ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେରୁ ଏଭଳି ଆଶ୍ଚର୍ଯ୍ୟଜନକ ତଥ୍ୟ ପଦାକୁ ଆସିଛି ।

ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ ପକ୍ଷରୁ କରାଯାଇଥିବା ଏହି ସର୍ଭେରେ ୭ଟି ପ୍ରଶ୍ନ ପଚରା ଯାଇଥିଲା । ପ୍ରଥମ ପ୍ରଶ୍ନ ଥିଲା ଯଦି ସ୍ତ୍ରୀ ସ୍ୱାମୀକୁ ନ କହି ବାହାରକୁ ଯାଏ, ତେବେ ସ୍ୱାମୀ ମାଡ ମାରିବାକୁ ସମର୍ଥନ କରନ୍ତି କି । ଏହାର ଉତ୍ତରରେ ୧୯ ପ୍ରତିଶତ ମହିଳା ଏ କ୍ଷେତ୍ରରେ ମାଡ଼କୁ ସମର୍ଥନ କରିଥିବା ବେଳେ ୧୫% ପୁୁରୁଷ ମାଡ଼କୁ ସମର୍ଥନ କରିଥିଲେ ।

  • ଯଦି ସ୍ତ୍ରୀ ସ୍ୱାମୀକୁ ନ କହି ବାହାରକୁ ଯାଏ (୧୯ ପ୍ରତିଶତ ମହିଳା ଏ କ୍ଷେତ୍ରରେ ମାଡ଼କୁ ସମର୍ଥନ କରିଥିବା ବେଳେ ୧୫% ପୁୁରୁଷ ମାଡ଼କୁ ସମର୍ଥନ କରିଥିଲେ)
  • ସ୍ତ୍ରୀ ଘରର ପିଲାଙ୍କ ପ୍ରତି ଅବହେଳା କଲେ (୨୮ ପ୍ରତିଶତ ମହିଳା ଏ କ୍ଷେତ୍ରରେ ମାଡ଼କୁ ସମର୍ଥନ କରିଥିବା ବେଳେ ୨୨% ପୁୁରୁଷ ମାଡ଼କୁ ସମର୍ଥନ କରିଥିଲେ)
  • ସ୍ତ୍ରୀ ପୁରୁଷ ସହ ଯୁକ୍ତି କଲେ (୨୨ ପ୍ରତିଶତ ମହିଳା ଏ କ୍ଷେତ୍ରରେ ମାଡ଼କୁ ସମର୍ଥନ କରିଥିବା ବେଳେ ୨୦% ପୁୁରୁଷ ମାଡ଼କୁ ସମର୍ଥନ କରିଥିଲେ)
  • ସ୍ତ୍ରୀ ଶାରୀରିକ ସଂପର୍କ ରଖିବା ପାଇଁ ମନାକଲେ (୧୧ ପ୍ରତିଶତ ମହିଳା ଏ କ୍ଷେତ୍ରରେ ମାଡ଼କୁ ସମର୍ଥନ କରିଥିବା ବେଳେ ୯.୭% ପୁୁରୁଷ ମାଡ଼କୁ ସମର୍ଥନ କରିଥିଲେ)
  • ସ୍ତ୍ରୀ ଠିକ ଭାବେ ରୋଷେଇ ନକଲେ (୧୪ ପ୍ରତିଶତ ମହିଳା ଏ କ୍ଷେତ୍ରରେ ମାଡ଼କୁ ସମର୍ଥନ କରିଥିବା ବେଳେ ୧୦% ପୁୁରୁଷ ମାଡ଼କୁ ସମର୍ଥନ କରିଥିଲେ)
  • ସ୍ତ୍ରୀ ବିଶ୍ୱସ୍ତ ନୁହେଁ ବୋଲି ସ୍ୱାମୀ ସନ୍ଦେହ କଲେ (୨୦% ପ୍ରତିଶତ ମହିଳା ଏ କ୍ଷେତ୍ରରେ ମାଡ଼କୁ ସମର୍ଥନ କରିଥିବା ବେଳେ ୨୩% ପୁୁରୁଷ ମାଡ଼କୁ ସମର୍ଥନ କରିଥିଲେ)
  • ସ୍ତ୍ରୀ ଶାଶୁ ଘର ଲୋକଙ୍କୁ ସମ୍ମାନ ନଦେଖାଇଲେ (୩୨% ପ୍ରତିଶତ ମହିଳା ଏ କ୍ଷେତ୍ରରେ ମାଡ଼କୁ ସମର୍ଥନ କରିଥିବା ବେଳେ ୩୧% ପୁୁରୁଷ ମାଡ଼କୁ ସମର୍ଥନ କରିଥିଲେ)
  • ଏ ସମସ୍ତ ୭ଟି କାରଣ ପାଇଁ ସ୍ତ୍ରୀକୁ ମାଡ଼ ହେବା ଉଚିତ ବୋଲି ୪୫% ମହିଳା ସମର୍ଥନ ଦେଇଥିବା ବେଳେ ୪୪%ପୁରୁଷ ସମର୍ଥନ ଜଣାଇଥିଲେ

ଏହି ସର୍ଭେରେ ଭାରତର ୬ ଲକ୍ଷ ୩୬ ହଜାର ୬୯୯ ପରିବାରରୁ ମତ ନିଆଯାଇଥିବା ବେଳେ ତା’ ଭିତରେ ଥିଲେ ଓଡ଼ିଶାର ୨୬,୪୭୬ ପରିବାର । ଏହି ସର୍ଭେରେ କେବଳ ୧୫ରୁ ୪୯ ବର୍ଷର ପୁରୁଷ ଓ ମହିଳାଙ୍କ ମତ ନିଆଯାଇଥିଲା । ଘରୋଇ ହିଂସା ବିପକ୍ଷରେ ଅନେକ ଆଲୋଚନା ହେଲା ପରେ ୨୦୦୫ରେ ମହିଳାମାନଙ୍କୁ ଘରୋଇ ହିଂସାରୁ ସୁରକ୍ଷା ଦେବା ପାଇଁ ୨୦୦୫ରେ ସଂସଦରେ ଆଇନ ପ୍ରଣୟନ ହୋଇଥିଲା । ଏହାପରେ ବି କେତେକ କାରଣ ପାଇଁ ମହିଳାଙ୍କୁ ମାଡ଼ ଦେବା ସପକ୍ଷରେ ଏତେ ଲୋକ ମତ ଦେବା ତର୍ଜମାର ବିଷୟ ହୋଇଛି ।