ମାଟ୍ରିକ ପରୀକ୍ଷା ନଦେଇ କୁଆଡେ ଗଲେ ଛାତ୍ରଛାତ୍ରୀ? ସାମନାକୁ ଆସିଲା ସତ 

277

କନକ ବ୍ୟୁରୋ: ଗଞ୍ଜାମ ଖଲ୍ଲିକୋଟର କଥା ଶୁଣିଲେ ଆପଣ ମାଟ୍ରିକ ପରୀକ୍ଷାକୁ ନେଇ ଉଠିଥିବା ସବୁଠାରୁ ବଡ ପ୍ରଶ୍ନର ଉତର ପାଇପାରିବେ । ଏଠାରେ ୨ ହଜାର ୪୩୪ ପିଲା ଫର୍ମ ଫିଲ ଅପ କରିଥିଲେ । କିନ୍ତୁ ପରୀକ୍ଷା ଦେଇଥିଲେ ୨ ହଜାର ୨୦୪ । ଜଣେ ଛାତ୍ର ଦୀପକ ବେହେରାଙ୍କ ମୁହଁରୁ ଶୁଣନ୍ତୁ ଏହା କେମିତି ହେଲା ।

ଦୀପକ କହୁଛନ୍ତି ସେ ଅସୁସ୍ଥତା ପାଇଁ ସ୍କୁଲ ଯାଇନଥିଲେ ହେଲେ ତାଙ୍କର ଫର୍ମ ଫିଲଅପ୍ ହୋଇଥିଲା ବୋଲି ସେ ପରେ ଜାଣିଥିଲେ । ସେହିପରି ଆଉ ଜଣେ ଛାତ୍ର ସୁଧାଂଶୁ ଯାନି ମଧ୍ୟ ସମାନ କଥା କହିଛନ୍ତି ।  ଆମେ ମାଲକାନଗିରିରେ ବି ଏହି ପ୍ରଶ୍ନର ଉତର ଖୋଜିବା ବେଳକୁ ଏମ ଭି ୪୩ ଗାଁର ଜଣେ ଛାତ୍ରୀ ଅପର୍ଣା ମଣ୍ଡଳଙ୍କ ସେହି ସମାନ କଥା ଆମକୁ ଆଶ୍ଚର୍ଯ୍ୟ କରିଥିଲ।। ସେ ଦୀର୍ଘ ୨ ବର୍ଷ ଧରି ସ୍କୁଲକୁ ଯାଇ ନ ଥିଲେ କିମ୍ବା ନିଜ ଆଡୁ ଫର୍ମ ଫିଲଅପ୍ କରି ନ ଥିଲେ । ହେଲେ ପରୀକ୍ଷା ପୂର୍ବରୁ ଆଡମିଟ କାର୍ଡ ପାଇଥିଲେ । ଆଉ ଇଏ ହେଉଛନ୍ତି ଆକାଶ ମହାତୋ । ଏହି ଛାତ୍ର ଜଣଙ୍କ ସମେଟିଭ ୧ ପରୀକ୍ଷା ବି ଦେଇନଥିଲେ କିନ୍ତୁ ତାଙ୍କର ବି ଫର୍ମ ଫିଲଅପ ହୋଇଥିଲା ।

ସୋମବାର ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କିନ୍ତୁ କହିଥିଲେ ଅଷ୍ଟମରୁ ସମସ୍ତ ଛାତ୍ରଛାତ୍ରୀ ଦଶମ ଶ୍ରେଣୀ ଯାଏ ସ୍ୱତ ପ୍ରବୃତ ଭାବେ ପଂଜିକୃତ ହୋଇଛନ୍ତି ଅର୍ଥାତ ସେମାନେ ସ୍କୁଲ ଆସିନଥିଲେ ବି ଆପେ ଆପେ ନାଁ ଚଢି ଚାଲିଥିଲା । କିନ୍ତୁ ସେମାନେ ମାଟ୍ରିକ ପରୀକ୍ଷା ପର୍ଯ୍ୟନ୍ତ ପହଂଚିପାରିନଥିଲେ । ଅର୍ଥାତ ଇୟା ଭିତରେ ପାଠ ଛାଡି ଦେଇଥିଲେ ।

ଏଥର ଯେମିତି ୪୩ ହଜାର ପିଲା ଅଷ୍ଟମରୁ ଦଶମ ଭିତରେ ପାଠ ପଢା ଛାଡିଦେଇଛନ୍ତି, ଠିକ୍ ସେହିପରି ୨୦୨୦-୨୧ ଶିକ୍ଷାବର୍ଷରେ ୪୯ ହଜାର ଛାତ୍ରଛାତ୍ରୀ ଡ୍ରପ ଆଉଟ ହୋଇଥିଲେ । ଏହି ତଥ୍ୟ ବୟାନ କରୁଛି ଓଡିଶାରେ ପ୍ରାୟ ପ୍ରତ୍ୟେକ ବର୍ଷ ଅଷ୍ଟମ ଶ୍ରେଣୀରୁ ଦଶମ ଶ୍ରେଣୀରେ ପ୍ରାୟ ୫୦ ହଜାର ପିଲା ପାଠ ଛାଡି ଚାଲି ଯାଉଛନ୍ତି । ସେମାନେ କୁଆଡେ ଯାଉଛନ୍ତି ତାହା ଅଧିକରୁ ଅଧିକ ସାମ୍ନାକୁ ଆସିବା ଦରକାର । ଆଉ ବିଶେଷକରି ସ୍କୁଲ ଓ ଗଣଶିକ୍ଷା ବିଭାଗ ଏ ଦିଗରେ ଯତ୍ନବାନ ନହେଲେ ପରିସ୍ଥିତି ଆହୁରି ଖରାପ ହୋଇଯାଇପାରେ ।