ସାହାରା ଟଙ୍କା ମିଳିବ କେବେ? ମାଚ୍ୟୁରିଟି ପରେ ବି ଟଙ୍କା ନମିଳିବାରୁ ରାଜଧାନୀରେ ଏକାଠି ହେଲେ ନିବେଶକ ଓ କର୍ମଚାରୀ

370

କନକ ବ୍ୟୁରୋ: ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ ଇଣ୍ଡିଆ ବିରୋଧରେ ଭୁବନେଶ୍ୱରରେ ବିକ୍ଷୋଭ କରିଛନ୍ତି ସାହାରା କର୍ମଚାରୀ ଓ ନିବେଶକ । ସେମାନଙ୍କ ଦାବି ସେବି ସାହାରାର ୨୪ ହଜାର କୋଟି ଟଙ୍କାକୁ ରଖି ଦେଇଛି । ଫଳରେ ଜମାକାରୀଙ୍କୁ ଟଙ୍କା ଫେରାଇ ପାରୁନାହିଁ ସାହାରା । ତେଣୁ ଜମାକାରୀଙ୍କୁ ଝାଳବୁହା ଟଙ୍କା ସେ ବି ଶୀଘ୍ର ଫେରାଇ ଦେଉ ବୋଲି ଦାବି କରିଛନ୍ତି ବିକ୍ଷୋଭକାରୀ ।

ସାହାରା ଟଙ୍କା, ସାହାରାକୁ ଫେରାଇ ଦିଅ । ଏହି ଦାବିରେ ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ ଇଣ୍ଡିଆ ବା ସେବି ବିରୋଧରେ ଭୁବନେଶ୍ୱରରେ ସାହାରା ଇଣ୍ଡିଆ ପରିବାରର କର୍ମକର୍ତ୍ତା ଓ ନିବେଶକଙ୍କ ପ୍ରତିବାଦ । ହାତରେ ପ୍ଲାକାର୍ଡ ଧରି, ନାରାବାଜି କରି ସେବି ପାଖରେ ଥିବା ସାହାରର ୨୪ ହଜାର କୋଟି ଟଙ୍କା ଫେରାଇ ଦେବାକୁ ଦାବି କରିଛନ୍ତି । ଚିଟଫଣ୍ଡ ମାମଲାରେ ସାହାରା କମ୍ପାନୀ ଛନ୍ଦିହେବା ପରେ, ଜମାକାରୀଙ୍କ ଟଙ୍କା ଫେରାଇବା ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ, ସେବି ପାଖରେ ୨୪ ହଜାର କୋଟି ଟଙ୍କା ଜମା କରିଥିଲା ସାହାରା ପରିବାର । ହେଲେ ୮ବର୍ଷ ଭିତରେ କେବଳ ୧୨୫ କୋଟି ଟଙ୍କା ଜମାକାରୀଙ୍କୁ ଫେରାଇଛି ସେବି । ତେଣୁ ବଳକା ଟଙ୍କା ସାହାରାକୁ ଫେରାଇବା ବଦଳରେ ଜମାକାରୀଙ୍କ ଝାଳବୁହା ଟଙ୍କାକୁ ସେବି ମାଡିବସିଥିବା ଅଭିଯୋଗ କରିଛନ୍ତି ବିକ୍ଷୋଭକାରୀ ।

ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ ଇଣ୍ଡିଆ ସାହାରା ଜମାକାରୀଙ୍କ ଟଙ୍କାକୁ ରଖି ଦେଇଥିବାରୁ, ଟଙ୍କା ପାଇପାରୁ ନାହାନ୍ତି ଜମାକାରୀ । ସେବି ଯଦି ତୁରନ୍ତ ଟଙ୍କା ନ ଫେରାନ୍ତି ତେବେ ସାରା ଦେଶରେ ଆନ୍ଦୋଳନ କରାଯିବ ବୋଲି କହିଛନ୍ତି ।